ଜାହାଙ୍ଗୀରପୁରୀ ହିଂସା ଘଟଣା : ଗୃହ ମନ୍ତ୍ରାଳୟକୁ ରିପୋର୍ଟ ପ୍ରଦାନ କଲା ଦିଲ୍ଲୀ ପୋଲିସ
ନୂଆଦିଲ୍ଲୀ : ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ହନୁମାନ ଜୟନ୍ତୀ ଦିନ ଆୟୋଜିତ ଶୋଭାଯାତ୍ରା ଉପରେ ପଥରମାଡ ପରେ ହିଂସା ଉପଜୁଥିଲା। ଏଥିରେ ସାତରୁ ଆଠ ଜଣ ଆହତ ହୋଇଥିଲେ। ଏହାସହ ଗୁଳି ମାଡରେ ଜଣେ ପୋଲିସ ଇନ୍ସପେକ୍ଟର ଓ ଜଣେ ସାଧାରଣ ଲୋକ ଆହତ ହୋଇଥିଲେ । ଏହି ହିଂସାକୁ ନେଇ ରାଜନୀତି ଜୋର ଧରିଛି । ଉଭୟ କେନ୍ଦ୍ର ସରକାର ଓ ବିରୋଧୀ ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି । ଏହାମଧ୍ୟରେ ହିଂସା ସମ୍ପର୍କରେ ଦିଲ୍ଲୀ ପୋଲିସ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପ୍ରାରମ୍ଭିକ ରିପୋର୍ଟ ପ୍ରଦାନ କରିଛି ।
ଦିଲ୍ଲୀ ପୋଲିସ ୪ ପୃଷ୍ଠାର ରିପୋର୍ଟ ପ୍ରଦାନ କରିଛି । ଯେଉଁଥିରେ ପୁରା ଘଟଣା ବିଷୟରେ ସୂଚନା ପ୍ରଦାନ କରାଯାଇଛି । ଏହାସହ ଦିଲ୍ଲୀ ପୋଲିସ ଦ୍ୱାରା କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ବିସ୍ତୃତ ଭାବରେ ଦର୍ଶାଯାଇଛି । ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୫ ଜଣ ଗିରଫ ଏବଂ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଥିବା ରିପୋର୍ଟରେ କୁହାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ରରେ, ଦଙ୍ଗା ଭିଆଇବା ଆଦି ମାମଲା ରୁଜୁ ହୋଇଛି । ଏତତ୍ ବ୍ୟତୀତ, ଦିଲ୍ଲୀ ପୋଲିସ ଦ୍ୱାରା କ’ଣ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି, ଏହାର ମଧ୍ୟ ରିପୋର୍ଟରେ ସୂଚନା ଦିଆଯାଇଛି ।
