ବିପଦ ସଂକେତ ଟପିଲା ଜଳକା, ବନ୍ୟା ଆଶଙ୍କା ନେଇ ଭୟରେ ଚାଷୀକୂଳ
ବସ୍ତା : ବାଲେଶ୍ୱର ଜିଲା ଅନ୍ତର୍ଗତ ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବୁଧବାର ବୃଦ୍ଧି ପାଇଛି । ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ଏହି ନଦୀର ଜଳସ୍ତର ଧୀରେ ଧୀରେ ବଢ଼ିବା ସହିତ ଚଳିତବର୍ଷ ପ୍ରଥମଥର ପାଇଁ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ମଥାନୀ ଠାରେ ଏହି ନଦୀର ବିପଦ ସଙ୍କେତ ୫.୫୦ ମିଟର ଥିବାବେଳେ ସନ୍ଧ୍ୟା ୬ଟା ସୁଦ୍ଧା ନଦୀର ଜଳସ୍ତର ବୃଦ୍ଧି ହୋଇ ୬.୧୧ ମିଟରରେ ପହଂଚିଛି । ଫଳରେ ନଦୀ ତଳିଆ ଅଞ୍ଚଳରେ ପାଣି ମାଡ଼ିବା ସହିତ ନଦୀ ପାର୍ଶ୍ୱବର୍ତ୍ତୀ ଚାଷଜମି ସବୁ ଜଳମଗ୍ନ ହୋଇଛି ।
ସୂଚନା ଯେ, ଗତ ମଙ୍ଗଳବାର ଠାରୁ ପ୍ରବଳ ବର୍ଷା ଲାଗି ରହିଥିବାରୁ ପ୍ରଥମଥର ପାଇଁ ବନ୍ୟା ଆଶଙ୍କା ଦେଖାଦେଇଛି । ବନ୍ୟା ଆସିବା ଭୟରେ ଚାଷୀକୂଳ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଚଳିତବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ପ୍ରତିକୂଳ ପରିସ୍ଥିତିରେ ଚାଷକାମ ହୋଇଛି । ବର୍ତ୍ତମାନ ସୁଦ୍ଧା ହେକ୍ଟର ହେକ୍ଟର ଜମି ପଡ଼ିଆ ପଡ଼ିଛି । ଅଧିକାଂଶ ଚାଷୀ ସେଲୋ, ନଦୀ ନାଳରୁ ପାଣି ନେଇ ଜମିରେ ରୁଆ ପୋତା କାମ ସାରିଥିଲେ । ଉଚ୍ଚା ଜମିରେ ଏବେ ଧାନ ଗଛ ରୁଆ କାମ ଚାଲିଛି । ରୁଇବା ପାଇଁ ଚାଷୀ ମାନେ କିଛି ଦିନ ପୂର୍ବରୁ ମଧ୍ୟ ଧାନ ତଳି ପକାଇଛନ୍ତି । ଏଭଳି ପରିସ୍ଥିତିରେ ବନ୍ୟା ଆସିଲେ ଧାନ ଚାଷ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି । ସେହିପରି ଆଜି ରାତିରେ ଉପରମୁଣ୍ଡାରେ ପ୍ରବଳ ବର୍ଷା ହେଲେ ଜଳକା ନଦୀର ଜଳସ୍ତର ଅଧିକ ବଢ଼ିବା ସହିତ ଏକ ବଡ଼ ବନ୍ୟାର ଆଶଙ୍କା ରହିଛି । ଏନେଇ ଜଳସେଚନ ବିଭାଗ ଯନ୍ତ୍ରୀ ମହେଶ୍ୱର ସିଂ କହନ୍ତି, ଦିନ ତମାମ୍ ପ୍ରତି ଘଣ୍ଟାରେ ଜଳକାର ଜଳସ୍ତର ବୃଦ୍ଧି ହେଉଥିବା ପରିଲକ୍ଷିତ ହେଉଛି । ବନ୍ୟା ହେଲେ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା ହୋଇଛି । ସେହିପରି ଦୁର୍ବଳ ନଦୀବନ୍ଧ ପ୍ରତି ନଜର ରଖାଯାଇଛି ।
