ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ସଂଘ ପକ୍ଷରୁ ୫ ଦଫା ଦାବିପତ୍ର ପ୍ରଦାନ
ଯାଜପୁର : ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ବହୁ ମୁଖୀ ସ୍ୱାସ୍ଥ୍ୟ କର୍ମୀ ମାନେ କ୍ରମାଗତଭାବେ ସରକାରୀ କ୍ଷେତ୍ରରେ ଅବହେଳିତ ହେଉଥିବା ଅଭିଯୋଗ କରିଛନ୍ତି । ଫଳରେ ସ୍ୱାସ୍ଥ୍ୟ କର୍ମୀ ଓ ପରିଦର୍ଶକ ସଂଘ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଧମକ ଦେଇଛି । ଏ ନେଇ ମଙ୍ଗଳପୁର ଗୋଷ୍ଠୀସ୍ୱାସ୍ଥୀ କେନ୍ଦ୍ରରେ କାର୍ଯ୍ୟରତ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ପରିଦର୍ଶକମାନେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟାଧିକାରୀ ବିନ୍ଦୁ ସାଗର ସାମଲଙ୍କ ଜରିୟାରେ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ୫ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବି ପୁରଣ ପାଇଁ ଡିସେମ୍ବର ମାସ ୭ ତାରିଖ ରୁ ଏକ ସପ୍ତାହ ପର୍ଯ୍ୟନ୍ତ କଳା ବ୍ୟାଚ୍ ପରିଧାନ ପୂର୍ବକ ବହୁ ମୁଖୀ ସ୍ୱାସ୍ଥ୍ୟ କର୍ମୀ ସଂଘ ପକ୍ଷରୁ ଦାବିପତ୍ର ଦିଆଯାଇଛି । ସପ୍ତାହକ ମଧ୍ୟରେ ନାବି ପୁରଣ ନହେଲେ ଅନିର୍ଦ୍ଦିଷ୍ଟକାଳ ପାଇଁ ଡିସେମ୍ବର ମାସ ୧୪ତାରିଖରୁ ବହୁ ମୁଖୀ ସ୍ୱାସ୍ଥ୍ୟ କର୍ମୀ ଓ ପରିଦର୍ଶକମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ସାମିଲ ହେବେ ବୋଲି ଚେତାବନି ଦିଆଯାଇଛି । ଦାବି ଗୁଡିକ ମଧ୍ୟରେ ଠିକା ବ୍ୟବସ୍ଥା ଉଚ୍ଛେଦ ସହ ୨୦୧୩ ର ଜିଏଓପିଜି ବିଜ୍ଞପ୍ତି ରଦ୍ଦକରି ଠିକା କର୍ମଚାରୀ ନିଯୁକ୍ତି ସମୟକୁ ହିସାବ କରି ଇନ୍କ୍ରିମେଣ୍ଟ ପ୍ରଦାନ ପୋଷାକ ବାବଦକୁ ୫ ହଜାର ଟଙ୍କା ଭତ୍ତା ପ୍ରଦାନ, ଚାକିରୀ କାଳ ମଧ୍ୟରେ ଅତି କମରେ ୪ଟି ପଦୋନ୍ନତି ଏବଂ ଗ୍ରେଡ୍ପେ ୪୨୦୦-୪୬୦୦ ରୁ ଆରମ୍ଭ କରିବା ଆଦି ଉଲ୍ଲେଖ ରହିଛି । ୨୦୨୧ ଜାନୁୟାରୀରେ ସଂଘ ଅସହଯୋଗ ଡାକରା ଦେବା ସହ କରୋନା ଟିକା ନେବାକୁ ମନା କରିଦେଇଥିଲା । ମାତ୍ର ଜନସ୍ୱାସ୍ଥ୍ର୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଦାବି ପୁରଣ ଦିଗରେ ସକାରାତ୍ମକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେବା ପରେ ସ୍ୱାସ୍ଥ୍ୟ କର୍ମଚାରୀମାନେ କରୋନା ଟିକା ଗ୍ରହଣ କରିଥିଲେ । ଇତି ମଧ୍ୟରେ ୨ ବର୍ଷ ଅତିକ୍ରାନ୍ତ କରିଥିଲେ ମଧ୍ୟ ବିଭାଗ କୌଣସି ପଦକ୍ଷେପ ନେଇ ନାହିଁ ବୋଲି ସଂଘ ଅଭିଯୋଗ କରିଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକମାନେ ଅଧ୍ୟକ୍ଷ ଅମୂଲ୍ୟ ଦାସ, ସଭାପତି ବିଷ୍ଣୁପ୍ରିୟା ଦାସ, ସମ୍ପାଦକ ଭାଗିରଥି ସାମଲଙ୍କ ନେତୃତ୍ୱରେ ଏକ ୫ ଦଫା ଦାବି ନେଇ ସ୍ୱାସ୍ଥ୍ୟ କେନ୍ଦ୍ରାଧିକାରୀ ଡାକ୍ତର ବିନ୍ଦୁ ସାଗର ସାମଲଙ୍କ ଜରିଆରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓ ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଘ ପକ୍ଷରୁ ସରୋଜ କୁମାର ନାଥ, ଇନ୍ଦ୍ରଜିତ ପତି, ମନୋଜ କୁମାର ମହାନ୍ତି, ନିରାକାର ଦାସ, ହୋସାନା ବେଗମ ଓ ଅନିତା ନାୟକ ପ୍ରମୁଖଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ ।
