ଗାଁରେ ପଶି ଘର ଭାଙ୍ଗିଲା ଗୋଠଛଡ଼ା ଦନ୍ତା, ଲୋକେ ଆତଙ୍କିତ
କେନ୍ଦୁଝର : କେନ୍ଦୁଝର ଜିଲା ପାଟଣା ବନ ରେଞ୍ଜ ଅଞ୍ଚଳରେ ବହୁ ଦିନ ଧରି ୨୬ ଟିକିଆ ହାତୀପଲ ଉପଦ୍ରବ ଚଳାଇ ଲୋକଙ୍କ ନିଦ ହଜାଇ ଦେଇଥିଲେ । କିଛିଦିନ ପରେ ପୁଣି ଏକ ଗୋଠଛଡ଼ା ଦନ୍ତା ପାଟଣା ରେଞ୍ଜ ଅନ୍ତର୍ଗତ ଯମୁନାପଶି ଗାଁରେ ପଶି ଘର ଭାଙ୍ଗିଛି। ଦନ୍ତା ହାତୀଟି ମୟୂରଭଞ୍ଜ ଜିଲାରୁ ଆସି ପାଟଣା ରେଞ୍ଜ ଅଞ୍ଚଳରେ ଘୁରିବୁଲୁଛି। ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।
ଦନ୍ତାଟି ଗତ ସୋମବାର ରାତିରେ ପାଟଣା ରେଞ୍ଜ ଅନ୍ତର୍ଗତ ନିଶ୍ଚିନ୍ତପୁର ଗ୍ରାମର ଲମ୍ବୋଦର ମୁଣ୍ଡା, ଗୋଜିଟାଙ୍ଗିରି ଗ୍ରାମର ନିରଞ୍ଜନ ମହାନ୍ତ, ଲୁଙ୍ଗା ଗ୍ରାମର ମହନ୍ତ ନାୟକଙ୍କ ଘର ପାଚେରି ଆଦି ଭାଙ୍ଗି ଦେଇଛି। ଆଜି ସକାଳୁ ପାଟଣା ରେଞ୍ଜର ମାଧପୁର ଗାଁରେ ଦେଖିବାକୁ ମିଳିଥିଲା ବେଳେ ଅପରାହ୍ଣରେ ଯମୁନାପଶିରେ ଥିବା ଦେଖାଯାଇଥିଲା। କିଛିଦିନ ପୂର୍ବରୁ ମୟୂରଭଞ୍ଜରେ ଏବଂ କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ମୈଦାନକେଲ ନିକଟରେ ଜଣକୁ କଚାଡ଼ି ମାରିଦେଇଥିଲା। ଏହି ହିଂସ୍ର ଦନ୍ତା ପ୍ରତି ଜଙ୍ଗଲ ବିଭାଗ ନଜର ରଖିଥିବା ରେଞ୍ଜର ଘାସିନାଥ ପାତ୍ର କହିଛନ୍ତି।
