ଆଇପିଏଲ-୨୦୨୩ : ପଞ୍ଜାବକୁ ୧୫ ରନ୍ରେ ହରାଇଲା ଦିଲ୍ଲୀ, ମଉଳିଲା ପଞ୍ଜାବର ପ୍ଲେ ଅଫ ଆଶା
ଧର୍ମଶାଳା : ଧର୍ମଶାଳାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୬୪ତମ ମ୍ୟାଚରେ ପଞ୍ଜାବକୁ ୧୫ ରନ୍ରେ ପରାସ୍ତ କରିଛି ଦିଲ୍ଲୀ । ଦ୍ବିତୀୟ ପାଳିରେ ପଞ୍ଜାବ ୨୧୪ ରନ୍ର ବିଶାଳ ଲକ୍ଷ୍ୟକୁ ପିଛା କରି ସମସ୍ତ ଓଭରରେ ୮ ୱିକେଟ ହରାଇ ୧୯୮ ରନ୍ କରି ପରାସ୍ତ ହୋଇଛି । ଏହି ବିଜୟ ସହ ଦିଲ୍ଲୀ ୧୦ ଅଙ୍କ ସଂଗ୍ରହ କରି ଟେବୁଲ ତାଲିକାର ୯ମରେ ଥିବା ବେଳେ ପଞ୍ଜାବ ୧୨ ଅଙ୍କ ସହ ୮ମ ସ୍ଥାନରେ ରହିଛି ।
ପ୍ରଥମେ ପଞ୍ଜାବ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ନୈରାଶ୍ୟଜନକ ଖେଳ ପ୍ରଦର୍ଶନ କରିଆସିଥିବା ଦିଲ୍ଲୀର ବ୍ୟାଟ୍ସମ୍ୟାନ ମାନେ ଆଜି ଚମକି ଥିଲେ । ଦୁଇ ଓପନର ଡେଭିଡ୍ ଓ୍ବାର୍ନର ଓ ପୃଥ୍ବୀ ଶ’ ପ୍ରଥମ ଓ୍ବିକେଟ ଯୋଡ଼ିରେ ୯୪ରନ କରିଥିଲେ । ଓ୍ବାର୍ନର ୪୬ରନ କରିଥିବାବେଳେ ପୃଥ୍ବୀ ଶ’ ୫୪ରନ କରିଥିଲେ । ଓ୍ବାର୍ନର ଆଉଟ ହେବାପରେ ଆସିଥିବା ରିଲି ରୋସୋ ବିସ୍ଫୋରକ ବ୍ୟାଟିଂ କରିଥିଲେ । ସେ ମାତ୍ର ୩୭ଟି ବଲ ଖେଳି ୬ ଛକା, ୬ ଚୌକା ସହ ୮୨ରନ କରିଥିଲେ । ଅନ୍ୟପଟେ ଓ୍ବିକେଟ କିପର ଫିଲିପ୍ସ ସଲ୍ଟ ୨୬ରନ କରି ତାଙ୍କୁ ସହାୟତା କରିଥିଲେ । ଦିଲ୍ଲୀ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୨ ଓ୍ବିକେଟ ହରାଇ ୨୧୩ ରନ କରିଥିଲା ।
ଜବାବରେ ପଞ୍ଜାବ କିଙ୍ଗ୍ସ ୮ ଓ୍ଵିକେଟ୍ ହରାଇ ୧୯୮ ରନ କରି ପାରିଛି। ଲିଭିଙ୍ଗଷ୍ଟୋନ ୯୪ ରନ ଏବଂ ଅର୍ଥବ ତାଇଡେ ୫୫ ରନର ଉପଯୋଗୀ ଇନିଂସ ଖେଳିଥିଲେ ହେଁ ଦଳକୁ ଜିତାଇ ପାରିନଥିଲେ। ପଞ୍ଜାବ ପକ୍ଷରୁ ଇଶାନ୍ତ ଶର୍ମା ଏବଂ ଅନରିଚ୍ ନୋର୍କିଆ ପ୍ରତ୍ୟେକ ୨ଟି ଲେଖାଏ ଓ୍ଵିକେଟ୍ ନେଇଥିଲେ।
