ବିପଦ ସଙ୍କେତ ଉପରେ ଜଳକା
ବାଲେଶ୍ୱର : ବିପଦ ସଙ୍କେତ ଉପରେ ଜଳକା। ଲଘୁଚାପ ଜନିତ ବର୍ଷା ପରେ ବଢ଼ିଲା ଜଳକା ନଦୀର ଜଳସ୍ତର। ମଥାନୀଠାରେ ଜଳକା ନଦୀର ବିପଦ ସଙ୍କେତ ୫.୫୦ମିଟର ଥିବାବେଳେ ଜଳସ୍ତର ୬.୦୨ ମିଟର ରହିଛି । ଫଳରେ ତଳିଆ ଅଞ୍ଚଳରେ ବନ୍ୟାର ଭୟ ବଢୁଛି । ଏଥିସହିତ ନଦୀ କୁଳିଆବାସୀ ଓ ବିଶେଷ କରି ଚାଷୀମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।
ଜଳକା ନଦୀରେ ପୁଣି ବନ୍ୟା । ଗତ ଦୁଇ ଦିନ ଧରି ବାଲେଶ୍ୱର ସହିତ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହି ଥିବାରୁ ଜଳକା ନଦୀରେ ପୁଣି ବନ୍ୟା ଦେଖା ଦେଇଛି । ବିଶେଷ କରି ଜଳକା ନଦୀର ଉପର ମୁଣ୍ଡାରେ ମୟୁରଭଞ୍ଜ ଜିଲାର ସୁଲିଆପଦା, ମୋରଡା, ଚିତ୍ରଡା, ରସଗୋବିନ୍ଦପୁର ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା କାରଣରୁ ନଦୀରେ ଜଳସ୍ତର ବଢିଛି । ଫଳରେ ବନ୍ୟା ଦେଖା ଦେଇଛି । ବନ୍ୟା ଯୋଗୁଁ ବସ୍ତା ବ୍ଲକର ୧୨ଟି ପଂଚାୟତ ପତ୍ରଝଡା, ସଦାନନ୍ଦପୁର, ବାହାର୍ଦା, ମଥାନୀ, ଦୁଧହଂସା, ରାଉତପଡା, ଗଡ଼ପଦା, କୁଡିଆ, ବାସଚକୁରାଇ, ଦରଡ଼ା, ବ୍ରାହ୍ମଣଦା, ବରୁଣଗଡିଆ ଏବଂ ସଦର ବ୍ଲକର ୨ଟି ପଞ୍ଚାୟତର ରସଲପୁର ଏବଂ ଶ୍ରୀରାମପୁର ପ୍ରଭାବିତ ହେବାର ସମ୍ଭାବନା ରହିଛି ।
