ଲାଂଚ ନେବାବେଳେ ଆଇଟିଡିଏ କିରାଣୀ ଭିଜିଲାନ୍ସ ହାତରେ
କନ୍ଧମାଳ : ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବାଲିଗୁଡା ସମନ୍ୱିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟାଳୟ ର ମୁଖ୍ୟ କିରାଣୀ ବସନ୍ତ କୁମାର ପାଣି, ଜଣେ ଠିକାଦାରଙ୍କ ସିକ୍ୟୁରିଟି ଟଙ୍କା ଫେରାଇବା ପାଇଁ ତାଙ୍କ ନିକଟରୁ ୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ବିଭାଗ ଦ୍ୱାରା ଗିରଫ ହୋଇଛନ୍ତି । ସୂଚନା ପ୍ରକାରେ ଠିକାଦାର ପଦ୍ମଚରଣ ପାଣିଗ୍ରାହୀଙ୍କ ସିକ୍ୟୁରିଟି ଟଙ୍କା ବିଭାଗରେ ଥିଲା ସେହି ଟଙ୍କା ଫେରସ୍ତ ନେବାପାଇଁ ସେ ଆବେଦନ କରିଥିଲେ ଏବଂ ଏହି ସଂକ୍ରାନ୍ତରେ କିରାଣୀଙ୍କ ନିକଟକୁ ଯାଇଥିଲେ ଠିକାଦାର ।
ସେ କିରାଣୀଙ୍କ କହିବା ମୁତାବକ ବିଲ୍ କରାଇଦେବାକୁ ପୂର୍ବରୁ ଦୁଇହଜାର ଟଙ୍କା ଲାଂଚ ଦେଇଥିବା ବେଳେ ଆଉ ୬ ହଜାର ଟଙ୍କା ଦେଲେ ବିଲ୍ ହେବ ବୋଲି କହିଥିଲେ କିରାଣୀ ବସନ୍ତ ପାଣି । ଆଜି ଅବଶିଷ୍ଟ ୬ ହଜାର ଟଙ୍କା ଦେବାବେଳେ କାର୍ଯ୍ୟାଳୟରୁ ଫୁଲବାଣୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଜଣାପଡ଼ିଛି । ଅନ୍ୟପଟେ ବର୍ତ୍ତମାନ କିରାଣିଙ୍କ ନିଜ ବାସ ଭବନରେ ଫୁଲବାଣୀ ଭିଜିଲାନ୍ସ ଡିଏସପି ଅରୁଣ କୁମାର ନାୟକଙ୍କ ନେତୃତ୍ୱରେ ଏକ ୫ ଜଣିଆ ଟିମ୍ ପକ୍ଷରୁ ଚଢ଼ାଉ ଜାରି ରହିଛି । ତେବେ ତାଙ୍କ ଘରୁ ତଲାସି ବେଳେ ୧୦ ଲକ୍ଷ ନଗଦ ଟଙ୍କା ବାହାରି ଥିବା ଜଣାପଡ଼ିଛି । ଭିଜିଲାନ୍ସ ବିଭାଗ ଏହି ସଂକ୍ରାନ୍ତରେ ଏକ ମାମଲା ୧୬/୨୦୨୧ ରୁଜୁ କରି କିରାଣୀଙ୍କୁ କୋର୍ଟରେ ହାଜର କରାଇ ଥିବା ନେଇ ଫୁଲବାଣୀ ଭିଜିଲାନ୍ସ ଡିଏସପି ଅରୁଣ କୁମାର ନାୟକ କହିଛନ୍ତି ।
