ଆଇପିଏଲ-୨୦୨୨ : ଚେନ୍ନାଇକୁ ୫୪ ରନରେ ପରାସ୍ତ କଲା ପଞ୍ଜାବ
ମୁମ୍ବାଇ : ଆଇପିଏଲ-୨୦୨୨ର ୧୧ତମ ଲିଗ୍ ମ୍ୟାଚ୍ରେ ରବିବାର ଚେନ୍ନାଇ ସୁପରକିଙ୍ଗ୍ସ ଓ ପଞ୍ଜାବ କିଙ୍ଗ୍ସ ମୁହାଁମୁହିଁ ହୋଇଥିଲେ । ଏଥିରେ ଲିୟାମ ଲିଭିଙ୍ଗଷ୍ଟୋନଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବଳରେ ପଞ୍ଜାବ ଚେନ୍ନାଇକୁ ୫୪ ରନରେ ପରାସ୍ତ କରିଛି। ଏଥି ସହ ପଞ୍ଜାବ ତିନୋଟି ମ୍ୟାଚ୍ରୁ ଦ୍ଵିତୀୟ ବିଜୟ ହାସଲ କରିଛି। ଅନ୍ୟପଟେ ଚେନ୍ନାଇ ନିଜର କ୍ରମାଗତ ତିନୋଟି ମ୍ୟାଚ୍ରେ ପରାଜିତ ହୋଇଛି।
ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୮୦ ରନ୍ ସଂଗ୍ରହ କରିଛି । ଫଳରେ ସିଏସକେ ସାମ୍ନାରେ ୧୮୧ ରନ୍ର ବିଜୟ ଲକ୍ଷ୍ୟ ରହିଛି । ପଞ୍ଜାବ ପକ୍ଷରୁ ଲିଆମ ଲିଭିଂଷ୍ଟୋନ ୩୨ ବଲ୍ରୁ ସର୍ବାଧିକ ୬୦ ରନ୍ର ଇଂନିସ ଖେଳିଛନ୍ତି । ଅନ୍ୟପଟେ ସିଏସକେ ପକ୍ଷରୁ ଡ୍ବାଇନ ପ୍ରିଟୋରିସ ଓ କ୍ରିସ ଜୋର୍ଡାନ ଦୁଇଟି ଲେଖାଏଁ ୱିକେଟ ହାତେଛନ୍ତି । ମ୍ୟାଚ୍ର ଦ୍ବିତୀୟ ବଲ୍ରେ ମୁକେଶ ଚୌଧୁରୀ, ପଞ୍ଜାବ କ୍ୟାପଟେନ ମୟଙ୍କ ଅଗ୍ରୱାଲଙ୍କୁ ଆଉଟ୍ କରି ସିଏସକେ କ୍ୟାପଟେନ ଜାଡେଜାଙ୍କ ଟସ୍ ଜିତି ବୋଲିଂ ନିଷ୍ପତିକୁ ସଠିକ୍ ପ୍ରମାଣିତ କରିଥିଲେ । ପରେ ଭାନୁକା ରାଜପକ୍ସାଙ୍କୁ ଧୋନି ରନଆଉଟ୍ କରିବା ପରେ ପଞ୍ଜାବର ସ୍କୋର ୧୪/୨ ହୋଇଥିଲା । ତେବେ ଓପନର ଶିଖର ଧାୱନ ଓ ଲିଆମ ଲିଭିଂଷ୍ଟୋନଙ୍କ ମଧ୍ୟରେ ୯୫ ରନ୍ର ଭାଗିଦାରୀ ହୋଇଥିଲା । ଧାୱନ ୨୪ ବଲ୍ରୁ ୩୩ରନ୍ର ଇଂନିସ ଖେଳି ପାଭିଲିୟନ ଫେରିଥିଲେ । ତେବେ ଲିଭିଂଷ୍ଟୋନ ଚେନ୍ନାଇ ବୋଲରଙ୍କୁ ନିରାଶ କରିବା ସହ ୩୨ ବଲ୍ରୁ ଧୁଆଁଧାର ୬୦ ରନ୍ର ଇଂନିସ ଖେଳିଥିଲେ । ଫଳରେ ଚେନ୍ନାଇ ସାମ୍ନାରେ ୧୮୧ ରନ୍ର ବଡ ଟାର୍ଗେଟ ରଖିପାରିଥିଲା ପଞ୍ଜାବ ।
୧୮୧ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଚେନ୍ନାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ୩୬ ରନରେ ୫ ଓ୍ଵିକେଟ୍ ହରାଇ ସଙ୍କଟରେ ଥିଲା। ଋତୁରାଜ ଗାଏକଓ୍ଵାଡ(୧), ରବିନ ଉଥପ୍ପା(୧୩), ମୋଇନ ଅଲ୍ଲୀ(୦), ଅମ୍ବତି ରାୟୁଡୁ(୧୩) ଓ ଅଧିନାୟକ ଜାଡେଜା ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ତେବେ ଶିବମ ଦୁବେ ଏବଂ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳର ସ୍ଥିତିରେ ସୁଧାର ଆଣିଥିଲେ। ଦୁବେ ଗୋଟିଏ ପଟେ ବିସ୍ଫୋରକ ବ୍ୟାଟିଂ କରିଥିବା ବେଳେ ଅନ୍ୟପଟୁ ଧୋନୀ କ୍ରିଜରେ ଜମି ତାଙ୍କୁ ଉତ୍ତମ ସହଯୋଗ କରିଥିଲେ। ଉଭୟ ବ୍ୟାଟସମ୍ୟାନ କ୍ରିଜରେ ଥିବା ପର୍ଯ୍ୟନ୍ତ ଚେନ୍ନାଇ ଶିବିରରେ ବିଜୟ ଆଶା ରହିଥିଲା। ବୀପରିତ ସ୍ଥିତିରେ ଦୁବେ ୩୦ ବଲ୍ରୁ ୬ ଚୌକା ଓ ୩ ଚୌକା ସହ ୫୭ ରନ କରିଥିଲେ। ଧୋନୀ ଏବଂ ଦୁବେ ଷଷ୍ଠ ଓ୍ଵିକେଟ୍ରେ ୬୨ ରନ ଯୋଡିଥିଲେ। ଦୁବେ ଆଉଟ୍ ହେବା ପରେ ଚେନ୍ନାଇର ସବୁ ଆଶା ମଉଳି ଯାଇଥିଲା। ଡ୍ଵେନ ବ୍ରାଭୋ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ଶେଷ ଆଡକୁ ଧୋନୀ ୨୩ ରନ କରି ଆଉଟ୍ ହୋଇ ଥିଲେ। ଚେନ୍ନାଇ ୧୮ ଓଭରରେ ୧୨୬ ରନ କରିବାକୁ ସକ୍ଷମ ହୋଇଛି। ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଲିୟାମ ଲିଭିଙ୍ଗଷ୍ଟୋନ ବ୍ୟାଟିଂ ଏବଂ ବୋଲିଂରେ କମାଲ ପ୍ରଦର୍ଶନ କରି ପଞ୍ଜାବକୁ ବିଜୟୀ କରାଇଛନ୍ତି। ପଞ୍ଜାବ ପକ୍ଷରୁ ରାହୁଲ ଚହର ୨୫ ରନ ଦେଇ ୩ଟି, ଲିଭିଙ୍ଗଷ୍ଟୋନ ୨୫ ରନ ଦେଇ ୨ଟି ଏବଂ ବୈଭବ ୨୧ ରନ ଦେଇ ୨ଟି ଓ୍ଵିକେଟ୍ ନେଇ ପଞ୍ଜାବକୁ ସହଜ ବିଜୟ ଦେଇଛନ୍ତି।
