କ୍ରିକେଟ୍ ନିୟମରେ ପୁଣି ପରିବର୍ତନ ! ଏଣିକି ଫିଲଡିଂ ବେଳେ ବଲରେ ଛେପ ଲଗାଇବା ମନା, ଲାଗିବ ପେନାଲିଟି
ନୂଆଦିଲ୍ଲୀ : କ୍ରିକେଟ୍ ନିୟମରେ ପୁଣି କିଛି ପରିବର୍ତନ ହେବାକୁ ଯାଉଛି । ପୂର୍ବରୁ ଥିବା କିଛି ନିୟମରେ ଅଦଳବଳ ହେବା ନେଇ ଚୂଡାନ୍ତ ହୋଇଛି ପ୍ରକ୍ରିୟା । ଏ ନେଇ ଘୋଷଣା କରିଛି ମେରିଲବୋନ୍ କ୍ରିକେଟ୍ କ୍ଲବ୍ (ଏମସିସି) । ଏ ସମସ୍ତ ନିୟମ ଆସନ୍ତା ୨୦୨୨ ଅକ୍ଟୋବର ୧ ତାରିଖରୁ ଲାଗୁହେବ । ଏଣିକି କ୍ରିକେଟ୍ ବଲରେ ଖେଳାଳିମାନେ ଆଉ ଛେପ ଲଗାଇପାରିବେ ନାହିଁ ।
ପୂର୍ବରୁ ପଡିଆ ମଧ୍ୟରେ ବଲକୁ ଚିକ୍କଣ କରିବା ପାଇଁ ସେଥିରେ ଛେପ ବା (ସ୍ପିଟ୍) ଲଗାଉଥିଲେ ଖେଳାଳି । କିନ୍ତୁ ଏବେ ସେଥିରେ ପରିବର୍ତନ କରାଯାଇଛି । କରୋନା ନିୟମାବଳୀ ଲାଗୁ ହୋଇଥିବା ସମୟରେ ବଲରେ ଛେପ ନଲଗାଇବାକୁ ଖେଳାଳିଙ୍କୁ କୁହାଯାଇଥିଲା । ଏବେ ସେହି ନିୟମ ସବୁଦିନ ପାଇଁ ଲାଗୁ ହେବ । ଅବଶ୍ୟ ପଡିଆ ମଧ୍ୟରେ ବଲକୁ ଚିକ୍କଣ କରିବାକୁ ଝାଳ ବ୍ୟବହାର କରିପାରିବେ ଖେଳାଳି । କିନ୍ତୁ ଛେପ ବ୍ୟବହାର କରିପାରିବେ ନାହିଁ । କେବଳ ସେତିକି ନୁହେଁ, ଆଉ କିଛି ନିୟମରେ ମଧ୍ୟ ପରିବର୍ତନ କରାଯାଇଛି । ଯଦି କୌଣସି ଖେଳାଳି କ୍ୟାଚ୍ ଆଉଟ ହେଉଛନ୍ତି ଏବଂ ସାଇଡ୍ ଅଦଳବଦଳ ବି କରିଛନ୍ତି ତେବେ ୱିକେଟ୍ ହୋଇଥିବା ବ୍ୟାଟ୍ସମ୍ୟାନ୍ଙ୍କ ସ୍ଥାନରେ ଆଉ ଯେଉଁ ବ୍ୟାଟର୍ ଆସିବେ ସେ ହିଁ ବ୍ୟାଟିଂ କରିବେ । ପୂର୍ବରୁ କିନ୍ତୁ କ୍ୟାଚ୍ ଉଠିବା ପରେ ଯଦି ସାଇଡ୍ ଚେଞ୍ଜ ହେଉଥିଲା ତେବେ ନନ୍ଷ୍ଟ୍ରାଇକ୍ରେ ଥିବା ବ୍ୟାଟର୍ ବ୍ୟାଟିଂ କରୁଥିଲେ । ଏବେ କିନ୍ତୁ ନୂଆ ବ୍ୟାଟର୍ ହିଁ ବ୍ୟାଟିଂ କରିବେ ।
ଯଦି ଖେଳ ଜାରି ରହିଥିବା ସମୟରେ, କୌଣସି ବାହାର ବ୍ୟକ୍ତି କିମ୍ବା ପଶୁ ପଡିଆ ମଧ୍ୟକୁ ପ୍ରବେଶ କରନ୍ତି ତେବେ ତାହାକୁ ଡେଡ୍ ବଲ ଘୋଷଣା କରିଦିଆଯିବ । ପୂର୍ବରୁ ଏଭଳି କିଛି ପରିସ୍ଥିତି ଉପୁଜୁଥିଲେ କିଛି ସମୟ ପାଇଁ ଖେଳ ବନ୍ଦ କରିଦିଆଯାଉଥିଲା ଏବଂ ପରେ ସ୍ୱଭାବିକ ହେଉଥିଲା । ଆହୁରି କିଛି ନିୟମରେ ମଧ୍ୟ ପରିବର୍ତନ କରାଯାଇଛି । ଯଦି ଫିଲ୍ଡିଂ କରୁଥିବା ବେଳେ କୌଣସି ଫିଲଡର୍ ଉଦ୍ଦେଶ୍ୟମୂଳକ ଭାବେ ଏପଟସେପଟ ହୁଅନ୍ତି ତେବେ ପେନାଲିଟି ଲାଗୁହେବ । ଯେଉଁଥି ପାଇଁ ବ୍ୟାଟିଂ ପକ୍ଷଙ୍କୁ ୫ ରନ ଅଧିକ ଦିଆଯିବ । ପୂର୍ବରୁ ଏପରି ହୋଇଥିଲେ, ଡେଡ୍ ବଲ୍ ଘୋଷିତ ହେଉଥିଲା । ସେହିଭଳି ବ୍ୟାଟର୍ଙ୍କ ମୁଭମେଂଟ ଦେଖି ୱାଇଡ୍ ଦେବେ ଅମ୍ପାୟାର । ଯଦି ବୋଲର ବୋଲିଂ କରୁଥିବା ବେଳେ ବ୍ୟାଟର୍ଙ୍କୁ ଅଙ୍ଗଭଙ୍ଗୀ ଏବଂ ଶୈଳୀ ଦେଖି ୱାଇଡ୍ ଗାରକୁ ବୋଲିଂ କରନ୍ତି ସେ ପରିସ୍ଥିତିରେ ଅମ୍ପାୟାର ନିଷ୍ପତି ନେବେ ।
