ଲୋକଙ୍କୁ ସହୟତା ପାଇଁ ନିଜର ଅତିପ୍ରିୟ ଜ୍ୟାକେଟ୍କୁ ନିଲାମ କଲେ ଜେଲେନ୍ସ୍କି
କିଭ୍ : ରୁଷ-ୟୁକ୍ରେନ ଯୁଦ୍ଧ ୨ ମାସରୁ ଅଧିକ ଦିନ ହେବ ଜାରି ରହିଛି । ଯୁଦ୍ଧ ଯୋଗୁଁ ୟୁକ୍ରେନର ଅର୍ଥନୀତି ଏକପ୍ରକାର ବିପର୍ଯ୍ୟସ୍ତ ହୋଇପଡ଼ିଛି । ଫଳରେ ଦେଶ ପାଇଁ ଅର୍ଥ ଯୋଗାଡ଼ କରିବାକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ବିଭିନ୍ନ ଉପାୟ ଆପଣାଇଛନ୍ତି । ଜେଲେନ୍ସ୍କି ନିଜର ଅତିପ୍ରିୟ ଜ୍ୟାକେଟ୍କୁ ୧,୧୦,୦୦୦ ଡଲାର ବା ୮୪ ଲକ୍ଷ ୬୦ ହଜାର ଟଙ୍କାରେ ନିଲାମ କରିଦେଇଛନ୍ତି । ଯୁଦ୍ଧ ଯୋଗୁ ବିଭିନ୍ନ ସ୍ଥାନରେ ଫଶିଥିବା ଲୋକଙ୍କ ନିକଟରେ ସହୟତା ପହଞ୍ଚାଇବାକୁ ଏହି ଟଙ୍କା ଖର୍ଚ୍ଚ ହେବ । ଲଣ୍ଡନରେ ଆୟୋଜିତ ଏକ ଚ୍ୟାରିଟି ନିଲାମୀ କାର୍ଯ୍ୟକ୍ରମରେ ଜେଲେନ୍ସ୍କିଙ୍କର ଏହି ଜ୍ୟାକେଟ ନିଲାମ ହୋଇଛି ।
ସୂଚନା ଯେ, ଜ୍ୟାକେଟର ପ୍ରାଥମିକ ନିଲାମୀ ମୂଲ୍ୟ ୪୭ ଲକ୍ଷ ଟଙ୍କା ଥିଲା । କିନ୍ତୁ ପରେ ବ୍ରିଟେନ ରାଷ୍ଟ୍ରପତି ବୋରିସ ଜନସନ୍ ଅପିଲ କରି କହିଥିଲେ, ୟୁକ୍ରେନରେ ଫସିଥିବା ଲୋକଙ୍କୁ ସାହାଯ୍ୟ ପହଞ୍ଚାଇବାକୁ ଏହା ସର୍ବଶ୍ରେଷ୍ଟ ମାଧ୍ୟମ । ଜ୍ୟାକେଟକୁ ଅଧିକ ଟଙ୍କାରେ କିଣି ୟୁକ୍ରେନକୁ ସହଯୋଗ କରିବାକୁ ବୋରିସଙ୍କ ଅପିଲ ପରେ ଜ୍ୟାକେଟଟି ପାଖାପାଖି ୨ ଗୁଣା ଅଧିକ ଦାମ୍ରେ ନିଲାମ ହୋଇଥିଲା । ବିଭିନ୍ନ ସମୟରେ ଜେଲେନ୍ସ୍କି ଏହି ଜ୍ୟାକେଟ୍ରେ ନଜର ଆସିଥାନ୍ତି । ଯୁଦ୍ଧ ମଧ୍ୟରେ କିଏଭ ବୁଲି ଦେଖିବା ସମୟରେ ମଧ୍ୟ ସେ ଏହି ଜ୍ୟାକେଟ୍ ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ଏହି ଜ୍ୟାକେଟଟି ମେଣ୍ଢା ଲୋମରେ ପ୍ରସ୍ତୁତ ହୋଇଛି । କାର୍ଯ୍ୟକ୍ରମରେ ଜେଲେନ୍ସ୍କି ବୋରିସ ଜନସନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଯୁଦ୍ଧ ଆରମ୍ଭରୁ ବ୍ରିଟେନ ଯେଉଁଭଳି ଭାବେ ୟୁକ୍ରେନକୁ ଲଗାତର ସହାୟତା ଯୋଗାଉଆସୁଛି ତାହା ସବୁବେଳେ ମନେରହିବ ବୋଲି ଜେଲେନ୍ସ୍କି କହିଥିଲେ । ରୁଷ କୌଣସି ପ୍ରକାରେ ବି ଯୁଦ୍ଧ ଜିତିପାରିବନି ଏବଂ ବ୍ରିଟେନ କେବେ ବି ୟୁକ୍ରେନ ଲୋକଙ୍କ ଧର୍ଯ୍ୟ ଭାଙ୍ଗିବନି ବୋଲି ବୋରିସ ଜନସନ୍ କାର୍ଯ୍ୟକ୍ରମରେ ପ୍ରକାଶ କରିଥିଲେ ।
