ଆଇପିଏଲ ୨୦୨୨ : ରାହୁଲ, ଷ୍ଟୋଇନିସ୍ ଓ ବିଶ୍ନୋଇ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଂଚାଇଜି
ନୂଆଦିଲ୍ଲୀ : ଆଇପିଏଲ ୨୦୨୨ର ମେଗା ନିଲାମ ପୂର୍ବରୁ ଅହମ୍ମଦାବାଦ ନିଜର ତିନି ଖେଳାଳିଙ୍କୁ ଦଳରେ ସାମିଲ୍ କରି ସାରିଛି । ଏବେ ଲକ୍ଷ୍ନୌ ଫ୍ରାଂଚାଇଜି ମଧ୍ୟ ମଙ୍ଗଳବାର ନିଜର ତିନି ଖେଳାଳିଙ୍କ ଚୟନ କରି ନେଇଛି । ଫ୍ରାଂଚାଇଜି ଭାରତୀୟ ସୀମିତ ଓଭର ଦଳର ଉପ ଅଧିନାୟକ ଲୋକେଶ ରାହୁଲଙ୍କୁ ଦଳରେ ସାମିଲ୍ କରିଛି । ଏଥିସହ ଅନ୍ୟ ଦୁଇ ଖେଳାଳି ଭାବେ ଅଷ୍ଟ୍ରେଲିଆ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍ ଏବଂ ଅନକ୍ୟାପ୍ଡ ଭାରତୀୟ ଲେଗ୍ ସ୍ପିନର ରବି ବିଶ୍ନୋଇଙ୍କୁ ଚୟନ କରିଛି ।
ଇଏସପିଏନ କ୍ରିକଇନଫୋ ଅନୁଯାୟୀ ଲକ୍ଷ୍ନୌ ଫ୍ରାଂଚାଇଜି ରାହୁଲଙ୍କୁ ୧୫ କୋଟି, ଷ୍ଟୋଇନିସ୍ଙ୍କୁ ୧୧ କୋଟି ଏବଂ ବିଶ୍ନୋଇଙ୍କୁ ୪ କୋଟି ଟଙ୍କାରେ କିଣିଛି । ୨୯ ବର୍ଷୀୟ ରାହୁଲ ଲକ୍ଷ୍ନୌ ଫ୍ରାଂଚାଇଜି ପାଇଁ ପ୍ରଥମ ପସନ୍ଦର ଖେଳାଳି ଥିଲେ । ଆରପି ରଞ୍ଜୀବ ଗୋଏନକା ଗ୍ରୁପ ଗତ ଅକ୍ଟୋବରରେ ଲକ୍ଷ୍ନୌ ଫ୍ରାଞ୍ଜାଇଜିକୁ ୭୦୯୦ କୋଟି ଟଙ୍କାରେ କିଣିଥିଲା । ଦଳ ରାହୁଲଙ୍କୁ ଅଧିନାୟକ କରିବା ପ୍ରାୟତଃ ନିଶ୍ଚିତ । ୨୦୧୮ ଆଇପିଏଲଠୁ ଲଗାତାର ଦମଦାର ପ୍ରଦର୍ଶନ କରି ଆସୁଥିବା କେଏଲ ରାହୁଲ ପଞ୍ଜାବ କିଙ୍ଗ୍ସ ଦଳ ଛାଡିବା ପାଇଁ ପ୍ରଥମରୁ ସ୍ଥିର କରି ସାରିଥିଲେ । ଫଳରେ ପଞ୍ଜାବ ତାଙ୍କୁ ନିଲାମ ପାଇଁ ରିଲିଜ୍ କରିଥିଲା ଏବଂ ଲକ୍ଷ୍ନୌ କାଳ ବିଳମ୍ବ ନକରି ରାହୁଲଙ୍କ ସହ ଯୋଗାଯୋଗ କରି ନିଜ ଦଳରେ ସାମିଲ୍ କରିଛି । ୨୦୧୪ରେ ଆଇପିଏଲ କ୍ୟାରିୟର ଆରମ୍ଭ କରିବା ପରେ ସନରାଇଜର୍ସ ହାଇଦ୍ରାବାଦ ରାହୁଲଙ୍କୁ ନିଜ ଦଳରେ ସାମିଲ୍ କରିଥିଲା । ରାହୁଲ ୨୦୧୬ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁରେ ଯୋଗ ଦେଇଥିଲେ । ପୁଣି ୨୦୧୮ ନିଲାମରେ ପଞ୍ଜାବ ଫ୍ରାଂଚାଇଜି ତାଙ୍କୁ ୧୧ କୋଟି ଟଙ୍କା ଖର୍ଚ୍ଚ କରି ନିଜ ଦଳରେ ସାମିଲ୍ କରିଥିଲା । ଷ୍ଟୋଇନିସ୍ଙ୍କ ପାଇଁ ଲକ୍ଷ୍ନୌ ଚତୁର୍ଥ ଆଇପିଏଲ ଫ୍ରାଂଚାଇଜି । ସେ ୨୦୧୫ରେ ଦିଲ୍ଲୀ ଡେୟାରଡେଭିଲ୍ସ (ଦିଲ୍ଲୀ କ୍ୟାପିଟାଲ୍ସ)ରୁ ନିଜର ଆଇପିଏଲ କ୍ୟାରିୟର ଆରମ୍ଭ କରିଥିଲେ । ପୁଣି ୨୦୨୦ରେ ୪.୮ କୋଟି ଟଙ୍କା ସହ ସେ ଦିଲ୍ଲୀ ଦଳରେ ରହିଥିଲେ । କ୍ୟାପିଟାଲ୍ସ ପକ୍ଷରୁ ସେ ୨୭ ମ୍ୟାଚ୍ ଖେଳି ୧୪୨.୭୧ ଷ୍ଟ୍ରାଇକ୍ ରେଟ୍ରେ ୪୪୧ ରନ କରିବା ସହ ୧୫ ୱିକେଟ୍ ନେଇଛନ୍ତି ।
