ଆଇପିଏଲ-୨୦୨୨ : ମୁମ୍ଵାଇକୁ ୨୩ ରନରେ ହରାଇଲା ରାଜସ୍ଥାନ
ମୁମ୍ବାଇ : ଆଇପିଏଲ-୨୦୨୨ର ନବମ ଲିଗ୍ ମୁକାବିଲାରେ ଶନିବାର ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚରେ ୫ ଥରର ଚାମ୍ପିଅନ ମୁମ୍ଵାଇ ଇଣ୍ଡିଆନ୍ସକୁ ୨୩ ରନରେ ପରାସ୍ତ କଲା ରାଜସ୍ଥାନ । ଏହି ବିଜୟ ସହ ରାଜସ୍ଥାନ କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରିଛି। ଜୋସ୍ ବଟଲରଙ୍କ ଶତକ ବଳରେ ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୯୩ ରନ କରିଥିଲା। ତାଙ୍କ ବ୍ୟତୀତ ସିମରନ ହେଟମାୟର ୩୫ ଏବଂ ସଞ୍ଜୁ ସାମସନ ୩୦ ରନ କରିଥିଲେ। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟକ୍ରମ ବ୍ୟାଟସମ୍ୟାନଙ୍କ ବିଫଳତା କାରଣରୁ ବିଜୟ ଲକ୍ଷ୍ୟରୁ ୨୪ ରନ ପଛରେ ରହି ଯାଇଛି। ମୁମ୍ବାଇ ପକ୍ଷରୁ ତିଳକ ବର୍ମା ୬୧ ଏବଂ ଇଶାନ କିଷନ ୫୪ ରନ କରିଥିଲେ ହେଁ ବିଜୟ ପାଇଁ ଏହା ପର୍ଯ୍ୟାପ୍ତ ନଥିଲା। ମୁମ୍ବାଇ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୭୦ ରନ କରି ପାରିଛି। ବୋଲରଙ୍କ ଶୃଙ୍ଖଳିତ ବୋଲିଂ ଫଳରେ ରାଜସ୍ଥାନ ବିଜୟ ହାସଲ କରିଛି। ରାଜସ୍ଥାନ ପକ୍ଷରୁ ୟୁଜବେନ୍ଦ୍ର ଚହଲ ୨୬ ରନ ଦେଇ ୨ଟି ଏବଂ ନବଦୀପ ସାଇନି ୩୬ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି।
ସୂଚନା ଯେ, ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ଦଳୀୟ ସ୍କୋର ୧୩ ରନରେ ଯଶସ୍ଵୀ ଜୟସଓ୍ଵାଲ(୧)ଙ୍କ ଓ୍ଵିକେଟ୍ ହରାଇଥିଲା। ପରେ ଦେବଦତ୍ତ ପାଡିକଲ(୭) ପାଭିଲିୟନ ଫେରିଥିଲେ। ଏହା ପରେ ଜସ ଟବଲର ଏବଂ ସଞ୍ଜୁ ସାମସନ ବିସ୍ଫୋରକ ବ୍ୟାଟିଂ କରିଥିଲେ। ବିଶେଷ କରି ବଟଲର ବାସିଲ ଥମ୍ପିଙ୍କ ଗୋଟିଏ ଓଭରରେ ୨୬ ରନ କରି ରନ ଗତିକୁ ବଢାଇଥିଲେ। ଉଭୟ ବ୍ୟାଟସମ୍ୟାନ ତୃତୀୟ ଓ୍ଵିକେଟ୍ ଓ୍ଵିକେଟ୍ରେ ୮୨ ରନ ଯୋଡି ବଡ ସ୍କୋରର ମୂଳଦୁଆ ପକାଇଥିଲେ। ସାମସନ ୨୧ ବଲରୁ ୧ ଚୌକା ଏବଂ ୩ ଛକା ସହ ୩୦ ରନ କରି ଆଉଟ୍ ହୋଇଥିଲେ। ଅନ୍ୟପଟେ ବଟଲର ନିଜର ଦ୍ରୁତ ବ୍ୟାଟିଂ ଜାରି ରଖିଥିଲେ। ହେଟ ମାୟର କ୍ରିଜକୁ ଆସିବା ମାତ୍ରେ ମାତ୍ର ୧୪ ବଲରୁ ୩ ଟି ଲେଖାଏଁ ଚୌକା ଏବଂ ଛକା ବଳରେ ୩୫ ରନ କରିଥିଲେ। ଏହା ପରେ ରାଜସ୍ଥାନ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ଏହା ମଧ୍ୟରେ ବଟଲର ଆଇପିଏଲରେ ୬୬ ବଲ୍ରୁ ଦ୍ଵିତୀୟ ଶତକ ପୂରଣ କରିଥିଲେ। କ୍ଲିନ ବୋଲ୍ଡ କରି ବୁମରା ବଟରଲଙ୍କ ଇନିଂସରେ ପୂର୍ଣ୍ଣଛେଦ ପକାଇଥିଲେ। ବଟଲର ୬୮ ବଲ୍ରୁ ୧୧ ଚୌକା ଏବଂ ୫ ଛକା ବଳର ୧୦୦ ରନ କରିଥିଲେ। ଶେଷ ଆଡକୁ ମୁମ୍ବାଇ ବୋଲର ରନ ଗତି ଉପରେ ଅଙ୍କୁଶ ଲଗାଇବାରୁ ରାଜସ୍ଥାନ ୨୦୦ ରନ ରକି ପାରିନଥିଲା। ଦଳ ୮ ଓ୍ଵିକେଟ୍ ହରାଇ ୧୯୩ ରନ କରିଛି।
