ଆଇପିଏଲ୍-୨୦୨୨ : ବ୍ୟକ୍ତିଗତ କାରଣରୁ ଓହରିଲେ ଜାସନ ରୟ
This is the second time Jason Roy is pulling out of the IPL.File photo: AFP/Randy Brooks
ନୂଆଦିଲ୍ଲୀ: ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁଥିବା ଆଇପିଏଲ୍ ପଂଚଦଶ ସଂସ୍କରଣରୁ ଇଂଲଣ୍ଡ ଓପନର୍ ଜାସନ ରୟ ବ୍ୟକ୍ତିଗତ କାରଣରୁ ଓହରି ଯାଇଛନ୍ତି । ଚଳିତ ବର୍ଷ ନିଲାମରେ ତାଙ୍କୁ ନୂଆ ଫ୍ରାଂଚାଇଜ୍ ଗୁଜରାଟ ଟାଇଟନ୍ସ ମୂଳଦର ୨ କୋଟି ଟଙ୍କାରେ କିଣିଥିଲା । ‘‘ଚଳିତ ବର୍ଷ ଆଇପିଏଲ୍ରୁ ଓହରିଯିବା ନିଷ୍ପତି କଷ୍ଟକର ଥିଲା । ମୋ ଉପରେ ଆସ୍ଥା ପ୍ରକଟ କରି ଦଳରେ ସ୍ଥାନ ଦେଇଥିବାରୁ ଗୁଜରାଟ ଟାଇଟାନ୍ସ ପରିଚାଳକ ଏବଂ ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କୁ ଧନ୍ୟବାଦ ।
କିନ୍ତୁ ସାରା ବିଶ୍ୱରେ ମହାମାରୀ କରୋନା ଯୋଗୁଁ ୩ ବର୍ଷ ହେଲା ଜୈବ ବଳୟରେ ରହି ଖେଳିବା ମୋ ପାଇଁ କଷ୍ଟକର ହେଉଛି । ତେଣୁ ମୋ ପରିବାର ସହ ସମୟ କାଟିବା ପାଇଁ ଏଭଳି ନିଷ୍ପତି ନେଇଛି’’ ବୋଲି ଇନ୍ଷ୍ଟାଗ୍ରାମରେ ରୟ ପ୍ରକାଶ କରିଛନ୍ତି । ନିକଟରେ ଶେଷ ହୋଇଥିବା ପାକିସ୍ତାନ ସୁପର ଲିଗ୍ରେ ରୟ କ୍ୱେଟ୍ଟା ଗ୍ଲାଡିଟର୍ସ ପକ୍ଷରୁ ଖେଳି ୧୭୦.୨୨ ଷ୍ଟ୍ରାଇକ୍ ରେଟ୍ରେ ୩୦୩ ରନ୍ କରିଥିଲେ । ଆଇପିଏଲ୍ ଖେଳିଲେ ପୁଣି ଆଉ ଦୁଇମାସ ଜୈବ ବଳୟରେ ରହିବାକୁ ପଡ଼ିବ । ତେଣୁ ସେ ଓହରିବା ଲାଗି ନିଷ୍ପତି ନେଇଥିଲେ । ୨୦୨୧ରେ ସେ ମିଚେଲ ମାର୍ସଙ୍କ ସ୍ଥାନରେ ସନ୍ରାଇଜର୍ସ ହାଇବ୍ରାଦରୁ ଖେଳିଥିଲେ । ୨୦୨୦ ଦିଲ୍ଲୀ କ୍ୟାପିଟାଲ୍ସ ସହ ଚୁକ୍ତି କରିଥିଲେ ମଧ୍ୟ ବ୍ୟକ୍ତିଗତ କାରଣରୁ ଓହରି ଯାଇଥିଲେ । ୨୦୧୭ରେ ଗୁଜରାଟ ଲାୟନ୍ସ ପକ୍ଷରୁ ଆଇପିଏଲ୍ ପଦାର୍ପଣ କରିଥିବା ରୟ ମୋଟ ୧୩ ମ୍ୟାଚ୍ ଖେଳି ୨୯.୯୧ ହାରରେ ୩୨୯ ରନ୍ ସଂଗ୍ରହ କରିଛନ୍ତି ।
