ଆଇପିଏଲ-୨୦୨୨ : କୋଲକାତାକୁ ୧୫୩ ରନ୍ର ଟାର୍ଗେଟ ଦେଲା ରାଜସ୍ଥାନ
ମୁମ୍ବାଇ: ଅଧିନାୟକ ସଞ୍ଜୁ ସାମସନଙ୍କ ଅର୍ଦ୍ଧଶତକ ସତ୍ତ୍ଵେ ରାଜସ୍ଥାନ ରୟାଲ୍ସ ଆଇପିଏଲର ୪୭ତମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୫୨ ରନ କରିଛି। ସଞ୍ଜୁ ସାମସନ ସର୍ବାଧିକ ୫୪ ରନ କରିଛନ୍ତି। ସିମରନ ହେଟମାୟର ଦ୍ରୁତ ୨୭ ରନ କରିବାରୁ ରାଜସ୍ଥାନ ଏହି ସ୍କୋରରେ ପହଞ୍ଚି ପାରିଛି। ଟୁର୍ଣ୍ଣାମେଣ୍ଟରେ ତିଷ୍ଠି ରହିବାକୁ ହେଲେ ଲୋଲକାତାକୁ ୧୫୩ ରନ କରିବାକୁ ପଡିବ। କୋଲକାତା ନାଇଟ୍ ରାଇଡର୍ସର ମାପଚୁପ ବୋଲିଂ ରାଜସ୍ଥାନକୁ ବଡ ସ୍କୋର କରିବାକୁ ଦେଇ ନାହିଁ। କୋଲକାତା ପକ୍ଷରୁ ଟିମ୍ ସାଉଦି ୪୬ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ଏହା ପୂର୍ବରୁ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ସୁନିଲ ନାରିନ କୌଣସି ସଫଳତା ପାଇନଥିଲେ ବି ସବୁଠୁ କମ ରନ ଦେଇଛନ୍ତି। ରାଜସ୍ଥାନ ପକ୍ଷରୁ ବଟଲର ୨୨ ରନ କରିଥିଲେ ହେଁ ୨୫ଟି ବଲ୍ ଖେଳିଥିଲେ। ରିଆନ ପରାଗ ୧୯ ରନ କରିଥିଲେ।
କୋଲାକାତା ଲଗାତର ୫ଟି ମ୍ୟାଚ୍ ହାରିଥିଲେ ମଧ୍ୟ ଆଜି ମୁମ୍ବାଇର ୱାଙ୍ଖଡେରେ ଭଲ ଷ୍ଟାର୍ଟ କରିଥିଲା। ୩ୟ ଓଭର୍ରେ ହିଁ ଉମେଶ ଯାଦବ ମାତ୍ର ୨ ରନ୍ କରିଥିବା ଦେବଦତ୍ତ ପାଡିକ୍କଲଙ୍କୁ ଆଉଟ କରିଥିଲେ। ଇନଫର୍ମ ଜୋଶ ବଟଲର ଓ ସାମସନ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ମଧ୍ୟ ବେଶୀ ସମୟ କ୍ରିଜ୍ରେ ତିଷ୍ଠି ପାରି ନଥିଲେ। ବଟଲର ୨୨ ରନ୍ କରିଥିବା ବେଳେ ତାଙ୍କୁ ଟିମ୍ ସାଉଦି ବାଉଣ୍ଡରୀ ପାଖରେ ଆଉଟ କରି ରାଜସ୍ଥାନକୁ ସବୁ ଠାରୁ ବଡ଼ ଝଟକା ଦେଇଥିଲେ। କରୁଣ ନାଏର ୧୩ ଓ ରିୟାନ ପରାଗ ୧୯ ବେଶୀ କିଛି ପାରି ନଥିଲେ। ନାଏରଙ୍କୁ ଅଙ୍କୁଲ ରୟ ଓ ପରାଗଙ୍କୁ ସାଉଦି ପ୍ୟାଭିଲିୟନ ପଠାଇଥିଲେ। ଗୋଟିଏ ପଟେ ୱିକେଟ ଯାଉଥିଲେ ମଧ୍ୟ ସାମସନ ଦମଦାର ବ୍ୟାଟିଂ କରି ଚାଲିଥିଲେ। ଏଥିସହ ସେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୫୪ ରନ୍ କରିଥିଲେ ମଧ୍ୟ ୪୯ ବଲର ସମ୍ମୁଖୀନ ହୋଇଛନ୍ତି। ଦଳୀୟ ସ୍କୋର ୧୧୫ ଥିବା ବେଳେ ଶିବମ ମାଭିଙ୍କ ବଲରେ ବଡ଼ ଶଟ ଖେଳିବା ଲୋଭରେ ସାମସନ ଆଉଟ ହୋଇଥିଲେ। ଏହି ଇନିଂସରେ ୭ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି। ଶେଷ ଭାଗରେ ଶିମରନ ହେଟମେୟର ୧୩ ବଲରେ ଅପରାଜିତ ୨୭ ଓ ରବି ଅଶ୍ୱିନ ୫ ବଲରେ ୬ ରନ୍ କରିବାରୁ ରାଜସ୍ଥାନ ୧୫୨ରେ ପହଞ୍ଚିବାକୁ ସକ୍ଷମ ହୋଇଛି। ହେଟମେୟର ତାଙ୍କ ଇନିଂସରେ ଗୋଟିଏ ଚୌକା ଓ ୨ଟି ଛକା ମାରିଛନ୍ତି। କୋଲକାତା ପକ୍ଷରୁ ଟିମ ସାଉଦି ୨ଟି ୱିକେଟ ନେଇଥିବା ବେଳେ ଉମେଶ ଯାଦବ, ଅଙ୍କୁଲ ରୟ ଓ ମାଭି ଗୋଟିଏ ଲେଖାଏ ସଫଳତା ପାଇଛନ୍ତି। କୋଲକାତା ପାଇଁ ଆଜିର ମ୍ୟାଚ୍ କର ବା ମର ସଦୃଶ। କାରଣ ଆଜି ମ୍ୟାଚ୍ ହାରିଲେ କୋଲକାତାର ପ୍ଲେ ଅଫର ଆଶା ଏକ ପ୍ରକାରର ମଉଳି ଯିବ। କୋଲକାତାର ଆନ୍ଦ୍ରେ ରସେଲ ମଧ୍ୟ ସମାନ କଥା କହିଛନ୍ତି। ଟୁର୍ଣ୍ଣାମେଣ୍ଟର ବାକି ୫ଟି ଯାକ ମ୍ୟାଚ୍ ତାଙ୍କ ଦଳ ପାଇଁ ଫାଇନାଲ ସଦୃଶ ବୋଲି ରସେଲ ମ୍ୟାଚ୍ ପୂର୍ବରୁ କହିସାରିଛନ୍ତି।
