ଆଇପିଏଲ-୨୦୨୨ : ଲକ୍ଷ୍ନୌକୁ ୧୪୫ ରନ୍ର ଟାର୍ଗେଟ ଦେଲା ଗୁଜୁରାଟ
ପୁଣେ: ଆଇପିଏଲ-୨୦୨୨ରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଶକ୍ତିଶାଳୀ ଦଳ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଏବଂ ଗୁଜରାଟ ଟାଇଟନ୍ସ। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୨୦ ଓଭରରେ ୪ ଓ୍ଵିକେଟ୍ ହରାଇ ୧୪୪ ରନ କରିଛି। ହାତରେ ଓ୍ଵିକେଟ୍ ଥାଇ ମଧ୍ୟ ଲକ୍ଷ୍ନୌର ମାପଚୁପ ବୋଲିଂ କାରଣରୁ ଗୁଜରାଟ ବଡ ସ୍କୋର କରି ପାରିନାହିଁ। ପ୍ଲେ ଅଫରେ ପ୍ରବେଶ ପାଇଁ ଲକ୍ଷ୍ନୌ ସାମ୍ନାରେ ରହିଛି ୧୪୫ ରନର ବିଜୟ ଲକ୍ଷ୍ୟ। ଶୁଭମାନ ଗିଲ୍ ଅପରାଜିତ ୬୩ ରନର ଇନିଂସ ଖେଳିଛନ୍ତି। ରାହୁଲ ତେଓ୍ଵତିଆ ୨୨ ରନ କରି ଅପରାଜିତ ଥିଲେ। ଡେଭିଡ୍ ମିଲର ୨୬ ରନ କରିଥିଲେ। ଅଭେଶ ଖାନ ୨୬ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିବା ବେଳେ ମୋହସିନ ଖାନ ୧୮ ରନ ଦେଇ ଗୋଟିଏ ଓ୍ଵିକେଟ୍ ନେଇଛନ୍ତି।
ପୁଣେରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ଦଳ ୮ ରନ୍ରେ ରଦ୍ଧିମାନ ସାହା (୫)ଙ୍କୁ ହରାଇଥିଲା। ତାଙ୍କ ୱିକେଟ ଯୁବ ତାରକା ମୋହଶିନ ଖାନ ନେଇଥିଲେ। ୩ନଂରେ ବ୍ୟାଟିଂ କରିବାକୁ ଆସିଥିବା ମାଥ୍ୟୁ ୱେଡ କିଛି ଶଟ ଖେଳିଥିଲେ ମଧ୍ୟ କେବଳ ୧୦ ରନ୍ କରିବାକୁ ସକ୍ଷମ ହୋଇଥିଲେ। ସେ ଆଭେଶ ଖାନଙ୍କ ଶିକାର ବନିଥିଲେ।ଦଳୀୟ ସ୍କୋର ୫୧ ଥିବା ବେଳେ ଗୁଜରାଟ ସବୁଠାରୁ ବଡ଼ ଝଟକା ଲାଗିଥିଲା । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୧୧ ରନ୍ କରି ଆଭେଶ ଖାନଙ୍କ ଦ୍ୱିତୀୟ ଶିକାର ବନିଥିଲେ। ୫୧ ରନ୍ରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିବା ଗୁଜରାଟ ପାଇଁ ଗିଲ୍ ଓ ଡାଭିଡ ମିଲର କିଛି ସମୟ ପାଇଁ ସ୍ଥିତି ସମ୍ଭାଳିଥିଲେ। ଏଥିସହ ଦଳୀୟ ସ୍କୋରକୁ ୧୦୩ରେ ପହଞ୍ଚାଇଥିଲେ। ଏତିକି ବେଳେ ବଡ଼ ଶଟ ଖେଳିବା ଲୋଭରେ ମିଲର ୨୬ ରନ୍ କରି ଜେସନ ହୋଲ୍ଡରଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ମିଲର ଆଉଟ ହେବା ପରେ ଗିଲ୍ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହାପରେ ସେ କିଛି ବଡ଼ ଶଟ୍ ଖେଳିଥିଲେ। ହେଲେ ଲକ୍ଷ୍ନୌ ବୋଲରମାନେ ତାଙ୍କୁ ସେତେଟା ହାତ ଖୋଲା ଶଟ୍ ଖେଳିବାକୁ ଦେଇ ନଥିଲେ। ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ରାହୁଲ ତେୱାତିଆ ମଧ୍ୟ ଆଜି ବିଶେଷ କିଛି କରିପାରି ନାହାନ୍ତି। ତାଙ୍କ ବଡ଼ ଶଟ୍ ମାରିବାକୁ ଲକ୍ଷ୍ନୌ ବୋଲରମାନେ ଆଜି ଆଦୌ ସୁଯୋଗ ଦେଇ ନାହାନ୍ତି। ୧୯ ଓଭର ଶେଷ ସୁଦ୍ଧା ଗୁଜରାଟ ୪ ୱିକେଟ ହରାଇ ୧୨୮ ରନ୍ କରିଥିଲା। ଶେଷ ଓଭର ଜେସନ ହୋଲ୍ଡର ବୋଲିଂ କରିବାକୁ ଆସିଥିଲେ। ପ୍ରଥମ ବଲ୍ରେ ଗିଲ୍ ୧ ରନ୍ ନେଇ ତେୱାତିଆଙ୍କୁ ଷ୍ଟ୍ରାଇକ ଦେଇଥିଲେ। ସେ ଦ୍ୱିତୀୟ ବଲରେ ଚୌକା ମାରିଥିଲେ। ଏହାପରେ ଗୋଟିଏ ୱାଇଡ ବଲ ପଡ଼ିଥିଲା। ତୃତୀୟ ବଲ୍ରେ ସେ ପୁଣି ଚୌକା ମାରିଥିଲେ। କିନ୍ତୁ ୪ର୍ଥ ବଲ୍ରେ କୌଣସି ରନ୍ ହାସଲ କରିପାରି ନଥିଲେ। ହୋଲ୍ଡର ପୁଣି ଗୋଟିଏ ୱାଇଡ ପକାଇଥିଲେ। ୫ମ ବଲରେ ଚୌକା ହୋଇଥିବା ବେଳେ ୬ଷ୍ଠ ବଲ୍ରେ ୧ ରନ୍ ହେବାରୁ ଗୁଜରାଟ ନିର୍ଦ୍ଧାରିତ ୨୦ ଓଭର୍ରେ ୪ ୱିକେଟ ହରାଇ ୧୪୪ ରନ୍ କରିପାରିଥିଲା। ଗିଲ୍ ଶେଷ ଯାଏ ୪୯ ବଲ୍ରେ ଅପରାଜିତ ୬୩ ରନ୍ ଓ ତେୱାତିଆ ୧୬ ବଲ୍ରେ ୨୨ ରନ୍ କରି ନଟଆଉଟ ରହିଥିଲେ। ଲକ୍ଷ୍ନୌ ପକ୍ଷରୁ ଆଭେଶ ଖାନ ୨ଟି ୱିକେଟ ନେଇଥିବା ବେଳେ ମୋହଶିନ ଖାନ ଓ ହୋଲ୍ଡର ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।
