ଆଇପିଏଲ୍-୨୦୨୨ : ଲକ୍ଷ୍ନୌକୁ ୬୨ ରନରେ ହରାଇଲା ଗୁଜରାଟ
ପୁଣେ : ଆଇପିଏଲ-୨୦୨୨ରେ ମୁହାଁମୁହିଁ ହୋଇଥିଲେ ଦୁଇ ଶକ୍ତିଶାଳୀ ଦଳ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଏବଂ ଗୁଜରାଟ ଟାଇଟନ୍ସ। ଏଥିରେ ଗୁଜରାଟ ବୋଲରଙ୍କ ଆଗରେ ଆତ୍ମ ସମର୍ପଣ କଲେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ବ୍ୟାଟସମ୍ୟାନ। ଆଉ ନିଜର ପ୍ରଥମ ସିଜିନରେ ଗୁଜରାଟ ଟାଇଟନ୍ସ ଇତିହାସ ରଚିଛି। ଶୁଭମାନ ଗିଲ୍ଙ୍କ ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଘାତକ ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ବଡ ବିଜୟ ହାସଲ କରିଛି। ଆଇପିଏଲର ୫୭ତମ ମୁକାବିଲାରେ ଗୁଜରାଟ ଲକ୍ଷ୍ନୌକୁ ୬୨ ରନରେ ଶୋଚନୀୟ ଭାବେ ହରାଇ ପ୍ରଥମ ଦଳ ଭାବେ ଆଇପିଏଲ ୨୦୨୨ର ପ୍ଲେ ଅଫରେ ପ୍ରବେଶ କରିଛି। ଗୁଜରାଟ ଟାଇଟନ୍ସ ୧୨ଶ ମ୍ୟାଚରୁ ନବମ ବିଜୟ ଏବଂ ୧୮ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷକୁ ଉନ୍ନିତ ହୋଇଛି। ଲକ୍ଷ୍ନୌ ସେହି ସମାନ ମୁକାବିଲାରୁ ଚତୁର୍ଥ ପରାଜୟ ଭୋଗି ଦ୍ଵିତୀୟ ସ୍ଥାନକୁ ଖସିଛି। ଗୁଜରାଟ ବିଜୟରେ ବିନ୍ଧାଣୀ ସାଜିଛନ୍ତି ବୋଲର। ହାରିଥିଲେ ମଧ୍ୟ ଲକ୍ଷ୍ନୌର ପ୍ଲେ ଅଫରେ ପ୍ରବେଶ ପ୍ରାୟତଃ ନିଶ୍ଚିତ ହୋଇ ଯାଇଛି।
ପୁଣେରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ଦଳ ୮ ରନ୍ରେ ରଦ୍ଧିମାନ ସାହା (୫)ଙ୍କୁ ହରାଇଥିଲା। ତାଙ୍କ ୱିକେଟ ଯୁବ ତାରକା ମୋହଶିନ ଖାନ ନେଇଥିଲେ। ୩ନଂରେ ବ୍ୟାଟିଂ କରିବାକୁ ଆସିଥିବା ମାଥ୍ୟୁ ୱେଡ କିଛି ଶଟ ଖେଳିଥିଲେ ମଧ୍ୟ କେବଳ ୧୦ ରନ୍ କରିବାକୁ ସକ୍ଷମ ହୋଇଥିଲେ। ସେ ଆଭେଶ ଖାନଙ୍କ ଶିକାର ବନିଥିଲେ।ଦଳୀୟ ସ୍କୋର ୫୧ ଥିବା ବେଳେ ଗୁଜରାଟ ସବୁଠାରୁ ବଡ଼ ଝଟକା ଲାଗିଥିଲା । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୧୧ ରନ୍ କରି ଆଭେଶ ଖାନଙ୍କ ଦ୍ୱିତୀୟ ଶିକାର ବନିଥିଲେ। ୫୧ ରନ୍ରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିବା ଗୁଜରାଟ ପାଇଁ ଗିଲ୍ ଓ ଡାଭିଡ ମିଲର କିଛି ସମୟ ପାଇଁ ସ୍ଥିତି ସମ୍ଭାଳିଥିଲେ। ଏଥିସହ ଦଳୀୟ ସ୍କୋରକୁ ୧୦୩ରେ ପହଞ୍ଚାଇଥିଲେ। ଏତିକି ବେଳେ ବଡ଼ ଶଟ ଖେଳିବା ଲୋଭରେ ମିଲର ୨୬ ରନ୍ କରି ଜେସନ ହୋଲ୍ଡରଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ମିଲର ଆଉଟ ହେବା ପରେ ଗିଲ୍ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହାପରେ ସେ କିଛି ବଡ଼ ଶଟ୍ ଖେଳିଥିଲେ। ହେଲେ ଲକ୍ଷ୍ନୌ ବୋଲରମାନେ ତାଙ୍କୁ ସେତେଟା ହାତ ଖୋଲା ଶଟ୍ ଖେଳିବାକୁ ଦେଇ ନଥିଲେ। ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ରାହୁଲ ତେୱାତିଆ ମଧ୍ୟ ଆଜି ବିଶେଷ କିଛି କରିପାରି ନାହାନ୍ତି। ତାଙ୍କ ବଡ଼ ଶଟ୍ ମାରିବାକୁ ଲକ୍ଷ୍ନୌ ବୋଲରମାନେ ଆଜି ଆଦୌ ସୁଯୋଗ ଦେଇ ନାହାନ୍ତି। ୧୯ ଓଭର ଶେଷ ସୁଦ୍ଧା ଗୁଜରାଟ ୪ ୱିକେଟ ହରାଇ ୧୨୮ ରନ୍ କରିଥିଲା। ଶେଷ ଓଭର ଜେସନ ହୋଲ୍ଡର ବୋଲିଂ କରିବାକୁ ଆସିଥିଲେ। ପ୍ରଥମ ବଲ୍ରେ ଗିଲ୍ ୧ ରନ୍ ନେଇ ତେୱାତିଆଙ୍କୁ ଷ୍ଟ୍ରାଇକ ଦେଇଥିଲେ। ସେ ଦ୍ୱିତୀୟ ବଲରେ ଚୌକା ମାରିଥିଲେ। ଏହାପରେ ଗୋଟିଏ ୱାଇଡ ବଲ ପଡ଼ିଥିଲା। ତୃତୀୟ ବଲ୍ରେ ସେ ପୁଣି ଚୌକା ମାରିଥିଲେ। କିନ୍ତୁ ୪ର୍ଥ ବଲ୍ରେ କୌଣସି ରନ୍ ହାସଲ କରିପାରି ନଥିଲେ। ହୋଲ୍ଡର ପୁଣି ଗୋଟିଏ ୱାଇଡ ପକାଇଥିଲେ। ୫ମ ବଲରେ ଚୌକା ହୋଇଥିବା ବେଳେ ୬ଷ୍ଠ ବଲ୍ରେ ୧ ରନ୍ ହେବାରୁ ଗୁଜରାଟ ନିର୍ଦ୍ଧାରିତ ୨୦ ଓଭର୍ରେ ୪ ୱିକେଟ ହରାଇ ୧୪୪ ରନ୍ କରିପାରିଥିଲା। ଗିଲ୍ ଶେଷ ଯାଏ ୪୯ ବଲ୍ରେ ଅପରାଜିତ ୬୩ ରନ୍ ଓ ତେୱାତିଆ ୧୬ ବଲ୍ରେ ୨୨ ରନ୍ କରି ନଟଆଉଟ ରହିଥିଲେ। ଲକ୍ଷ୍ନୌ ପକ୍ଷରୁ ଆଭେଶ ଖାନ ୨ଟି ୱିକେଟ ନେଇଥିବା ବେଳେ ମୋହଶିନ ଖାନ ଓ ହୋଲ୍ଡର ଗୋଟିଏ ଲେଖାଏ ସଫଳତା ପାଇଥିଲେ।
ବଡ ସ୍କୋର ହୋଇନଥିଲେ ବି ମ୍ୟାଚ୍ କିଛିଟା ରୋମାଞ୍ଚକର ହେବ ବୋଲି ଆଶା କରାଯାଉଥିଲା। କାରଣ ଲକ୍ଷ୍ନୌ ପରି ଗୁଜରାଟ ବୋଲିଂ ବେଶ ମଜବୁତ ରହିଛି। ହେଲେ ଲକ୍ଷ୍ନୌ ବ୍ୟାଟସମ୍ୟାନ ଏତେ ଦୟନୀୟ ବ୍ୟାଟିଂ କରିବେ କେବେ ହେଲେ ପ୍ରଶଂସକ ଭାବିନଥିଲେ। ଗୁଜରାଟ ବୋଲରଙ୍କ ଆଗରେ ଆତ୍ମ ସମର୍ପଣ କରିଥିଲେ ଲକ୍ଷ୍ନୌ ବ୍ୟାଟସମ୍ୟାନ, ଆଉ ଦଳ ୧୩.୫ ଓଭରରେ ମାତ୍ର ୮୨ ରନରେ ଅଲଆଉଟ୍ ହୋଇଛି ଦଳ। କ୍ଵିଣ୍ଟନ ଡିକକ(୧୧) ଏବଂ ଦୀପକ ହୁଡ୍ଡା(୨୭)ଙ୍କୁ ବାଦ୍ ଦେଲେ ବାକି ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଅଧିନାୟକ ଲୋକେଶ ରାହୁଲ ୮ ରନ, କୃଣାଲ ପାଣ୍ଡ୍ୟା ୫ ରନ କରି ଦଳକୁ ନିରାଶ କରିଥିଲେ। ରଶିଦ ଖାନ ୪ ଓ୍ଵିକେଟ୍ ନେଇ ଲକ୍ଷ୍ନୌର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ତାଙ୍କୁ ଉତ୍ତମ ସହଯୋଗ ଦେଇ ଶାଇ କିଶୋର ଏବଂ ୟଶ ଦୟାଲ ୨ଟି ଲେଖାଏଁ ଓ୍ଵିକେଟ୍ ନେଇ ଦଳର ବିଜୟକୁ ଆହୁରି ସହଜ କରିଥିଲେ।
