ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ସାନି ତଦନ୍ତ ନିର୍ଦ୍ଦେଶ ଦେଲେ ଜେଏମ୍ଏଫ୍ସି କୋର୍ଟ
ଭୁବନେଶ୍ୱର : ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଡୁଆ ବଢ଼ିବାରେ ଲାଗିଛି । ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରେ ସାନି ତଦନ୍ତ କରିବାକୁ କଟକ ଜିଲା ସାଲେପୁର ଜେଏମ୍ଏଫ୍ସି କୋର୍ଟ ମାହାଙ୍ଗା ପୋଲିସକୁ ନିର୍ଦ୍ଦେଶ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ମୃତକ କୁଳମଣି ବରାଳଙ୍କ ପରିବାର ଘଟଣା ସହିତ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ଆଣିଥିଲେ, ସେହି ସମୟରେ ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣା ଚର୍ଚ୍ଚାକୁ ଆସିଥିଲା। ଏପରିକି ଥାନାରେ ପରିବାର ପକ୍ଷରୁ ଦିଆଯାଇଥିବା ଏତଲାରେ ମନ୍ତ୍ରୀଙ୍କ ନାଁ ମଧ୍ୟ ଉଲ୍ଲେଖ ଥିଲା। କିନ୍ତୁ ପୋଲିସ ଯେଉଁ ଚାର୍ଜସିଟ୍ ଦାଖଲ କରିଥିଲା ସେଥିରେ ମନ୍ତ୍ରୀଙ୍କ ନାଁ ବାଦ୍ ଦିଆଯାଇଥିଲା । ପରେ ଏନେଇ କୁଳମଣିଙ୍କ ପରିବାର ଲୋକେ କୋର୍ଟରେ ପିଟିସନ ଦାଖଲ କରିଥିଲେ। ଆଉ କୋର୍ଟ ଏହାର ଶୁଣାଣି କରି ଗୁରୁବାର ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରେ ସାନି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଯେ, ଗତ ଜାନୁଆରି ୨ ତାରିଖରେ ମାହାଙ୍ଗାରେ ଡବଲ ମର୍ଡର ହୋଇଥିଲା। ଏହି ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ଥିବା ଦର୍ଶାଇ ଭାରତୀୟ ଜନତା ପାର୍ଟି (ବିଜେପି) ରାଜରାସ୍ତାକୁ ଓହ୍ଲାଇଥିଲା। ସେତେବେଳେ ମୃତ କୁଳମଣିଙ୍କ ପରିବାର ପକ୍ଷରୁ ୧୪ ଜଣଙ୍କ ବିରୋଧରେ ଅଭିଯୋଗ ଆଣିବା ସହ ଥାନାରେ ଏତଲା ଦିଆଯାଇଥିଲା। ତେବେ ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତ ଥିବା ପ୍ରଫୁଲ୍ଲ ବିଶ୍ୱାଳଙ୍କର ମଧ୍ୟ ମାସକ ପରେ ମୃତ୍ୟୁ ହୋଇଥିଲା। ପ୍ରାଥମିକ ତଦନ୍ତ ପରେ ପୁଲିସ ପକ୍ଷରୁ ଏହାକୁ ଦୁର୍ଘଟଣା ଜନିତ ମୃତ୍ୟୁ କୁହାଯାଇଥିବା ବେଳେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ବିଜେପି ସଙ୍ଗୀନ ଅଭିଯୋଗ ଆଣିଥିଲା।
