ଆଜି ବିଏସକେୱାଇ ସ୍ମାର୍ଟ ସ୍ବାସ୍ଥ୍ୟ ସେବାରେ ସାମିଲ ହେବ ଯାଜପୁର-କେନ୍ଦ୍ରାପଡା
ଭୁବନେଶ୍ୱର : ଆଜି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ସେବାରେ ସାମିଲ ହେବ ଯାଜପୁର ଓ କେନ୍ଦ୍ରାପଡା । ସ୍ମାର୍ଟ କାର୍ଡ ସ୍ମାର୍ଟ ସହାୟତା ଲକ୍ଷ୍ୟ ନେଇ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନେଇ ଏହି ଦୁଇ ଜିଲାରେ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ପକ୍ଷରୁ ସୂଚନା ମିଳିଛି ।
ଚଳିତ ବର୍ଷ ସେପ୍ଟେମ୍ବର ପହିଲାରୁ ରାଜ୍ୟରେ ବିଏସକେୱାଇ ସ୍ମାର୍ଟ ହେଲଥ କାର୍ଡ ବିତରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ବ୍ୟବସ୍ଥାରେ ଓଡିଶାରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି । ଏହି କାର୍ଡ ଦ୍ବାରା ଗରିବଙ୍କ ଚିକିତ୍ସା ସମସ୍ୟା ଦୂର ହେବ । ଏଥିରେ ରାଜ୍ୟରେ ମୋଟ ୯୬ ଲକ୍ଷ ପରିବାରର ସାଢେ ୩ କୋଟିରୁ ଅଧିକ ଲୋକ ଉପକୃତ ହେବେ । ଆଜି ଏହି ସ୍ମାର୍ଟ ସେବାରେ ଯୋଡି ହେବ ଯାଜପୁର ଓ କେନ୍ଦ୍ରାପଡା ।
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କା ଓ ବିଶେଷ କରି ମହିଳାଙ୍କ ପାଇଁ ବର୍ଷକୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ଦେବ ଏହି ସ୍ମାର୍ଟ ହେଲଥ କାର୍ଡ । ଏହା ପୂର୍ବରୁ ଜଗତସିଂହପୁର, ନୟାଗଡ, କଟକ, ଖୋର୍ଦ୍ଧା, ଗଞ୍ଜାମ, ବାଲେଶ୍ବର, ଭଦ୍ରକ, ବୌଦ୍ଧ, ଝାରସୁଗୁଡା, ମୟୂରଭଞ୍ଜ, ଗଜପତି, ସୁନ୍ଦରଗଡ, ମାଲକାନଗିରି, କଳାହାଣ୍ଡି, ନୂଆପଡା, ଦେବଗଡ ଓ ବରଗଡ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବିତରଣ ସରିଛି । ମାଲକାନଗିରିରୁ ପ୍ରଥମେ ଆରମ୍ଭ ହୋଇଥିଲା ସ୍ବାସ୍ଥ୍ୟ ସେବାର ଏହି ଐତିହାସିକ ଯାତ୍ରା । ରାଜ୍ୟରେ ସାଢେ ୩ କୋଟି ଲୋକଙ୍କୁ ସ୍ମାର୍ଟ ହେଲଥ କାର୍ଡ ଦେବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ରାଜ୍ୟବାସୀଙ୍କୁ ସମୂର୍ଣ୍ଣ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଏହାର ଲକ୍ଷ୍ୟ ।
