ଜୟପୁର-ମାଲକାନଗିରି ଓ ଜୟପୁର-ନବରଙ୍ଗପୁର ନୂତନ ଲାଇନ ପ୍ରକଳ୍ପକୁ ଅନୁମତି
ଭୁବନେଶ୍ୱର : ଓଡ଼ିଶା ପାଇଁ ନୂଆ ୭ଟି ରେଳ ପ୍ରକଳ୍ପ ଅନୁମୋଦିତ କରାଯାଇଛି । ଏହାର ସୂଚନା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଇଛନ୍ତି । ରାଜ୍ୟ ସରକାରଙ୍କ ସହଯୋଗରେ ଓଡ଼ିଶାର ୫ଟି ରେଳ ଲାଇନ ସମେତ ସାତୋଟି ନୂତନ ପ୍ରକଳ୍ପକୁ ରେଳ ମନ୍ତ୍ରଣାଳୟ ଅନୁମୋଦନ କରିଛି ବୋଲି କେନ୍ଦ୍ର ମନ୍ତ୍ରୀ ଗୁରୁବାର ସଂସଦରେ କହିଛନ୍ତି ।
ଏହି ନୂତନ ପ୍ରକଳ୍ପଗୁଡ଼ିକ ହେଉଛି ତାଲଚର-ଅନୁଗୋଳ ନୂତନ ଲାଇନ ସହିତ ତ୍ରିକୋଣୀୟ ଜଙ୍କସନ, ବାଘୁଆପାଲ ଫ୍ଲାଏ ଓଭର, ବ୍ରହ୍ମପୁର-ଫୁଲବାଣୀ-ସମ୍ବଲପୁର, ରଜତଗଡ଼-କାଇପଦର, ବନସପାଣି-ବରବିଲ, ବରଗଡ-ନୂଆପଡା ରୋଡ ଏବଂ ବୁରାମରା-ଚକୁଲିଆ ରୋଡ । ରେଳବାଇ ଦ୍ୱାରା ତାଲଚର-ଅନୁଗୋଳ ନୂତନ ଲାଇନ ଓ ବାଘୁଆପାଲ ଫ୍ଲାଏ ଓଭର ନିଆଯାଉଥିବାବେଳେ ବାକି ପାଞ୍ଚଟି ପ୍ରକଳ୍ପର ପ୍ରାଥମିକ କାର୍ଯ୍ୟକଳାପ ପାଇଁ ଓଡିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡକୁ ଅନୁମୋଦନ ଦିଆଯାଇଛି । ରାଜ୍ୟସଭା ସଦସ୍ୟ ମୁଜିବୁଲ୍ଲା ଖାନଙ୍କ ଏକ ପ୍ରଶ୍ନର ଉତ୍ତରରେ ରେଳ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ସହ ଖର୍ଚ୍ଚ ବଣ୍ଟନ ଆଧାରରେ ଜୟପୁର-ମାଲକାନଗିରି ଓ ଜୟପୁର-ନବରଙ୍ଗପୁର ନୂତନ ଲାଇନ ପ୍ରକଳ୍ପକୁ ଅନୁମତି ଦିଆଯାଇଛି ।
ସେପଟେ ଖବର ଅନୁଯାୟୀ, କୋରୋନା ସମୟରେ ବନ୍ଦ ହୋଇଥିବା ସମସ୍ତ ଟ୍ରେନ୍ ଏହି ସପ୍ତାହରେ କାର୍ଯ୍ୟ ଆରମ୍ଭ କରିବ । ଏଥିପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି । ଏକ ସପ୍ତାହ ମଧ୍ୟରେ ସମ୍ପୃକ୍ତ ଜୋନଗୁଡ଼ିକୁ ସେମାନଙ୍କ ପ୍ରସ୍ତୁତି କରିବାକୁ କୁହାଯାଇଛି । ଏହି ସପ୍ତାହରେ ୫୦୦ ଟ୍ରେନ୍ ଚଳାଚଳ ଆରମ୍ଭ କରିବ ବୋଲି ମନେ କରାଯାଉଛି । ବନ୍ଦ ଟ୍ରେନ୍ ଯୋଗୁଁ ସମସ୍ତ ଅସୁବିଧାର ସମ୍ମୁଖୀନ ହେଉଥିବା ଯାତ୍ରୀମାନଙ୍କୁ ଏହା ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିବ ।
