ତୃତୀୟ ଭାରତ-କେନ୍ଦ୍ର ଏସିଆ ଡାଇଲଗରେ ସ୍ଥାନ ପାଇଲା ଆତଙ୍କବାଦ ପ୍ରସଙ୍ଗ
ନୂଆଦିଲ୍ଲୀ : ତୃତୀୟ ଭାରତ-କେନ୍ଦ୍ର ଏସିଆ ଡାଇଲଗରେ ସ୍ଥାନ ପାଇଲା ଆତଙ୍କବାଦ ପ୍ରସଙ୍ଗ । ରବିବାର ଭାରତର ବୈଦେଶିକ ମନ୍ତ୍ରୀ ଏବଂ ଅନ୍ୟ ପାଞ୍ଚଟି ମଧ୍ୟ-ଏସୀୟ ଦେଶର ବୈଦେଶିକ ମନ୍ତ୍ରୀମାନେ ଆତଙ୍କବାଦ ଏବଂ ସୀମାବର୍ତ୍ତୀ ଆତଙ୍କବାଦ, ଆତଙ୍କବାଦୀଙ୍କ ଆର୍ଥିକ ସହାୟତା ବିରୋଧରେ କାର୍ଯ୍ୟକ୍ରମ ହାତକୁ ନେବାର ସମୟ ଆସିଥିବା ପ୍ରକାଶ କରିଛନ୍ତି । ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତି ଏବଂ ଏହାର ପ୍ରଭାବ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ଆଫଗାନିସ୍ତାନର ସାର୍ବଭୌମତ୍ବ, ଏକତା, ଆଞ୍ଚଳିକ ଅଖଣ୍ଡତା ଓ ଏହାର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନକରିବା ଉପରେ ବୈଦେଶିକ ମନ୍ତ୍ରୀମାନେ ଚିନ୍ତାବ୍ୟକ୍ତ କରିବା ସହ ଏକ ଶାନ୍ତିପୂର୍ଣ୍ଣ, ନିରାପଦ ତଥା ସ୍ଥିର ଆଫଗାନିସ୍ତାନ ଗଠନ ପାଇଁ ଦୃଢ ସମର୍ଥନ ଜଣାଇଥିବା ଦେଖିବାକୁ ମିଳିଥିଲା ।
ସେହିପରି ଗୃହ ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନବାସୀଙ୍କୁ ତୁରନ୍ତ ମାନବିକ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ମନ୍ତ୍ରୀମାନେ ଜାତିସଂଘ ସୁରକ୍ଷା ପରିସଦର ରିଜୋଲ୍ୟୁସନ୍ ୨୫୯୩ (୨୦୨୧)କୁ ଦୋହରାଇବା ସହ ଆତଙ୍କବାଦୀ କାର୍ଯ୍ୟକଳାପକୁ ଆଶ୍ରୟ ଦେବା, ତାଲିମ ଦେବା, ଯୋଜନା କରିବା କିମ୍ବା ଆର୍ଥିକ ସହାୟତା କରିବା ଉଦ୍ଦେଶ୍ୟରେ ଆଫଗାନିସ୍ତାନ ଅଞ୍ଚଳକୁ କିପରି ବ୍ୟବହାର ନକରାଯାଇ ପାରିବ, ତାହା ଉପରେ ମଧ୍ୟ ମତ ବିନିମୟ କରିଥିଲେ । ସେହିପରି ଭାରତ ଓ କେନ୍ଦ୍ର ଏୟିୟ ସଦସ୍ୟ ଦେଶମାନଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହ ସମ୍ମିଳନୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଅଧ୍ୟକ୍ଷତା କରୁଛନ୍ତି । ଚଳିତବର୍ଷ ଏହି ସମ୍ମିଳନୀରେ ତୁର୍କମେନିସ୍ତାନ, କାଜାଖସ୍ତାନ, ତାଜିକିସ୍ତାନ, କିର୍ଗିଜସ୍ଥାନ ଏବଂ ଉଜବେକିସ୍ତାନର ବୈଦେଶିକ ମନ୍ତ୍ରୀମାନେ ଅଂଶଗ୍ରହଣ କରିଛନ୍ତି ।
