ଶୋପିଆନରେ ଏନକାଉଣ୍ଟର, ଜୈଶ୍ ଆତଙ୍କବାଦୀ ନିହତ
ଶ୍ରୀନଗର : ଜମ୍ମୁ କାଶ୍ମୀର ସୋପିଆନର କାପରେନ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ସ୍ଥାନୀୟ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ଗୁଇନ୍ଦାରୁ ଖବର ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସୁରକ୍ଷାକର୍ମୀ । ଏନେଇ ଜମ୍ମୁ କାଶ୍ମୀର ପୋଲିସ ତରଫରୁ ସୂଚନା ପ୍ରଦାନ କରାଯାଇଥିଲା । ଦୀର୍ଘ ୧ ଘଣ୍ଟା ଧରି ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଜୈଶ-ଏ-ମହମ୍ମଦର ଜଣେ ବିଦେଶୀ ଆତଙ୍କବାଦୀ ନିହତ ହୋଇଛି । ନିହତ ଆତଙ୍କବାଦୀ କାମରାନ୍ ଭାଇ ଓରଫ୍ ଅନିସ୍ ବୋଲି ଜଣାପଡିଛି। ପାକିସ୍ତାନୀ ଆତଙ୍କବାଦୀ କାମରାନର ମୃତ୍ୟୁ ଖବରକୁ ସ୍ପଷ୍ଟ କରିଛନ୍ତି ଏଡିଜିପି କାଶ୍ମୀର ବିଜୟ କୁମାର । ସେ କହିଛନ୍ତି ଯେ କାମରାନ୍ କୁଲଗାମ-ଶୋପିଆନରେ ବେଶ୍ ସକ୍ରିୟ ଥିଲା। ଦୀର୍ଘ ଦିନ ଧରି ପୋଲିସ ତାକୁ ଖୋଜୁଥିଲା।
ସୂଚନା ଯେ, କାପରେନ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବାନେଇ ଏକ ବିଶେଷ ସୁତ୍ରରୁ ଖବର ପାଇଥିଲା ସୁରକ୍ଷାବାହୀନି । ଏହା ପରେ ଫୋର୍ସ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ସେନାର ୪୪ ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ଜମ୍ମୁ କାଶ୍ମୀର ପୋଲିସ ମିଳିତ ଭାବେ ଉକ୍ତ ସ୍ଥାନକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଦୀର୍ଘ ୧ ଘଣ୍ଟାର ଗୁଳିବିନମୟ ପରେ ଜୈସ ଏ ମହମ୍ମଦର ଜଣେ ଆତଙ୍କୀ କାମରାନକୁ ନିପାତ କରିଛି ସୁରକ୍ଷାବାହିନୀ । ସେ କୁଲଗାମ ଓ ସୋପିଆନ ଅଞ୍ଚଳରେ ସକ୍ରିୟ ଥିଲା । ତାଠୁ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ ହୋଇଛି । ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଛି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।
ଗତ କିଛି ଦିନ ମଧ୍ୟରେ ଘାଟିରେ ଆତଙ୍କୀ କାର୍ଯ୍ୟକଳାପ କ୍ରମାଗତ ବଢିବାରେ ଲାଗିଛି । ପୋଲିସ, ସୁରକ୍ଷାବଳର କ୍ୟାମ୍ପ ସହିତ ସାଧାରଣ ଜନତା ଓ ଅଣସ୍ଥାନୀୟଙ୍କୁ ଟାର୍ଗେଟ ହତ୍ୟା କରିବା ପାଇଁ ଆକ୍ରମଣ କରିବାରେ ଲାଗିଛନ୍ତି ଆତଙ୍କୀ । ସୁରକ୍ଷାବଳ ମଧ୍ୟ ସେମାନଙ୍କୁ ନିପାତ କରିବା ପାଇଁ ‘ଆଣ୍ଟି ଟେରର ଅପରେସନ’କୁ ଜୋରଦାର କରିଛି । ନିକଟରେ ହୋଇଥିବା ଏକାଧିକ ଏନକାଉଣ୍ଟରରେ ମଧ୍ୟ ସୁରକ୍ଷାବଳକୁ କ୍ରମାଗତ ସଫଳତା ମିଳିଛି । କେତେବେଳେ ଆତଙ୍କୀଙ୍କୁ ନିପାତ ତ କେବେ ସେମାନଙ୍କୁ ଗିରଫ କରିବାରେ ସୁରକ୍ଷାବଳକୁ ସଫଳତା ମିଳିଛି । ଶେଷ ଥର ପାଇଁ ନଭେମ୍ବର ୧ ତାରିଖରେ ଜମ୍ମ କାଶ୍ମୀର ଏକାଧୀକ ସ୍ଥାନରେ ଏନକାଉଣ୍ଟର ହୋଇଥିଲା ।
ଦୀର୍ଘ ସମୟ ଧରି ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥରେ ୪ ଆତଙ୍କୀକୁ ନିପାତ କରିଥିଲା ସେନା । ଏହାର ପୂର୍ବରୁ ଅକ୍ଟୋବର ୨୭ରେ କୁଲଗାମରେ ଏନକାଉଣ୍ଟର ହୋଇଥିଲା ସେଥିରେ ଜଣେ ଆତଙ୍କୀକୁ ନିପାତ କରିବାରେ ସଫଳ ହୋଇଥିଲା ସେନା । ଚଳିତ ବର୍ଷ ସୀମାରେ ୪୦ରୁ ଅଧିକ ଥର ଏନକାଉଣ୍ଟର ହେଲାଣି ଏଥିରେ ପ୍ରାୟ ୧୨୦ରୁ ଅଧିକ ଆତଙ୍କୀକୁ ନିପାତ କରିବାରେ ସଫଳ ହୋଇଛି ସେନା ।
