ଆଇପିଏଲ୍-୨୦୨୧ : ହାଇଦ୍ରାବାଦକୁ ୨୩୬ ରନ୍ର ବିଶାଳ ବିଜୟ ଲକ୍ଷ୍ୟ ଦେଲା ମୁମ୍ବାଇ
ଅବୁଧାବି: ଚଳିତ ଆଇପିଏଲର ଶେଷ ଲିଗ୍ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସର ଦୁଇ ବ୍ୟାଟସମ୍ୟାନ ସୂର୍ଯ୍ୟ କୁମାର ଯାଦବ ଓ ଈଶାନ କିଶନଙ୍କ ବ୍ୟାଟ୍ ଗର୍ଜିଛି । ହେଲେ ଦଳର ପ୍ଲେ ଅଫ ଆଶା ଏବେ ବି ଅନେକ ଦୂରରେ ରହିଛି । କାରଣ ପ୍ଲେ ଅଫ ଖେଳିବାକୁ ହେଲେ ମୁମ୍ବାଇକୁ ବୃହତ ବ୍ୟବଧାନରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇବାକୁ ପଡ଼ିବ । ତେଣୁ ଏହା କେତେ ଦୂର ସମ୍ଭବ, ତା’ହା ମ୍ୟାଚ୍ ଶେଷ ହେବା ପରେ ଜଣାପଡ଼ିଛି । ସୂର୍ଯ୍ୟ କୁମାରଙ୍କ ୮୨ ଓ ଈଶାନଙ୍କ ୮୪ ରନ୍ ବଳରେ ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭର୍ରେ ୯ ୱିକେଟ ହରାଇ ୨୩୫ ରନ୍ କରିଛି । ଏହାର ଅର୍ଥ ହାଇଦ୍ରାବାଦକୁ ଦଳ ୬୫ କିମ୍ବା ତା’ ଠାରୁ କମ ରନ୍ରେ ରୋକିବାକୁ ପଡ଼ିବ । ନହେଲେ କୋଲକାତା ନାଇଟ ରାଇଡର୍ସ ପ୍ଲେ ଅଫରେ ପ୍ରବେଶ କରିବ ।
ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲେ । ବଡ଼ ସ୍କୋର ଦରକାର ଥିବାରୁ ରୋହିତ ଓ ଈଶାନ ବିସ୍ଫୋରକ ଆରମ୍ଭ କରିଥିଲେ । ବିଶେଷ କରି ଈଶାନ ବଡ଼ବଡ଼ ଶଟ ଖେଳି ଚାଲିଥିଲେ । ମାତ୍ର ୫ ଓଭର୍ରେ ଦଳ ୮୦ ରନ୍ ଯୋଡ଼ିବା ସହ ଈଶାନ ୧୬ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ । କିନ୍ତୁ ଦଳୀୟ ସ୍କୋର ୮୦ରେ ଥିବା ବେଳେ ରୋହିତ ୧୮ ରନ୍ କରି ରଶିଦ ଖାନଙ୍କ ବଲରେ ଆଉଟ ହୋଇଥିଲେ । ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟା (୧୦) ମଧ୍ୟ ବେଶୀ ସମୟ କ୍ରିଜରେ ତିଷ୍ଠି ପାରି ନଥିଲେ । ହେଲେ ଈଶାନ ତାଙ୍କ ଜଲୱା ଦେଖାଇ ଚାଲିଥିଲେ । ସେ ବଡ଼ବଡ଼ ଶଟ ଖେଳି ଦଳୀୟ ସ୍କୋରକୁ ୯ ଓଭର୍ରେ ୧୨୪ରେ ପହଂଚାଇ ଦେଇଥିଲେ । ଏହି ସମୟରେ ଉମରନ ମାଲିକ ତାଙ୍କୁ ଆଉଟ କରି ହାଇଦ୍ରାବାଦକୁ ତୃତୀୟ ସଫଳତା ଦେଇଥିଲେ । ଆଉଟ ହେବା ପୂର୍ବରୁ ଈଶାନ ୩୨ ବଲ୍ରେ ୧୧ ଚୌକା ଓ ୪ ଛକା ବଳରେ ୮୪ ରନ୍ର ଇନିଂସ ଖେଳିଥିଲେ । କାଏରନ ପୋର୍ଲାଡ ୧୩ ରନ କରି ଆଉଟ ହୋଇଥିବା ବେଳେ ଜିମ୍ମି ନୀଶାମ ଖାତା ଖୋଲି ପାରି ନଥିଲେ । ଉଭୟଙ୍କୁ କ୍ରମାଗତ ଦୁଇଟି ବଲରେ ଅଭିଷେକ ଶର୍ମା ଆଉଟ କରିଥିଲେ । ସୂର୍ଯ୍ୟ କୁମାର ଯାଦବ କ୍ରମାଗତ ଭାବେ ପଡ଼ିଆର ୪ ପାଖକୁ ଶଟ ଖେଳି ଦ୍ରୁତଗତିରେ ରନ ସଂଗ୍ରହ କରିଥିଲେ । ତାଙ୍କୁ ପ୍ରଥମେ କୃନାଲ ପାଣ୍ଡ୍ୟା(୯) ଓ ପରେ ନାଥକ କୁଲଟର ନାଇଲ(୩) କିଛି ସମୟ ପାଇଁ ସାଥ ଦେଇଥିଲେ । ସୂର୍ଯ୍ୟ କୁମାର ଶେଷ ଓଭରରେ ଆଉଟ ହେବା ପୂର୍ବରୁ ୪୦ ବଲ୍ରେ ୮୨ ରନ୍ କରିଥିଲେ । ଶେଷ ଦୁଇ ବଲରୁ ଯଶପ୍ରୀତ ବୁମ୍ରା ୫ ରନ୍ ଆଦାୟ କରିବାରୁ ମୁମ୍ବାଇ ୯ ୱିକେଟରେ ୨୩୫ ରନ କରିଥିଲା । ହାଇଦ୍ରାବାଦ ପକ୍ଷରୁ ଜେସନ ହୋଲ୍ଡର ୪ଟି ୱିକେଟ ନେଇଥିବା ବେଳେ ରଶିଦ ଖାନ ଓ ଅଭିଷେକ ଶର୍ମା ୨ଟି ଲେଖାଏ ସଫଳତା ହାସଲ କରିଛନ୍ତି । ସେହିପରି ଉମରନ ମାଲିକ ଗୋଟିଏ ୱିକେଟ ନେଇଛନ୍ତି ।
