ଉଲୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଉଲୁଣ୍ଡା ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ସମ୍ବଳିତ ୨୮ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ । ତନ୍ମଧ୍ୟରେ ବ୍ୟକ୍ତିଗତ ଦରଖାସ୍ତ ୨୧ ଗୋଟି ଓ ସାମୁହିକ ଦରଖାସ୍ତ ୭ ଗୋଟି ରହିଛି । ଗ୍ରହଣ ୨୮ ଗୋଟି ଦରଖାସ୍ତ ମଧ୍ୟରୁ ଶିବିରରେ ବିଭିନ୍ନ ମାମଲାର ୮ ଗୋଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ୨୦ ଟି ଆପତି ଅଭିଯୋଗ ଦରଖାସ୍ତକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଉଲୁଣ୍ଡା ହେମସାଗର ଭୋଇଙ୍କ ତତ୍ୱାବଧାନରେ ଅଦ୍ୟ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ, ବୀରମହାରାଜପୁର ଅଶୋକ କୁମାର ଭୋଇ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତିଲତା ମିଶ୍ର, ଅଧୀକ୍ଷଣ ଯନ୍ତ୍ରୀ ଆରଡବ୍ଲୁଏସଏସ ଇଂ. ବିଭୁ ପ୍ରସାଦ ପଣ୍ଡା, ତହସିଲଦାର ବିପିନ୍ କୁମାର ପ୍ରଧାନ, ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ, ବ୍ଲକ ସ୍ତରୀୟ କର୍ମଚାରୀ, ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ । ଏହି ଶିବିରରେ ସରକାରଙ୍କ ମଧୁବାବୁ ଭତା ଯୋଜନାରେ ବ୍ଲକ ଅନ୍ତର୍ଗତ କୋଟସମଲେଇ ପଂଚାୟତ ମହୁଖଣ୍ଡି ଗ୍ରାମର ନିରାଶା ମୁଣ୍ଡା, ମୁଣ୍ଡୋଘାଟ ପଂଚାୟତ ବିଜେପୁର ନିବାସୀ କସ୍ତୁରୀ ମହାନ୍ତି, ଉଲୁଣ୍ଡା ଗ୍ରା. ପ. ଅନ୍ତର୍ଗତ ପୁଟୁରୁପାଲି ନିବାସୀ କସ୍ତୁରୀ ବାରିକ ଓ ବଡାଲି ଗ୍ରାମର ସସ୍ମିତା ଜାଲଙ୍କ ସହ ମହୁଲପାଲି ନିବାସୀ ସୁନିତା ପଧାନ ପ୍ରମୁଖ ପାଂଚ ଜଣଙ୍କୁ ଟଙ୍କା ୫୦୦ ଲେଖାଏଁ ଭତା ପ୍ରଦାନ କରିଛନ୍ତି ଜିଲ୍ଲାପାଳ ଶ୍ରୀମତୀ ନରୱଣେ । ସୂଚନା ମୁତାବକ, ମହୁଖଣ୍ଡି ଗ୍ରାମ ନିବାସୀ ନିରାଶା ମୁଣ୍ଡାଙ୍କ ଭତ୍ତା ହୋଇ ନଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା, ମାତ୍ର ଆଜି ମୁଣ୍ଡାଙ୍କୁ ତୁରନ୍ତ ପେନସନରେ ସାମିଲ ନିମନ୍ତେ ଜିଲ୍ଲାପାଳ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଶିବିରରେ ତାଙ୍କର ଆଧାର ତଥା ଅନ୍ୟାନ୍ୟ କାଗଜାତ ପ୍ରସ୍ତୁତ କରାଯାଇ ତୁରନ୍ତ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯାଇ ପେନସନ ପ୍ରଦାନ କରାଯାଇଛି ।
