ଆରମ୍ଭ ହେଲା ଆଇପିଏଲ-୨୦୨୨ : ପ୍ରଥମ ମ୍ୟାଚରେ ଟସ ଜିତି କେକେଆରର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବା ସିଏସକେ
ମୁମ୍ବାଇ : ଆରମ୍ଭ ହେଲା ଆଇପିଏଲ-୨୦୨୨ର ୧୫ତମ ସଂସ୍କରଣ । ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ମ୍ୟାଚରେ ଗତଥରର ଚାମ୍ପିଅନ ଚେନ୍ନାଇ ସୁପରକିଙ୍ଗସ (ସିଏସକେ)କୁ ଭେଟୁଛି ରନର୍ସଅପ୍ କୋଲକାତା ନାଇଟ ରାଇଡର୍ସ (କେକେଆର) । ଏହି ମ୍ୟାଚରେ କୋଲକାତା ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।
ଗତ ବର୍ଷ କରୋନା ମହାମାରୀ ଯୋଗୁଁ ଆଇପିଏଲକୁ ଅଧାରେ ସ୍ଥଗିତ ରଖାଯାଇଥିଲା । ପରେ ସେପ୍ଟେମ୍ବର ମାସରେ ଅବଶିଷ୍ଟ ମ୍ୟାଚ ୟୁଏଇରେ ଖେଳାଯାଇଥିଲା । ଏଥିରେ ଚେନ୍ନାଇ କୋଲକାତାକୁ ହରାଇ ଚାମ୍ପିଅନ ହୋଇଥିଲା । ଅନେକ ଦୃଷ୍ଟିକୋଣରୁ ଚଳିତ ଥରର ଆଇପିଏଲ ନିଆରା ହେବ । କାରଣ ଏଥର ୨ଟି ନୂଆ ଦଳକୁ ମିଶାଇ ମୋଟ ୧୦ଟି ଦଳ ମୈଦାନକୁ ଓହ୍ଲାଇଛନ୍ତି । ଫଳରେ ଏଥର ଅଧିକ ସଂଖ୍ୟକ ମ୍ୟାଚ ଖେଳାଯିବ । ଏଥର ଚେନ୍ନାଇ ଟିମ ମହେନ୍ଦ୍ର ସିଂ ଧୋନୀ ନୁହେଁ, ରବୀନ୍ଦ୍ର ଜାଦେଜାଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇଛି । ଧୋନୀଙ୍କ ନେତୃତ୍ବରେ ଚେନ୍ନାଇ ଆଇପିଏଲରେ ଅଭୁତପୂର୍ବ ସଫଳତା ପାଇଛି । ଅନ୍ୟପକ୍ଷରେ କୋଲକାତା ଦଳ ବି ଏଥର ନୂଆ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇଛି ।
ଆଇପିଏଲର ଗତ ଅଧିବେଶନରେ କେକେଆରର ଲଗାମ ଇଂଲଣ୍ଡର ଇୟୋନ ମୋର୍ଗାନଙ୍କ ହାତରେ ଥିଲା। ତେବେ ଚଳିତବର୍ଷ ଅକ୍ସନରେ କୌଣସି ଟିମ୍ ତାଙ୍କୁ ଉଠାଇ ନାହାନ୍ତି। କେକେଆର ଶ୍ରେୟସ ଆୟରଙ୍କୁ ୧୨.୨୫ କୋଟି ଟଙ୍କାରେ ନିଜ ଟିମରେ ସାମିଲ କରିଛି। ସେ କେକେଆରର କ୍ୟାପ୍ଟେନ ଦାୟିତ୍ୱ ମଧ୍ୟ ବହନ କରୁଛନ୍ତି। ଅତୀତରେ ଦିଲ୍ଲୀର କ୍ୟାପ୍ଟେନ ଥିଲେ ଆୟର। ୨୦୨୦ରେ ସେ ଦିଲ୍ଲୀକୁ ଫାଇନାଲ ପର୍ଯ୍ୟାୟକୁ ନେଇଯାଇଥିଲେ। ଏଣୁ ଅନୁଭବ ଏବେ କାମରେ ଆସିପାରିବ ବୋଲି ଆକଳନ କରାଯାଉଛି।
ଓପନିଂ ମ୍ୟାଚ୍କୁ ଉଭୟ ଟିମ୍ ବିଜୟରୁ ଆରମ୍ଭ କରିବାକୁ ଚାହିଁବେ। ଏପର୍ଯ୍ୟନ୍ତ ଚେନ୍ନାଇ ୧୨ଥର ଆଇପିଏଲ ଓପନିଂ ମ୍ୟାଚ୍ ଖେଳିଲାଣି। ଏଥିରୁ ଟିମ୍ ୬ଟି ମ୍ୟାଚ୍ ଜିତିଥିବା ବେଳେ ୬ଟିରେ ହାରିଛି। ତେବେ ଏ କ୍ଷେତ୍ରରେ କେକେଆର ବେଶ ଅନୁଭବୀ ଟିମ୍। ଏପର୍ଯ୍ୟନ୍ତ କେକେଆର ୧୪ଟି ଓପନିଂ ମ୍ୟାଚ୍ ଖେଳିଥିବା ବେଳେ ୧୦ଟିରେ ଜିତିଛି। ଏଥିର ଚେନ୍ନାଇ ସୁପର କିଙ୍ଗସ୍ରେ ଋତୁରାଜ ଗାୟକ୍ୱାଡ, ଡୋଭନ କୋନଭେ, ରୋବିନ ଉତ୍ଥପା, ଅମ୍ବାତୀ ରାୟଡୁ, ରବୀନ୍ଦ୍ର ଜାଡେଜା, ଏମ.ଏସ.ଧୋନୀ, ଶିବମ ଦୁବେ, ଡି.ବ୍ରାଭୋ, ତୁଷାର ଦେଶପାଣ୍ଡେ, କ୍ରିସ ଜୋର୍ଡନ, ଏଡମ ମିଲନେ ଆଦି ଖେଳୁଛନ୍ତି। ସେହିପରି କୋଲକାତା ନାଇଟ୍ ରାଇଡର୍ସରେ ଏଥର ଭେଙ୍କେଟଶ ଆୟର, ଆଜିଙ୍କ୍ୟ ରାହାଣେ,ଶ୍ରେୟସ ଆୟର, ସେମ ବିଲିଙ୍ଗସ୍, ଆନ୍ଦ୍ରେ ରସେଲ, ମହମ୍ମଦ ନବୀ, ଟିମ୍ ସାଉଥୀ, ସୁନୀଲ ନରେନ୍, ଶିବମ ମାଭି, ଉମେଶ ଯାଦବ ଓ ବରୁଣ ଚକ୍ରବର୍ତ୍ତି ଆଦି ଷ୍ଟାଡିୟମରେ ଦେଖାଯିବେ।
କୋଲକାତା ନାଇଟ୍ ରାଇଡର୍ସ :
ଭେଙ୍କଟେଶ ଆୟର, ଆଜିଙ୍କ୍ୟ ରାହାଣେ, ଶ୍ରେୟସ ଆୟର(ଅଧିନାୟକ), ନୀତିଶ ରାଣା, ସାମ ବିଲିଙ୍ଗ୍ସ(ଓ୍ଵିକେଟ୍ କିପର), ଆନ୍ଦ୍ରେ ରସେଲ, ସୁନିଲ ନାରିନେ, ସେଲଡନ ଜ୍ୟାକସନ, ଉମେଶ ଯାଦବ, ଶିବମ ମାଭି, ବରୁଣ ଚକ୍ରବର୍ତ୍ତୀ।
ଚେନ୍ନାଇ ସୁପର କିଙ୍ଗ୍ସ :
ଋତୁରାଜ ଗାଏକଓ୍ଵାଡ, ଡେଭନ କନଓ୍ଵେ, ରବିନ ଉଥପ୍ପା, ଅମ୍ଵତି ରାୟୁଡୁ, ରବୀନ୍ଦ୍ର ଜାଡେଜା(ଅଧିନାୟକ), ଶିବମ ଦୁବେ, ଏମଏସ ଧୋନୀ(ଓ୍ଵିକେଟ୍ କିପର), ଡ୍ଵେନ ବ୍ରାଭୋ, ମିଚେଲ୍ ସାଣ୍ଟନର, ଆଡମ ମିଲନେ, ତୁଷାର ଦେଶପାଣ୍ଡେ।
