ଆଇଏସ୍ଏସ୍ଏଫ୍ ବିଶ୍ୱ କନିଷ୍ଠ ବନ୍ଧୁକ ଚାଳନା ପ୍ରତିଯୋଗିତା : ୩୦ ପଦକ ସହ ଶୀର୍ଷରେ ଭାରତ
ଲିମା (ପେରୁ): ଲାଟିନ୍ ଆମେରିକୀୟ ଦେଶ ପେରୁର ରାଜଧାନୀ ଲିମାଠାରେ ଆୟୋଜିତ ଆଇଏସ୍ଏସ୍ଏଫ୍ ବିଶ୍ୱ କନିଷ୍ଠ ବନ୍ଧୁକଚାଳନା ପ୍ରତିଯୋଗିତାରେ ମୋଟ ୩୦ ପଦକ ସହ ଭାରତ ଅଭିଯାନ ଶେଷ କରିଛି । ଶୁକ୍ରବାର ଦଶମ ତଥା ଅନ୍ତିମ ଦିବସରେ ଭାରତ ୭ (୩ ସ୍ୱର୍ଣ୍ଣ, ୨ ଲେଖାଏଁ ରୌପ୍ୟ ଓ କାଂସ୍ୟ) ପଦକ ଅମଳ କରିଥିଲା । ଫଳରେ ଏହି ବିଶ୍ୱକପ୍ରେ ଭାରତ ୧୩ ସ୍ୱର୍ଣ୍ଣ, ୧୧ ରୌପ୍ୟ ଓ ୬ କାଂସ୍ୟ ସହିତ ମୋଟ ୩୦ ପଦକ ହାସଲ କରି ତାଲିକାର ଶୀର୍ଷ ସ୍ଥାନରେ ଅଭିଯାନ ଶେଷ କରିଛି । ଭରତ ପଛକୁ ୬ ସ୍ୱର୍ଣ୍ଣ, ୮ ରୌପ୍ୟ ଓ ୬ କାଂସ୍ୟ ସହ ମୋଟ ୨୦ ପଦକ ହାସଲ କରି ଆମେରିକା ଦ୍ୱିତୀୟ ସ୍ଥାନରେ ରହିଛି ।
ଶୁକ୍ରବାର ପୁରୁଷ ୨୫ ମିଟର ରାପିଡ୍ ଫାୟାର ପିସ୍ତଲ ଦଳଗତ ଇଭେଂଟରେ ଅନିଶ ଭନୱାଲା, ଆଦର୍ଶ ସିଂହ ଓ ବିଜୟବୀର ସିଧୁ ଭାରତକୁ ସ୍ୱର୍ଣ୍ଣ ପଦକ ଭେଟି ଦେଇଥିଲେ । ସ୍ୱର୍ଣ୍ଣ ପଦକ ମୁକାବିଲାରେ ଏହି ତିନି ତାରକା ମୋଟ ୧୦ ସ୍କୋର୍ କରି ପ୍ରଥମ ସ୍ଥାନ ଅକ୍ତିଆର କରିଥିଲା ବେଳେ ଜର୍ମାନି ଦ୍ୱିତୀୟରେ ରହି ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲା । ଏହାପରେ ମାନବୀ ସୋନି (୧୦୫) ନିଜ ଦେଶର ୟେସାୟା ହାଫିଜ୍ କଂଟ୍ରାକ୍ଟର (୯୦)ଙ୍କୁ ପରାସ୍ତ କରି ଭାରତ ପାଇଁ କନିଷ୍ଠ ଡବଲ୍ ଟ୍ରାପ୍ ସ୍ୱର୍ଣ୍ଣ ପଦକ ଜିତି ନେଇଥିଲା ବେଳେ ହିତାଶା (୭୬) କାଂସ୍ୟ ପଦକ ଜିତିଥିଲେ । ସେହିପରି ବିନୟ ପ୍ରତାପ ସିଂହ ଚନ୍ଦ୍ରୱାତ୍ (୧୨୦ ସ୍କୋର୍) ପୁରୁଷ ଡବଲ୍ ଟ୍ରାପ୍ ଇଭେଂଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହି ଇଭେଂଟରେ ସେହଜପ୍ରୀତ୍ ସିଂହ (୧୧୪) ଏବଂ ମୟଙ୍କ ସୋକିନ (୧୧୧) ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଥିଲେ । ଏହା ପୂର୍ବରୁ ଆୟୂଷୀ ପୋଦାର ଓ ଐଶ୍ଚର୍ଯ୍ୟ ପ୍ରତାପ ସିଂହ ଟୋମାର ୫୦ ମିଟର ରାଇଫଲ ଥ୍ରି ପୋଜିସନ୍ ମିଶ୍ରିତ ଦଳଗତ ଇଭେଂଟରେ ରୌପ୍ୟ ପଦକ ଜିତିଥିଲେ ।
