ଇରାନରେ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ ମୃତ
ତେହେରାନ: ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ ଇରାନର ଦୁଇ ପାଇଲଟ । ତେହେରାନର ଦକ୍ଷିଣରେ ଥିବା ଇସ୍ଫାହାନ ପ୍ରଦେଶରେ ଏକ ଏଫ୍-୭ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ହେବାପରେ ମଙ୍ଗଳବାର ଇରାନ ବାୟୁସେନାର ଦୁଇଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି ।
ବ୍ରଡକାଷ୍ଟରର ୱେବସାଇଟରେ କୁହାଯାଇଛି ଯେ ଆଜି ସକାଳେ ଅନରାକ ଜିଲ୍ଲାରେ ଘଟିଥିବା ଦୁର୍ଘଟଣାରେ ବିମାନର ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଛି । ଏହି ଯୁଦ୍ଧ ବିମାନଟି ଏକ ଟ୍ରେନିଂ ମିଶନରେ ବାହାରିଥିଲା । ହେଲେ ଉଡ଼ାଣ କରିବା ପରେ ବିମାନଟି ନିଆଁ ପିଣ୍ଡୁଳାରେ ପରିଣତ ହୋଇଥିଲା । ଏହା ଫଳରେ ଭିତରେ ଥିବା ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣା ପରେ ଏବେ ଏହାର କାରଣ ପାଇଁ ତଦନ୍ତ ଆରମ୍ଭ କରାଯାଇଛି । ତେବେ ଏହା ପ୍ରଥମ ନୁହେଁ ନିକଟ ଅତୀତରେ ଇରାନ ବାୟୁସେନାର ଅନେକ ବିମାନ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଅଧିକ ଦିନ ଧରି ବ୍ୟବହାର ହୋଇ ଆସୁଥିବା ବିମାନର ନବୀକରଣ ପାଇଁ ଆବଶ୍ୟକ ଜିନିଷ ମିଳୁନଥିବାରୁ ଏଭଳି ଦୁର୍ଘଟଣା ଘଟୁଥିବା ଇରାନ ବାୟୁସେନା ପକ୍ଷରୁ କୁହାଯାଇଛି ।
