ଆଇପିଏଲ-୨୦୨୨ : ଆଜି ମୁହାଁମୁହିଁ ହେବେ ମୁମ୍ବାଇ-ରାଜସ୍ଥାନ
ମୁମ୍ବାଇ : ଆଇପିଏଲ-୨୦୨୨ର ନବମ ଲିଗ୍ ମୁକାବିଲାରେ ଆଜି ଏକ ହାଇଭୋଲଟେଜ୍ ମୁକାବିଲା ଦେଖିବାକୁ ମିଳିବ । ଶନିବାର ଅପରାହ୍ନ ୩ଟା ୩୦ମିନିଟ ସମୟରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ । ଦିଲ୍ଲୀ କ୍ୟାପିଟାଲ୍ସଠୁ ପ୍ରଥମ ମ୍ୟାଚ ହାରି ଅଭିଯାନ ଆରମ୍ଭ କରିଥିବା ମୁମ୍ବାଇ ଏହି ମ୍ୟାଚ୍ ଜରିଆରେ ଖାତା ଖୋଲିବା ପାଇଁ ଯୋଜନା ପ୍ରସ୍ତୁତ କରିଛି। ସେହିପରି ରାଜସ୍ଥାନ ଦଳ ବିଜୟଧାରା ଜାରି ରଖିବା ଲକ୍ଷ୍ୟରେ ରହିଛି ।
ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ମ୍ୟାଚ୍ରେ କ୍ୟାପିଟାଲ୍ସ ନିକଟରୁ ୪ ୱିକେଟରେ ପରାସ୍ତ ହୋଇଥିଲା । ମଧ୍ୟକ୍ରମ ବ୍ୟାଟିଂ ବିଫଳତା ଦଳ ପରାଜୟର ଅନ୍ୟତମ କାରଣ ଥିଲା । ଦ୍ୱିତୀୟ ମ୍ୟାଚ୍ ପୂର୍ବରୁ ଯଥେଷ୍ଟ ଅଭ୍ୟାସ ସମୟ ମିଳିଥିବାରୁ ଦଳ ପୂର୍ବ ତ୍ରୁଟି ସୁଧାରି ନେଇଛି । ଇତିମଧ୍ୟରେ ଷ୍ଟାର୍ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ସମ୍ପୂର୍ଣ୍ଣ ଫିଟ୍ ହୋଇ ଦଳକୁ ଫେରିଛନ୍ତି । ତେଣୁ ପ୍ରଥମ ମ୍ୟାଚ୍ ଖେଳିଥିବା ଅନମୋଲପ୍ରୀତ ସିଂହ ଏକାଦଶରୁ ବାଦ ପଡ଼ିବେ । ରୋହିତ (୪୧) ଓ ଈଶାନ କିଷନ (ଅପରାଜିତ ୮୧) ପ୍ରଥମ ମ୍ୟାଚ୍ରେ ଧୂଆଁଧାର ବ୍ୟାଟିଂ କରି ଫର୍ମରେ ଥିବା ପ୍ରମାଣିତ କରିଛନ୍ତି । କିଷନ ଆଇପିଏଲ୍ରେ କ୍ରମାନ୍ୱୟରେ ପଞ୍ଚମ ଅର୍ଦ୍ଧଶତକ ଲକ୍ଷ୍ୟରେ ରହିଛନ୍ତି । ପ୍ରଥମ ମ୍ୟାଚ୍ରେ ଯଶପ୍ରୀତ ବୁମରା ଓ ଡାନିଲ୍ ସାମ୍ସ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ । ସାମ୍ସଙ୍କ ସ୍ଥାନରେ ଫାବିଆନ୍ ଆଲେନ୍ଙ୍କୁ ସୁଯୋଗ ମିଳିପାରେ । ଶନିବାର ପେସ୍ ବୋଲର ବାସିଥ ଥାମ୍ପି ଓ ସ୍ପିନର ମୁରୁଗାନ ଅଶ୍ୱିନଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଥାମ୍ପି ପ୍ରଥମ ମ୍ୟାଚ୍ରେ ୩ଟି ଏବଂ ଏମ୍ ଅଶ୍ୱିନ ୨ଟି ୱିକେଟ୍ ନେଇଥିଲେ ।
ସଞ୍ଜୁ ସାମସନ୍ଙ୍କ ନେତୃତ୍ତ୍ୱାଧିନ ରାଜସ୍ଥାନ ଦଳ ପ୍ରଥମ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ୬୧ରନ୍ରେ ହରାଇବା ପରେ ଦଳୀୟ ଖେଳାଳିଙ୍କ ମନୋବଳ ଦ୍ୱିଗୁଣିତ ରହିଛି । ଦଳରେ ଜୋସ ବଟଲର, ଯଶସ୍ୱୀ ଜୈସ୍ୱାଲ୍ ସାମସନ୍, ଦେବଦତ୍ତ ପାଡିକଲ, ସିମରନ ହେତମେୟରଙ୍କ ଭଳି ବିସ୍ଫୋରକ ବ୍ୟାଟର ରହିଛନ୍ତି । ସାମସନ୍ ସନ୍ରାଇଜର୍ସ ବିପକ୍ଷରେ ୫୫ରନ୍ କରି ଫର୍ମରେ ଥିବା ପ୍ରମାଣିତ କରିଥିଲେ । ଅନ୍ୟ ସମସ୍ତ ବ୍ୟାଟର ଉପଯୋଗୀ ରନ୍ ଯୋଗ କରିଥିଲେ । ବୋଲିଂ ବିଭାଗରେ ଟ୍ରେଣ୍ଟ ବୋଲ୍ଟ, ପ୍ରସିଦ୍ଧ କ୍ରିଷ୍ଣା, ଆର୍ ଅଶ୍ୱିନ ଓ ୟୁଝବେନ୍ଦ୍ର ଚହଲ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ମୁମ୍ବାଇ ବ୍ୟାଟର ଓ ରାଜସ୍ଥାନ ବୋଲରଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ।
