ଆଇପିଏଲ୍-୨୦୨୨ : ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଗୁଜୁରାଟକୁ ୫ ରନରେ ହରାଇଲା ମୁମ୍ବାଇ
ମୁମ୍ବାଇ : ଆଇପିଏଲ-୨୦୨୨ର ୫୧ତମ ମ୍ୟାଚ ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମଠାରେ ଶୁକ୍ରବାର ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଗୁଜୁରାଟକୁ ୫ ରନରେ ହରାଇଲା ମୁମ୍ବାଇ । ଶେଷ ଓଭରରେ ସାମ୍ସଙ୍କ ଚମତ୍କାର ବୋଲିଂ ବଳରେ ଜିତିଲା ମୁମ୍ୱାଇ । ଶେଷ ଓଭରରେ ୯ ରନର ଆବଶ୍ୟକତା ଥିବା ବେଳେ ଚମତ୍କାର ବୋଲିଂ କରି କେବଳ ୩ ରନ ଦେଇଥିଲେ ଡାନିଏଲ ସାମ୍ସ। ମିଲରଙ୍କ ପରି ବିସ୍ଫୋରକ ବ୍ୟାଟରଙ୍କୁ ମଧ୍ୟ ବିଟ୍ କରିବାରେ ସଫଳ ହୋଇଥିଲେ ସାମ୍ସ। ମୁମ୍ୱାଇ ଇଣ୍ଡିଆନ୍ସର ୧୭୭ ରନର ଜବାବରେ ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୧୭୨ ରନ କରିଥିଲା।
ଏହି ମ୍ୟାଚରେ ଗୁଜୁରାଟ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୭୭ ରନ କରିଥିଲା ।ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ମୁମ୍ୱାଇ ଇଣ୍ଡିଆନ୍ସ ଧୂଆଁଧାର ଆରମ୍ଭ କରିଥିଲା। ମୁମ୍ୱାଇ ଇଣ୍ଡିଆନ୍ସ ପକ୍ଷରୁ ଦୁଇ ଓପନର ରୋହିତ ଶର୍ମା ଏବଂ ଇଶନ କିଷନ ଜବରଦସ୍ତ ବ୍ୟାଟିଂ କରିଥିଲେ। ଇଶନ କିଷନ ୨୯ ବଲରେ ୪୫ ରନ, ରୋହିତ ଶର୍ମା ୨୮ ବଲରେ ୪୩ ରନ କରିଥିଲେ। ତେବେ ଶେଷ ବେଳକୁ ଟିମ ଡେଭିଡ ଏକ ଲଢୁଆ ପାଳି ଖେଳି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ସେ ମାତ୍ର ୨୧ଟି ବଲ ଖେଳି ଅପରାଜିତ ୪୪ରନ କରିଥିଲେ । ନିଜର ଏହି ଇନିଂସରେ ସେ ୪ଟି ଛକା ଓ ୨ଟି ଚୌକା ମାରିଥିଲେ । ଗୁଜୁରାଟ ପକ୍ଷରୁ ରସିଦ ଖାଁ ୨ଟି ଓ୍ବିକେଟ ନେଇଥିବାବେଳେ ଲକି ଫର୍ଗୁସନ, ପ୍ରଦୀପ ସାଂଗଓ୍ବାନ ଓ ଅଲଜାରି ଜୋସେଫ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
୧୭୮ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଗୁଜରାଟ ଟାଇଟନ୍ସର ବ୍ୟାଟର ଦଳକୁ ଆଶାନୁରୂପ ଆରମ୍ଭ ଦେଇଥିଲେ । ରିଦ୍ଧିମାନ ଶାହା ଏବଂ ଶୁଭମନ ଗିଲ ଉଭୟ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଶାହା ୪୦ ବଲରେ ୫୫ ରନ ଏବଂ ଶୁଭମନ ଗିଲ ୩୬ ବଲରୁ ୫୨ ରନ କରିଥିଲେ। ତେବେ ଦଳ ବିଜୟ ଲକ୍ଷ୍ୟ ହାସଲ ଠାରୁ 6 ରନ ଦୂରରେ ରହିଥିଲା। ୨୦ ଓଭରରେ୫ ୱିକେଟ ହରାଇ ୧୭୨ ରନ କରିଥିଲା।
