ଓଡ଼ିଶାରେ କିଏ ସରକାର ଚଳାଉଛନ୍ତି ତାହା ଜଣାପଡ଼ୁନି : ନଡ୍ଡା
ଭୁବନେଶ୍ୱର : ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ .ପି ନଡ୍ଡା । ତୁମୁଡ଼ିବନ୍ଧ ଠାରେ ଆୟୋଜିତ ସାଧାରଣ ସଭାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ନଡ୍ଡା । ଓଡ଼ିଶାରେ କିଏ ସରକାର ଚଳାଉଛନ୍ତି ତାହା ଜଣାପଡ଼ୁନାହିଁ ବୋଲି ସେ କହିଛନ୍ତି । ଦିନିକିଆ ଓଡିଶା ଗସ୍ତରେ ଆସି ତୁମୁଡ଼ିବନ୍ଧରେ ଆୟୋଜିତ ଜନସଭାରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ନବୀନ ସରକାର ଶୋଇ ରହିଥିବା ପରି ଲାଗୁଛି । ପ୍ରଭୁ ଜଗନ୍ନାଥର ରତ୍ନଭଣ୍ଡାର ସୁରକ୍ଷା କାହିଁକି କରାଯାଉନାହିଁ ଓ ଏହାର ଚାବି କୁଆଡେ ହଜିଗଲା ?୪ ବର୍ଷରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଖୋଲିବା କହିଥିଲେ, ତାହା କୁଆଡ଼େ ଗଲା? ନୟାଗଡ଼ର ଚିନକଳ ଖୋଲିବା କଥା କହିଥିଲେ, କିନ୍ତୁ ତାହା ବି ହୋଇପାରିଲା ନାହିଁ । ଏହା କିପରି ଶୋଇରହିଥିବା ସରକାର? କିଏ ସରକାର ଚଳାଉଛି ତାହା ଜଣାପଡୁନାହିଁ । ମହିଳା ବିରୋଧୀ ଅପରାଧରେ ଓଡ଼ିଶା ଆଗରେ । ଓଡ଼ିଶାରେ ମାନବ ଚାଲାଣ ବଢିଚାଲିଛି । ଆଦିବାସୀ ଓ ଦଳିତଙ୍କ ଉପରେ ଅତ୍ୟାଚାର ହେଉଛି । ଅପରାଧୀମାନେ ଏବେ ପୁଲିସ ଉପରେ ବି ଆକ୍ରମଣ କରୁଛନ୍ତି । ଅର୍ଥାତ ରକ୍ଷକ ଉପରେ ବି ଆକ୍ରମଣ ହେଉଛି । ଏପରି ସରକାର ରହିବା ଉଚିତ କି? ଅନ୍ୟପକ୍ଷରେ ଆଇଏମଏଫର ରିପୋର୍ଟ ଅନୁସାରେ ଭାରତରେ ଏବି ଅତି ଗରିବ ସଂଖ୍ୟା ୧ ପ୍ରତିଶତରୁ କମ୍ ରହିଯାଇଛନ୍ତି । ଜନଧନ ଯୋଜନାରେ ୪୬ କୋଟି ଜନତାଙ୍କ ବ୍ୟାଙ୍କ ଖାତାରେ ସରକାରୀ ଅର୍ଥ ପହଂଚୁଛି ବୋଲି ସେ କହିଛନ୍ତି । ଆୟୁଷ୍ମାନ ଭାରତ ଯୋଜନାରେ ୧୦.୭୪ କୋଟି ଜନତାଙ୍କୁ ସ୍ୱାସ୍ଥ୍ୟସେବା ମିଳିପାରୁଛି । ନବୀନବାବୁ ରାଜ୍ୟର ମଙ୍ଗଳ କଥା କହୁଥିବାବେଳେ ଓଡ଼ିଶାର ୬୦ ଲକ୍ଷ ଲୋକଙ୍କୁ ଏଥିରୁ ବଂଚିତ କରିଛନ୍ତି । ସେମାନଙ୍କୁ ସେମାନଙ୍କ ଅଧିକାରରୁ ବଂଚିତ କରାଯାଉଛି । ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ କାମ କରିଛନ୍ତି କହିଲେ ନଡ୍ଡା । ଦେଶରେ ସର୍ବାଧିକ ୮୭ଟି ଏକଲବ୍ୟ ଆବାସିକ ସ୍କୁଲ ଓଡ଼ିଶାରେ ହୋଇଛି । ୩ ଶହ କୋଟି ଟଙ୍କାରେ ଭୁବନେଶ୍ୱର ରେଳ ଷ୍ଟେସନ ଚକାଚକ୍ ହେଉଛି । ପ୍ରତି ଘରକୁ ଟ୍ୟାପ୍ ପାଣି ପାଇଁ ୩୩୨୩ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ।
