ଆଇପିଏଲ-୨୦୨୩ : ବାଙ୍ଗାଲୋରକୁ ୭ ୱିକେଟରେ ହରାଇଲା ଦିଲ୍ଲୀ, ପ୍ଲେ ଅଫ ଦୌଡ଼ରେ ସାମିଲ
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୩ର ୫୦ତମ ମ୍ୟାଚରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ୭ ୱିକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ। ଫିଲିପ ସଲ୍ଟଙ୍କ ନିର୍ମମ ପ୍ରହାରରେ ଧରାଶାୟୀ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ସଲ୍ଟଙ୍କ ବ୍ୟାଟିଂ ଆଗରେ ୧୮୨ ରନର ବିଜୟ ଲକ୍ଷ୍ୟ ଦିଲ୍ଲୀ ପାଇଁ ବହୁତ ଛୋଟ ପଡ଼ିଲା। ଶନିବାର ଅରୁଣ ଜେଟଲୀ କ୍ରିକେଟ୍ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଫିଲିପ ସଲ୍ଟଙ୍କ ଧୂଆଁଧାର ୮୭ ରନ ବଳରେ ବାଙ୍ଗାଲୋରକୁ ପରାସ୍ତ କରିଛି। ବିରାଟ କୋହଲିଙ୍କ ୫୫ ରନ, ଫାଫ ଡୁପ୍ଲେସିସ୍ଙ୍କ ୪୫ ଏବଂ ମହିପାଲ୍ ଲୋମରୋରଙ୍କ ଅପରାଜିତ ୫୪ ରନ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୮୧ ରନ କରିଥିଲା। ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୧୬.୪ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ବିଜୟ ଫଳରେ ଦିଲ୍ଲୀ କ୍ୟାପିଟାଲ୍ସର ଚଳିତ ଆଇପିଏଲରେ ପ୍ଲେ ଅଫ ଦୌଡ଼ରେ ତିଷ୍ଠି ପାରିଛି। ଦଳ ୧୦ମ ମ୍ୟାଚ୍ରୁ ଚତୁର୍ଥ ବିଜୟ ହାସଲ କରିଥିବା ବେଳେ ସେହି ସମାନ ସଂଖ୍ୟକ ମ୍ୟାଚ୍ରୁ ଆରସିବି ପଞ୍ଚମ ପରାଜୟ ଭୋଗିଛି।
ମ୍ୟାଚରେ ବାଙ୍ଗାଲୋର ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଓପନ କରିଥିବା ଅଧିନାୟକ ଫାଫ୍ ଡୁପ୍ଲେସିସ୍ ଓ ବିରାଟ କୋହଲି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । କୋହଲି ୫୫ରନ କରିଥିବାବେଳେ ଡୁପ୍ଲେସିସ୍ ୪୫ରନ କରିଥିଲେ । ମାତ୍ର ଗ୍ଲେନ ମାକ୍ସଓ୍ବେଲ ଖାତା ଖୋଲିପାରିନଥିଲେ । କିନ୍ତୁ ମହିପାଲ ଲାମରୋର ଲଢୁଆ ବ୍ୟାଟିଂ କରି ୨୯ଟି ବଲରେ ୩ ଛକା ୬ ଚୌକା ସହ ଅପରାଜିତ ୫୪ରନ କରିଥିଲେ । ତେବେ ଦିନେଶ କାର୍ତ୍ତିକ ମାତ୍ର ୧୧ ରନ କରି ଆଉଟ ହୋଇଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୮୧ ରନ କରିଥିଲା । ଦିଲ୍ଲୀ ପକ୍ଷରୁ ମିଚେଲ ମାର୍ସ ୨ଟି ଓ୍ବିକେଟ ନେଇଥିବାବେଳେ ଖଲିଲ ଅହମ୍ମଦ ଓ ମୁକେଶ କୁମାର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
୧୮୨ ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଓହ୍ଲାଇଥିବା ଦିଲ୍ଲୀର ଦୁଇ ଓପନର ଡେଭିଡ୍ ଓ୍ଵାର୍ଣ୍ଣର ଏବଂ ଫିଲିପ ସଲ୍ଟ ଆରମ୍ଭରୁ ଧୂଆଁଧାର ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟର ୫.୧ ଓଭରରେ ୬୦ ରନ ଯୋଡି ବିଜୟ ପାଇଁ ମୂଳଦୁଆ ପକାଇଥିଲେ। ଓ୍ଵାର୍ଣ୍ଣର ବ୍ୟକ୍ତିଗତ ୨୨ ରନ ସ୍କୋରରେ ଆଉଟ୍ ହୋଇଥିଲେ। ଏହା ପରେ ଫିଲିପ୍ ସଲ୍ଟ ବିସ୍ଫୋରକ ବ୍ୟାଟିଂ କରି ବାଙ୍ଗାଲୋର ବୋଲରଙ୍କୁ ନିର୍ମମ ପ୍ରହାର କରିଥିଲେ। ଆରସିବିର କୌଣସି ରଣନୀତି ତାଙ୍କ ଆଗରେ ଫେଲ୍ ମାରିଥିଲା। ସଲ୍ଟ ଏବଂ ମିଚେଲ୍ ମାର୍ଶ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୫୯ ରନ ଯୋଡି ଦଳର ସ୍କୋରକୁ ୧୧୯ ରନରେ ପହଞ୍ଚାଇଥିଲେ। ମାର୍ଶ ୨୬ ରନ କରି ବିଦାୟ ନେଇଥିଲେ। ଅନ୍ୟପଟେ ଅର୍ଦ୍ଧଶତକ ପୂରଣ କରିଥିଲେ ସଲ୍ଟ। ସେ ରିଲି ରୁସୋଙ୍କ ସହ ଦ୍ରୁତ ବ୍ୟାଟିଂ ଜାରି ରଖି ତୃତୀୟ ଓ୍ଵିକେଟ୍ରେ ଆଉ ଏକ ଅର୍ଦ୍ଧଶତକୀୟ ୫୨ ରନ ଯୋଡ଼ି ଦିଲ୍ଲୀ ବିଜୟ ସୁନିଶ୍ଚିତ କରିଥିଲେ। ୧୭୧ ରନ ସ୍କୋରରେ ସଲ୍ଟ ପାଭିଲିୟନ ଫେରିଥିଲେ। ସେ ମାତ୍ର ୪୫ ବଲରୁ ୮ ଚୌକା ଏବଂ ୬ ଛକା ସହ ୮୭ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ। ରୁସୋ ୩୫ ରନ ଏବଂ ଅକ୍ଷର ପଟେଲ୍ ୮ ରନରେ ଅପରାଜିତ ରହି ଦିଲ୍ଲୀ ବିଜୟର ଔପଚାରିକତା ପୂରଣ କରିଥିଲେ। ଏଥିସହ ଦିଲ୍ଲୀ ୧୬.୪ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।
