ଆଇପିଏଲ୍-୨୦୨୨ : ୪୩ତମ ଲିଗ୍ ମ୍ୟାଚ୍ରେ ଗୁଜରାଟ-ବାଙ୍ଗାଲୋର ମୁକାବିଲା
ନୂଆଦିଲ୍ଲୀ : ଆଇପିଏଲ୍-୨୦୨୨ର ୪୩ତମ ଲିଗ୍ ମ୍ୟାଚ୍ରେ ଶନିବାର ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ । ପଏଣ୍ଟ ତାଲିକାର ଶୀର୍ଷରେ ଥିବା ଟାଇଟନ୍ସ ଆଧିପତ୍ୟ ବଜାୟ ରଖିବା ଲକ୍ଷ୍ୟରେ ରହିଛି । ଅନ୍ୟପଟେ ରୟାଲ୍ ଚ୍ୟାଲେଞ୍ଜର୍ସ ଏହି ମ୍ୟାଚ୍ ଜରିଆରେ ବିଜୟଧାରାକୁ ଫେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛି ।
ଏହି ମ୍ୟାଚ୍ ଅପରାହ୍ଣ ୩.୩୦ରୁ ଆରମ୍ଭ ହେବ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧିନ ଟାଇଟନ୍ସ ୮ଟି ମ୍ୟାଚ୍ରୁ ୭ ବିଜୟ ଓ ୧ ପରାଜୟ ସହ ମୋଟ ୧୪ପଏଣ୍ଟ ପାଇ ଶୀର୍ଷ ସ୍ଥାନରେ ରହିଛି । ଦଳ ତା’ର ଶେଷ ୪ଟି ମ୍ୟାଚ୍ରେ ଅପରାଜେୟ ସାବ୍ୟସ୍ତ ହୋଇଛି । ଦଳଗତ ପ୍ରଦର୍ଶନ ବଳରେ ଟାଇଟନ୍ସ ଅନ୍ୟତମ ଟାଇଟଲ ଦାବିଦାର ଭାବେ ଉଭା ହୋଇଛି । ଦଳର ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ବିଭାଗ ବେଶ୍ ଦୃଢ଼ । ଦଳକୁ ଜିତାଇବାରେ ପ୍ରତ୍ୟେକ ଖେଳାଳି ଯୋଗଦାନ ଦେଉଛନ୍ତି । ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଶେଷ ଲିଗ୍ ମ୍ୟାଚ୍ରେ ରସିଦ ଖାନ୍ ଓ ରାହୁଲ ତେୱାତିଆ ଅବିଶ୍ୱସନୀୟ ବ୍ୟାଟିଂ କରି ଦଳକୁ ଜିତାଇଥିଲେ ।
ଆଜି ଉଭୟଙ୍କ ଉପରେ ସମସ୍ତଙ୍କ ନଜର ରହିବ । ରୟାଲ୍ ଚ୍ୟାଲେଞ୍ଜର୍ସ ୯ଟି ମ୍ୟାଚ୍ରୁ ୫ବିଜୟ ୩ ପରାଜୟ ସହ ମୋଟ ୧୦ପଏଣ୍ଟ ପାଇଛି । ଶେଷ ୨ଟି ମ୍ୟାଚ୍ରେ ଦଳ ରାଜସ୍ଥାନ ରୟାଲ୍ସ ଏବଂ ସନ୍ରାଇଜର୍ସଠୁ ପରାଜିତ ହୋଇଥିଲା । ଷ୍ଟାର୍ ବ୍ୟାଟର ଫାଫ୍ ଡୁ’ପ୍ଲେସି, ବିରାଟ କୋହଲି ଓ ଗ୍ଲେନ୍ ମ୍ୟାକ୍ସୱେଲ ଫର୍ମ ଫେରି ପାଇବାକୁ ସଂଘର୍ଷ କରୁଛନ୍ତି । ଏହା ଦଳୀୟ ପ୍ରଦର୍ଶନକୁ ପ୍ରଭାବିତ କରୁଛି । ଗୁଜରାଟକୁ ହରାଇବାକୁ ହେଲେ ଏହି ୩ ବ୍ୟାଟରଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ । ଆଜି ମହିପାଲ ଲୋମରର ଏକାଦଶରେ ସ୍ଥାନ ପାଇବା ସମ୍ଭାବନା ରହିଛି ।
