ଜେଇଇ ଆଡଭାନ୍ସଡ ଫଳ ପ୍ରକାଶ : ୪୧ହଜାର ୮୬୨ଜଣ ଛାତ୍ରଛାତ୍ରୀଙ୍କୁ ମିଳିଲା ରାଙ୍କ
- ମୃଦୁଳ ଅଗ୍ରୱାଲ ଟପ୍ପର, ମହିଳା ବର୍ଗରେ ଶୀର୍ଷରେ କାବ୍ୟା ଚୋପ୍ରା
ନୂଆଦିଲ୍ଲୀ : ଜେଇଇ ଆଡଭାନ୍ସଡର ଫଳାଫଳ ପ୍ରକାଶ ପାଇଛି । ଖଡ଼ଗପୁର ଆଇଆଇଟି ପକ୍ଷରୁ ଏହି ରେଜଲ୍ଟ ଘୋଷଣା କରାଯାଇଛି। ପରୀକ୍ଷା ଶେଷ ହେବାର ମାତ୍ର ୧୨ ଦିନ ମଧ୍ୟରେ ଆଜି ରେଜଲ୍ଟ ପ୍ରକାଶ ପାଇଛି। ଏଥିରେ ଦିଲ୍ଲୀ ଜୋନ୍ର ମୃଦୁଳ ଅଗ୍ରୱାଲ ୩୬୦ ନମ୍ବରରୁ ୩୪୮ ନମ୍ବର ରଖି ପ୍ରଥମ ସ୍ଥାନ ହାସଲ କରିଛନ୍ତି । ମହିଳା ବର୍ଗରେ କାବ୍ୟା ଚୋପ୍ରା ୨୮୬ ନମ୍ବର ରଖି ଶୀର୍ଷସ୍ଥାନରେ ରହିଛନ୍ତି । ଦେଶର ୧ଲକ୍ଷ ୪୧ହଜାର ୬୯୯ଜଣ ପ୍ରାର୍ଥୀ ଏହି ପରୀକ୍ଷା ଦେଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୪୧ହଜାର ୮୬୨ଜଣ ଛାତ୍ରଛାତ୍ରୀଙ୍କୁ ରାଙ୍କ ମିଳିଛି ।
ଜେଇଇ ଆଡଭାନ୍ସଡରେ ଆଇଆଇଟି ଦିଲ୍ଲୀ ଜୋନର ମୃଦୁଳ ଅଗ୍ରୱାଲ ଟପ୍ପର ହୋଇଛନ୍ତି। ସେ ଏହି ପ୍ରବେଶିକା ପରୀକ୍ଷାରେ ୩୬୦ରୁ ୩୪୮ ମାର୍କ ରଖି ଶୀର୍ଷ ସ୍ଥାନରେ ରହିଛନ୍ତି। ସମାନ ଜୋନର କାବ୍ୟା ଚୋପ୍ରା ମହିଳା ବର୍ଗରେ ଟପ୍ପର ହୋଇଛନ୍ତି। ସେ ୨୮୬ ମାର୍କ ରଖିଛନ୍ତି। କାବ୍ୟା ଜେଇଇ ମେନ୍ର ମାର୍ଚ୍ଚ ପରୀକ୍ଷାରେ ୩୦୦ରୁ ୩୦୦ ମାର୍କ ସ୍କୋର କରିଥିଲେ। ସେ ପ୍ରଥମ ମହିଳା ଭାବେ ଏପରି କୀର୍ତ୍ତିମାନ ସ୍ଥାପନ କରିଥିଲେ। ମୃଦୁଳ ଅଗ୍ରୱାଲ ମଧ୍ୟ ଜେଇଇ ମେନରେ ୧୦୦% ମାର୍କ ରଖିଥିଲେ। ଚଳିତ ବର୍ଷ ମୋଟ ୧,୪୧,୬୯୯ ଜଣ ଛାତ୍ରଛାତ୍ରୀ ଆଇଆଇଟି ପ୍ରବେଶିକା ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରୁ ୪୧,୮୬୨ ଜଣ କୃର୍ତ୍ତକାର୍ଯ୍ୟ ହୋଇଛନ୍ତି। ପିଲାମାନେ jeeadv.ac.in ଜରିଆରେ ନିଜର ରେଜଲ୍ଟ ଜାଣି ପାରିବେ। ଜେଇଇ ଆଡଭାନ୍ସଡ ପରୀକ୍ଷା ଜୁଲାଇ ୩ରେ ଅନୁଷ୍ଠିତ ହେବାର ଥିଲା। କିନ୍ତୁ କରୋନା ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା। ଶେଷରେ କରୋନା ସ୍ଥିତିରେ ସୁଧାର ଆସିବାରୁ ଜୁଲାଇ ୨୬ରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ଜେଇଇ ଆଡଭାନ୍ସଡ ଅକ୍ଟୋବର ୩ରେ ହେବ ବୋଲି ଘୋଷଣା କରିଥିଲେ।
