ଆଇପିଏଲ-୨୦୨୨ : ଦିଲ୍ଲୀକୁ ୧୬୧ ରନ୍ର ଟାର୍ଗେଟ ଦେଲା ରାଜସ୍ଥାନ
ମୁମ୍ବାଇ : ଆଇପିଏଲ-୨୦୨୨ର ୫୮ତମ ମୁକାବିଲାରେ ବୁଧବାର ରବିଚନ୍ଦ୍ରନ ଅଶ୍ଵିନ ଏବଂ ଦେବଦତ୍ତ ପାଡିକଲଙ୍କ ଉପଯୋଗୀ ବ୍ୟାଟିଂ ବଳରେ ୬ ଓ୍ଵିକେଟ୍ ହରାଇ ୧୬୦ ରନ କରିଛି ରାଜସ୍ଥାନ ରୟାଲ୍ସ। କର ବା ମର ମୁକାବିଲାରେ ଦିଲ୍ଲୀ ସମ୍ମୁଖରେ ରହିଛି ୧୬୧ ରନର ବିଜୟ ଲକ୍ଷ୍ୟ। ରାଜସ୍ଥାନ ପକ୍ଷରୁ ରବିଚନ୍ଦ୍ରନ ଅଶ୍ଵିନ ୫୦ ରନ କରିଥିବା ବେଳେ ଦେବଦତ୍ତ ପାଡିକଲ ୪୮ ରନ କରିଛନ୍ତି। ଶେଷ ଆଡକୁ ଦିଲ୍ଲୀର ମାପଚୁପ ବୋଲିଂ କାରଣରୁ ରାଜସ୍ଥାନ ବଡ ସ୍କୋର କରି ପାରିନାହିଁ। ଦିଲ୍ଲୀ ପକ୍ଷରୁ ଚେତନ ସକାରିଆ, ମିଚେଲ ମାର୍ଶ ଏବଂ ଅନରିଚ ନୋର୍ତ୍ତଜେ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଏହା ପୂର୍ବରୁ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ବୋଲିଂ ନିଷ୍ପତ୍ତି ନେଇଥିଲା।
ଆଜିର ମ୍ୟାଚ୍ରେ ଦିଲ୍ଲୀ ଅଧିନାୟକ ଋଷଭ ପନ୍ତ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ସଠିକ୍ ସାବ୍ୟସ୍ତ କରି ଯୁବ ତାରକା ଚେତନ ସକାରିୟା ଇନଫର୍ମ ଜୋଶ ବଟଲର(୭)ଙ୍କୁ ନିଜର ଦ୍ୱିତୀୟ ଓଭର୍ରେ ପ୍ୟାଭିଲିୟନ ପଠାଇ ଦେଇଥିଲେ। ଏହାପରେ ଯଶ୍ୱସୀ ଜୈସୱାଲ ଓ ଅଶ୍ୱିନ ସ୍ଥିତି ସମ୍ଭାଳିବା ସହ ଦଳୀୟ ସ୍କୋରକୁ ୫୪ରେ ପହଞ୍ଚାଇଥିଲେ। ଏତିକି ବେଳେ ବଡ଼ ଶଟ ଖେଳିବା ଲୋଭରେ ଜୈସୱାଲ(୧୯) ମିଚେଲ ମାର୍ଶଙ୍କ ଶିକାର ବନିଥିଲେ। ଅଶ୍ୱିନ ଓ ପାଡିକ୍କଲ ତୃତୀୟ ୱିକେଟ ପାଇଁ ପୁଣି ଗୋଟିଏ ଭଲ ଭାଗିଦାରୀ କରିଥିଲେ। ଏଥିସହ ଦଳୀୟ ସ୍କୋରକୁ ୧୦୭ରେ ପହଞ୍ଚାଇଥିଲେ। ଅଶ୍ୱିନ ମଧ୍ୟ ଚଳିତ ଆଇପିଏଲରେ ନିଜର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ଏହାପରେ ସେ ନିଜର କିମ୍ବା ଦଳୀୟ ସ୍କୋରକୁ ଆଗକୁ ନେଇ ପାରି ନଥିଲେ। ୩୮ ବଲ୍ରେ ୫୦ ରନ୍ କରିଥିବା ଅଶ୍ୱିନଙ୍କୁ ଆଉଟ କରି ମାର୍ଶ ରାଜସ୍ଥାନକୁ ତୃତୀୟ ଝଟକା ଦେଇଥିଲେ। ଅଶ୍ୱିନ ତାଙ୍କ ଇନିଂସରେ ୨ଟି ଛକା ଓ ୪ଟି ଚୌକା ମାରିଛନ୍ତି। ଏହାପରେ ରାଜସ୍ଥାନ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଅଧିନାୟକ ସଞ୍ଜୁ ସାମସନ(୬) ଓ ରିୟାନ ପରାଗ(୯) ସମସ୍ତଙ୍କୁ ନିରାଶ କରିଥିଲେ। ସେହିପରି ୧୯ତମ ଓଭର୍ ବୋଲିଂ କରୁଥିବା ଅନରିଚ ନୋର୍ଖିୟା ୪୮ ରନ କରିଥିବା ପାଡିକ୍କଲଙ୍କୁ ଆଉଟ କରି ରାଜସ୍ଥାନର ରନ ସଂଗ୍ରହ ହାରରେ ରୋକ ଲଗାଇ ଦେଇଥିଲେ। ଶେଷ ଭାଗରେ ରସେଇ ଭାନ ଡେର ଡୁସେନ ବଡ଼ ଶଟ ଖେଳିବାକୁ ଚାହିଁଥିଲେ ମଧ୍ୟ ଦିଲ୍ଲୀ ବୋଲରମାନେ ତାଙ୍କୁ କୌଣସି ସୁଯୋଗ ଦେଇ ନଥିଲେ। ସେ ଶେଷ ଯାଏ ୧୦ ବଲରେ ୧୨ ଓ ଟ୍ରେଣ୍ଟ ବୋଲ୍ଟଙ୍କ ଅପରାଜିତ ୩ ରନ୍ ବଳରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭର୍ରେ ୬ ୱିକେଟ ହରାଇ ୧୬୦ ରନ୍ କରିବାକୁ ସକ୍ଷମ ହୋଇଥିଲା। ଦିଲ୍ଲୀ ପକ୍ଷରୁ ମାର୍ଶ, ନୋର୍ଖିୟା ଓ ସକାରିୟା ୨ଟି ଲେଖାଏ ୱିକେଟ ନେଇଛନ୍ତି।
