ଆଇପିଏଲ୍-୨୦୨୨ : ରାଜସ୍ଥାନ ବିପକ୍ଷରେ ଟସ୍ ଜିତି ଦିଲ୍ଲୀର ବୋଲିଂ ନିଷ୍ପତ୍ତି
ମୁମ୍ବାଇ : ଆଇପିଏଲ୍-୨୦୨ର ୫୮ତମ ଲିଗ୍ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପରକୁ ଭେଟିବେ । ଉଭୟ ଦଳ ଇତି ମଧ୍ୟରେ ଜୋରଦାର ପ୍ରସ୍ତୁତି କରିଛନ୍ତି । କ୍ୟାପିଟାଲ୍ସ ପୁଣି ଥରେ ବିଜୟକୁ ଫେରି ପ୍ଲେ-ଅଫ ଆଶା ଉଜ୍ଜୀବିତ ରଖିବାକୁ ଲକ୍ଷ୍ୟ ରଖିଛି । ସେହିପରି ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ମଧ୍ୟ କ୍ୟାପିଟାଲ୍ସ ଯୋଜନା ପ୍ରସ୍ତୁତ କରିଛି । ଆଜିର ମୁକାବିଲାରେ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ବୋଲିଂ ନିଷ୍ପତ୍ତି ନେଇଛି। ଦିଲ୍ଲୀରେ ଦଳରେ ଦୁଇଟି ପରିବର୍ତ୍ତନ ଘଟିଛି। ରିପଲ ପଟେଲଙ୍କ ସ୍ଥାନରେ ଲଳିତ ଯାଦବ ଏବଂ ଖଲିଲ ଅହମ୍ମଦଙ୍କ ବଦଳରେ ଚେତନ ସକାରିଆଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଛି। ସେହି ପରି ରାଜସ୍ଥାନ ଦଳ ଗୋଟିଏ ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଉଛି। ସିମରନ ହେଟମାୟରଙ୍କ ସ୍ଥାନରେ ରସି ଭାନଡର ଡସେନଙ୍କୁ ଖେଳିବାକୁ ସୁଯୋଗ ମିଳିଛି।
ଉଭୟ ଦଳ ପାଇଁ ମ୍ୟାଚ୍ଟି ବେଶ୍ ଗୁରୁତ୍ୱପୂର୍ଣ୍ଣ । ବିଜୟ ସହ ରୟାଲ୍ସ ଦଳ ପ୍ଲେ-ଅଫ ନିକଟତର ହେବାକୁ ପ୍ରୟାସ କରିବ । ପ୍ରତ୍ୟେକ ଖେଳାଳି ଫିଟ୍ ଓ ଫର୍ମରେ ରହିଥିବାରୁ ରୟାଲ୍ସ ଦଳର ପଲା ଭାରି ରହିବ । କ୍ୟାପିଟାଲ୍ସ ୨ ଦିନ ତଳେ ଚେନ୍ନାଇ ସୁପରକିଙ୍ଗ୍ସ ଠାରୁ ୯୧ ରନ୍ରେ ପରାଜିତ ହୋଇଥିଲା । ପ୍ଲେ-ଅଫ ସ୍ୱପ୍ନ ସାକାର କରିବାକୁ ହେଲେ ଦଳଗତ ପ୍ରଦର୍ଶନ ଜରୁରି । ପୂର୍ବ ପରାଜୟକୁ ଭୁଲି ଆସନ୍ତା କାଲି କ୍ୟାପିଟାଲ୍ସ ବିଜୟ ପାଇଁ ସବୁ ଶକ୍ତି ଖଟାଇବ । ରାଜସ୍ଥାନ ରୟାଲ୍ସ ୧୧ଟି ମ୍ୟାଚ୍ ଖେଳି ୭ ବିଜୟ ସହ ମୋଟ୍ ୧୪ ପଏଣ୍ଟ ହାସଲ କରିସାରିଛି । ପଏଣ୍ଟ ତାଲିକାରେ ରୟାଲ୍ସ ଦଳ ତୃତୀୟ ସ୍ଥାନରେ ରହିଛି। ଦଳ ଆଗକୁ ଆଉ ୩ଟି ଲିଗ୍ ମ୍ୟାଚ୍ ଖେଳିବ । ଏଥିରୁ ୨ଟି ମ୍ୟାଚ୍ ଜିତିଲେ ସିଧା ସଳଖ ପ୍ଲେ-ଅଫ୍ରେ ପ୍ରବେଶ କରିବ । ଗୋଟିଏ ବିଜୟ ମଧ୍ୟ ଦଳକୁ ପ୍ଲେ-ଅଫ୍ରେ ପହଞ୍ଚାଇ ପାରିବ । ଶେଷ ୩ଟି ଯାକ ମ୍ୟାଚ୍ ପରାଜିତ ହେଲେ ମଧ୍ୟ ରୟାଲ୍ସ ୧୪ ପଏଣ୍ଟ ସହ ପ୍ଲେ-ଅଫ୍ରେ ଚତୁର୍ଥ ଦଳ ଭାବେ ପ୍ରବେଶ କରିପାରିବ । ହେଲେ ଏଥିପାଇଁ ଅନ୍ୟ ଦଳ ଗୁଡ଼ିକୁ ମଧ୍ୟ ପରାଜିତ ହେବାକୁ ପଡ଼ିବ । ଦିଲ୍ଲୀ କ୍ୟାପିଟାଲ୍ସ ୧୧ଟି ମ୍ୟାଚ୍ ଖେଳି ୧୦ ପଏଣ୍ଟ ଅର୍ଜନ କରିଛି । ରନ୍ରେଟ୍ ୦.୧୫୦ ରହିଛି । କ୍ୟାପିଟାଲ୍ସ ଦଳ ଶେଷ ୩ଟି ମ୍ୟାଚ୍ରେ ଯଥାକ୍ରମେ ରୟାଲ୍ସ, ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ । ପ୍ଲେ-ଅଫ୍ରେ ପ୍ରବେଶ କରିବାକୁ ହେଲେ କ୍ୟାପିଟାଲ୍ସକୁ ୩ଟି ଯାକ ମ୍ୟାଚ ଜିତିବାକୁ ପଡ଼ିବ । କୌଣସି ଗୋଟିଏ ମ୍ୟାଚ ପରାଜିତ ହେଲେ ପ୍ଲେ-ଅଫରେ ପହଞ୍ଚିବା କଷ୍ଟକର ହେବ । ୧୪ ପଏଣ୍ଟ ହାସଲ କରିସାରିଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ରାଜସ୍ଥାନ ରୟାଲ୍ସ ବାକି ୨ଟି ଲେଖାଏଁ ମ୍ୟାଚ୍ ପରାଜିତ ହେଲେ କ୍ୟାପିଟାଲ୍ସ ବାକି ୩ଟିରୁ ୨ଟି ମ୍ୟାଚ୍ ଜିତିଲେ ମଧ୍ୟ ପ୍ଲେ-ଅଫ ସମ୍ଭବ।
