ଆଇପିଏଲ୍-୨୦୨୨ : ମୁମ୍ବାଇକୁ ୫୨ ରନରେ ହରାଇଲା କୋଲକାତା, ପ୍ଲେ ଅଫ ଆଶା ଉଜ୍ଜିବୀତ
ମୁମ୍ବାଇ : ଆଇପିଏଲ୍-୨୦୨୨ର ୫୬ତମ ଲିଗ୍ ମୁକାବିଲାରେ ସୋମବାର ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହୋଇଥିଲେ । ପୁଣି ଥରେ ବ୍ୟାଟିଂ ବିଫଳତା କାରଣରୁ କୋଲକାତା ଠାରୁ ଶୋଚନୀୟ ପରାଜୟ ଭୋଗିଛି ମୁମ୍ଵାଇ । ୫ ଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସକୁ ୫୨ ରନରେ ହରାଇ ପ୍ଲେ ଅଫ ଆଶା ଉଜ୍ଜିବୀତ ରଖିଛି କୋଲକାତା । ଦଳ ୧୨ଶ ମ୍ୟାଚରୁ ପଞ୍ଚମ ବିଜୟ ହାସଲ କରି ପଏଣ୍ଟ ତାଲିକାର ସପ୍ତମ ସ୍ଥାନକୁ ଉଠିଛି। ଅନ୍ୟପଟେ ମୁମ୍ବାଇ ୧୧ଶ ମ୍ୟାଚରୁ ନବମ ପରାଜୟ ଭୋଗିଛି।
ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଆଜି ଟସ୍ ଜିତି କୋଲକାତାକୁ ପ୍ରଥମେ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲେ। ଦଳର ଦୁଇ ନୂଆ ଓପନର ଭେଙ୍କଟେଶ ଆୟର ଓ ଅଜିଙ୍କ୍ୟ ରାହାଣେ ଏହାକୁ ଭୁଲ ପ୍ରମାଣିତ କରି ଦମଦାର ବ୍ୟାଟିଂ କରିଥିଲେ। ଉଭୟ ଖରାପ ଫର୍ମ ଯୋଗୁ କିଛି ମ୍ୟାଚ୍ରୁ ବାଦ ପଡ଼ିଥିଲେ। ହେଲେ ଆଜି ସୁଯୋଗ ମିଳିବା ମାତ୍ରେ ଏହାର ଫାଇଦା ଉଠାଇଥିଲେ। ବିଶେଷ କରି ଭେଙ୍କଟେଶ ଆୟରଙ୍କ ବ୍ୟାଟରୁ ବଡ଼ବଡ଼ ଶଟ ଦେଖିବାକୁ ମିଳିଥିଲା। ସେ ରାହାଣେଙ୍କ ସହ ମିଶି ପ୍ରଥମ ୱିକେଟ ପାଇଁ ୫.୪ ଓଭରରେ ଦଳ ପାଇଁ ୬୦ ରନ୍ ଯୋଡ଼ିଥିଲେ। ତେବେ ୪୩ ରନ୍ କରିଥିବା ଭେଙ୍କେଟେଶଙ୍କୁ ଆଉଟ କରି କୁମାର କାର୍ତ୍ତିକେୟ ମୁମ୍ବାଇକୁ ପ୍ରଥମ ସଫଳତା ଦେଇଥିଲେ। ଆଉଟ ହେବା ପୂର୍ବରୁ ସେ ୪ ଛକା ଓ ୩ ଚୌକା ବଳରେ ୪୩ ରନ୍ର ଇନିଂସ ଖେଳିଥିଲେ। ୩ନଂରେ ବ୍ୟାଟିଂ କରିବାକୁ ଆସିଥିବା ନୀତୀଶ ରାଣା ମଧ୍ୟ ଆଟାକିଂ କ୍ରିକେଟ ଖେଳିଥିଲେ। ସେ ରାହାଣେଙ୍କ ମିଶି ଦଳୀୟ ସ୍କୋରକୁ ୮୭ରେ ପହଞ୍ଚାଇଥିଲେ। ଏତିକି ବେଳେ ରାହାଣେ(୨୫) କାର୍ତ୍ତିକେୟଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଶ୍ରେୟସ ଆୟର(୬) ପୁଣିଥରେ ସମସ୍ତଙ୍କୁ ନିରାଶ କରିଥିଲେ। ତାଙ୍କ ୱିକେଟ ମୁରଗାନ ଅଶ୍ୱିନଙ୍କ ଖାତାକୁ ଯାଇଥିଲା। ଶ୍ରେୟସ ଆଉଟ ହେବା ପରେ ଜଲୱା ଦେଖାଇଥିଲେ ବୁମ୍ରା। ସେ ପ୍ରଥମେ ବିସ୍ଫୋରକ ଆନ୍ଦ୍ରେ ରସେଲ(୯)ଙ୍କ ୱିକେଟ ନେଇଥିଲେ। ଏହାପରେ ୪୩ ରନ୍ କରିଥିବା ନୀତୀଶ ରାଣାଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ରାଣା ଆଉଟ ହେବା ପରେ ବୁମ୍ରାଙ୍କ ବୋଲିଂକୁ କୌଣସି କୋଲକାତା ବ୍ୟାଟର ଆଉ ସମ୍ମୁଖୀନ ହୋଇ ପାରିନଥିଲେ। ତାଙ୍କର ତୃତୀୟ ଶିକାର ବନିଥିଲେ ଶେଲଡନ ଜ୍ୟାକସନ। ୪ର୍ଥ ବ୍ୟାଟର ଭାବେ ପ୍ୟାଟ କମିନ୍ସଙ୍କୁ ଆଉଟ କରିଥିଲେ ବୁମ୍ରା। ସୁନୀଲ ନାରିନଙ୍କୁ ପ୍ୟାଭିଲିୟନ ପଠାଇ ସେ ନିଜର ୫ମ ୱିକେଟ ଦଖଲ କରିଥିଲେ। ଏହା ବୁମ୍ରାଙ୍କ ଆଇପିଏଲ କ୍ୟାରୟରର ସର୍ବଶ୍ରେଷ୍ଠ ବୋଲିଂ। ସେ ୪ ଓଭରେ ୧୦ ରନ୍ ଦେଇ ୫ଟି ୱିକେଟ ଦଖଲ କରିଛନ୍ତି। କୋଲକାତା ପାଇଁ ରିଙ୍କୁ ସିଂହ ଅପରାଜିତ ୨୩ ରନ୍ ଇନିଂସ୍ ଖେଳିଥିଲେ ମଧ୍ୟ ବୁମ୍ରାଙ୍କ ଶେଷ ଓଭର୍ରେ ମାତ୍ର ୧ ରନ୍ ହାସଲ କରିବାକୁ ସକ୍ଷମ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟିମ୍ ସାଉଦି ଖାତା ଖୋଲିବା ପୂର୍ବରୁ ଡାନିଏଲ ସାମ୍ସଙ୍କ ବଲରେ ଆଉଟ ହୋଇଥିଲେ। ଏଥିସହ କୋଲକାତା ନିର୍ଦ୍ଧାରିତ ୨୦ ଓଭର୍ରେ ୯ ୱିକେଟ ହରାଇ ୧୬୫ ରନ୍ରେ ଅଟକି ଥିଲା।
ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ନିୟମିତ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୭.୩ ଓଭରରେ ୧୧୩ ରନରେ ଅଲଆଉଟ୍ ହୋଇଛି। ଦଳ ୫୨ ରନରେ ପରାଜୟ ଭୋଗିଛି। ପାଟ୍ କମିନ୍ସ ୨୨ ରନ ଦେଇ ୩ଟି ଓ୍ଵିକେଟ୍ ଏବଂ ଆନ୍ଦ୍ରେ ରସେଲ ୨୨ ରନ ଦେଇ ୨ ଓ୍ଵିକେଟ୍ ନେଇ ବିଜୟ ଭୂମିକାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।
