ବିଚାରପତିର ଜୀବନ ବଞ୍ଚିବା ଆଦୌ ସହଜ ନୁହେଁ : ପ୍ରଧାନ ବିଚାରପତି
- ଛୁଟିଦିନରେ କାମ ସହ ସପ୍ତାହରେ ୧୦୦ରୁ ଅଧିକ ମାମଲାର ଶୁଣାଣି କରିବାକୁ ପଡିଥାଏ
ନୂଆଦିଲ୍ଲୀ : ଦେଶର ପ୍ରଧାନ ବିଚାରପତି ଏନ୍ ଭି ରମନା ନିଜର ଜୀବନ ବିଷୟରେ ମତ ରଖିଛନ୍ତି। ସେ କହିଛନ୍ତି ଯେ, ଜଣେ ବିଚାରପତିର ଜୀବନ ବଞ୍ଚିବା ବହୁତ କଷ୍ଟ । ଆଇନ ଅଦାଲତ ସମ୍ପର୍କିତ ଖବର ପରିବେଷଣ କରୁଥିବା ୱେବ୍ ପୋର୍ଟାଲ୍ ‘ଲାଇଭ୍ ଲ’ ପକ୍ଷରୁ ଟୁଇଟ୍ କରି ପ୍ରଧାନ ବିଚାରପତିଙ୍କ ବକ୍ତବ୍ୟ ଉପସ୍ଥାପନ କରାଯାଇଛି ।
ପ୍ରଧାନ ବିଚାରପତିଙ୍କ ମତରେ ଲୋକଙ୍କ ମନରେ ଏକ ଭୁଲ ଧାରଣା ଅଛି ଯେ ବିଚାରପତିମାନେ ବଡ଼ ବଙ୍ଗଳାରେ ରହନ୍ତି । କେବଳ ୧୦ରୁ ୪କାମ କରନ୍ତି ଏବଂ ସେମାନଙ୍କ ଛୁଟିଦିନ ଉପଭୋଗ କରନ୍ତି । ଲୋକଙ୍କର ଏଭଳି ଧାରଣା ପ୍ରକୃତରେ ଭୁଲ । ପ୍ରତି ସପ୍ତାହରେ ୧୦୦ରୁ ଅଧିକ ମାମଲାର ଶୁଣାଣି କରିବା ସହଜ ନୁହେଁ। ଜଣେ ବିଚରପତି ବିଭିନ୍ନ ପ୍ରଶାସନିକ କର୍ତ୍ତବ୍ୟ ସହିତ ଦୁଇ ପକ୍ଷର ଯୁକ୍ତି ଶୁଣିବା, ସ୍ବାଧୀନ ଅନୁସନ୍ଧାନ କରିବା ଏବଂ ପ୍ରକୃତ ଦୋଷୀକୁ ଦଣ୍ଡ ଦେବା ଭଳି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିଥାଏ, ଯାହା ଆଦୌ ସହଜ ନୁହେଁ। ଆମର ନ୍ୟାୟିକ କର୍ତ୍ତବ୍ୟ ସଂପାଦନ ପାଇଁ ଆମେ ମଧ୍ୟରାତ୍ରି ପର୍ଯ୍ୟନ୍ତ ନିଜ କାମ କରିବା ସହ ସୂର୍ଯ୍ୟୋଦୟ ପୂର୍ବରୁ ଉଠିଥାଉ। ଅଦାଲତର ଛୁଟିଦିନରେ ମଧ୍ୟ ଆମେ କାମ ଜାରି ରଖୁଥାଉ । ଏତେ ସବୁପରେ ମଧ୍ୟ ଯେତେବେଳେ ମତ ପ୍ରକାଶ ପାଏ କି ବିଚାରପତିଙ୍କ ଜୀବନ ଖୁବ ସହଜ, ତାହା ଗ୍ରହଣ କରି ହୁଏନାହିଁ। ଜଣେ ବିଚାରପତିର ଜୀବନ ବଞ୍ଚିବା ଆଦୌ ସହଜ ନୁହେଁ, ବରଂ ଢ଼େର କଷ୍ଟସାଧ୍ୟ ।
