ଆଇପିଏଲ୍-୨୦୨୨ : ହାଇଦ୍ରାବାଦକୁ ୫ ଓ୍ଵିକେଟ୍ରେ ହରାଇଲା ପଞ୍ଜାବ
ମୁମ୍ବାଇ: ଆଇପିଏଲ-୨୦୨୨ର ଶେଷ ଲିଗ ମ୍ୟାଚରେ ରବିବାର ଉଭୟ ବ୍ୟାଟିଂ ଏବଂ ବୋଲିଂରେ ପ୍ରଭାବଶାଳୀ ବୋଲିଂ ବଳରେ ପଞ୍ଜାବ କିଙ୍ଗ୍ସ ସନରାଇଜର୍ସ ହାଇଦ୍ରାବାଦକୁ ୫ ଓ୍ଵିକେଟରେ ହରାଇଛି। ବିଜୟ ସହ ପଞ୍ଜାବ ନିଜର ଅଭିଯାନ ଶେଷ କରିଥିବା ବେଳେ ହାଇଦ୍ରାବାଦ ଅଷ୍ଟମ ପରାଜୟ ସହ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି।
ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଅନୁଷ୍ଠିତ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ସନରାଇଜର୍ସ ହାଇଦ୍ରାବାଦ ୮ ଓ୍ଵିକେଟ୍ ହରାଇ ୧୫୭ ରନ କରିଛି। ହାଇଦ୍ରାବାଦ ତରଫରୁ ଅଭିଷେକ ଶର୍ମା ସର୍ବାଧିକ ୪୩ ରନ କରିଛନ୍ତି। ରୋମାରିଓ ଶେଫାର୍ଡ ୨୬ ରନ, ଓ୍ଵାଶିଂଟନ ସୁନ୍ଦର ୨୫ ରନ, ଆଡନ ମାରକ୍ରମ ୨୧ ଏବଂ ରାହୁଲ ତ୍ରିପାଠୀ ୨୦ ରନ କରିଛନ୍ତି। କୌଣସି ବ୍ୟାଟସମ୍ୟାନ ବଡ ସ୍କୋର କରିନପାରିବାରୁ ହାଇଦ୍ରାବାଦ ୧୫୭ ରନରେ ସୀମିତ ରହିଥିଲା। ପଞ୍ଜାବ ପକ୍ଷରୁ ହରପ୍ରୀତ ବ୍ରାର ୨୬ ରନ ଦେଇ ୩ ଏବଂ ନାଥନ ଏଲିସ ୪୧ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିଲେ।
ଲିୟାମ ଲିଭିଙ୍ଗଷ୍ଟୋନଙ୍କ ଅପରାଜିତ ୪୯ ରନ ସହାୟତାରେ ପଞ୍ଜାବ ହାଇଦ୍ରାବାଦ ଦ୍ଵାରା ଧାର୍ଯ୍ୟ ୧୫୮ ରନ ବିଜୟ ଲକ୍ଷ୍ୟକୁ ୧୫.୧ ଓଭରରେ ୫ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ଶିଖର ଧାଓ୍ଵନ ୩୯ ରନ କରିଥିବା ବେଳେ ଜୋନି ବେୟାରଷ୍ଟୋ ୨୩ ଏବଂ ଜିତେଶ ଶର୍ମା ୧୯ ରନ କରିଛନ୍ତି। ହାଇଦ୍ରାବାଦ ତରଫରୁ ଫଜଲହକ ଫାରୁକି ସର୍ବାଧିକ ଦୁଇଟି ଓ୍ଵିକେଟ୍ ନେଇଛନ୍ତି। ଲିଗ୍ ପର୍ଯ୍ୟାୟ ଶେଷ ପରେ ଏବେ ପ୍ଲେ ଅଫ ଉପରେ ସଭିଙ୍କ ନଜର।
