ଆଇପିଏଲ୍-୨୦୨୨ : ଟୁର୍ଣ୍ଣାମେଣ୍ଟରୁ ଦିଲ୍ଲୀ ବିଦା, ପ୍ଲେ ଅଫରେ ବାଙ୍ଗାଲୋର
ମୁମ୍ବାଇ : ଆଇପିଏଲ୍-୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସ ନିଜ ଶେଷ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ଓ୍ଵିକେଟରେ ହରାଇଛି। ଏହି ବିଜୟ ସହ ମୁମ୍ବାଇ ଚଳିତ ଆଇପିଏଲରେ ନିଜର ଅଭିଯାନ ଶେଷ କରିଥିବା ବେଳେ ପରାଜୟ ସହ ଦିଲ୍ଲୀ କ୍ୟାପିଟାଲ୍ସ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛି। ମୁମ୍ବାଇର ବିଜୟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପ୍ଲେ ଅଫ ମାର୍ଗ ଖୋଲି ଯାଇଛି। ବାଙ୍ଗାଲୋର ଚତୁର୍ଥ ଦଳ ଭାବେ ପ୍ଲେ ଅଫରେ ନିଜ ସ୍ଥାନ ସୁନିଶ୍ଚିତ କରିଛି। ଯଦି ମୁମ୍ବାଇ ହାରିଥାନ୍ତା ତେବେ ଦିଲ୍ଲୀ ପ୍ଲେ ଅଫରେ ପ୍ରବେଶ କରିଥାନ୍ତା ଏବଂ ବାଙ୍ଗାଲୋର ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଥାନ୍ତା।
ଶନିବାର ଦିଲ୍ଲୀ କର ବା ମର ସ୍ଥିତିରେ ଥିଲା। ହେଲେ ସ୍କୋରକାର୍ଡରେରେ ଆଶାଜନକ ରନ୍ ଯୋଡ଼ି ପାରି ନଥିଲା। ମୁମ୍ବାଇକୁ ଏହି ଦଳ ମାତ୍ର ୧୬୦ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା। ଯାହାକୁ ୫ ବଲ୍ ପୂର୍ବରୁ ୫ ୱିକେଟ୍ ବିନିମୟରେ ହାସଲ କରି ନିଜ ବିପର୍ଯ୍ୟସ୍ତଭରା ଅଭିଯାନକୁ ସମ୍ମାନର ସହ ଶେଷ କରିଥିଲା ମୁମ୍ବାଇ। ଦିଲ୍ଲୀ କିନ୍ତୁ ୧୪ ମ୍ୟାଚ୍ରୁ ୭ ବିଜୟ ଓ ୭ ପରାଜୟ ସହ ପଏଣ୍ଟ୍ ତାଲିକାର ପଞ୍ଚମ ସ୍ଥାନରେ ରହି ଦୁଃଖଦ ବିଦାୟ ନେଇଥିଲା। ଅନ୍ୟପକ୍ଷରେ ମୁମ୍ବାଇ ୧୪ ମ୍ୟାଚ୍ରୁ ମାତ୍ର ଚତୁର୍ଥ ବିଜୟ ହାସଲ କରି ସବାଶେଷ ସ୍ଥାନରେ ହିଁ ଅପରିବର୍ତ୍ତିତ ରହିଥିଲା। ମୁମ୍ବାଇ ବିଜୟ ବଳରେ କିନ୍ତୁ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପ୍ଲେ ଅଫ୍ ଟିକେଟ ପାଇଯାଇଥିଲା।
ଏବେ ପଏଣ୍ଟ ତାଲିକାର ପ୍ରଥମ ଚାରି ସ୍ଥାନରେ ରହି ଗୁଜୁରାଟ ଟାଇଟନ୍ସ (୨୦), ରାଜସ୍ଥାନ ରୟାଲ୍ସ (୧୮), ଲକ୍ଷ୍ନୌ ସୁପର ଜାଏଣ୍ଟସ୍ (୧୮) ଏବଂ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (୧୬) ପ୍ଲେ ଅଫ୍ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଲକ୍ଷ୍ନୌ ଓ ରାଜସ୍ଥାନ ସମାନ ୧୮ ପଏଣ୍ଟ ଲେଖାଏଁ ପାଇଥିଲେ ମଧ୍ୟ ରନ୍ ହାରରେ ପଛୁଆ ହୋଇ ଲକ୍ଷ୍ନୌ ତୃତୀୟ ସ୍ଥାନରେ ରହିଛି। ସେଥିପାଇଁ ପ୍ରଥମ ଦୁଇ ସ୍ଥାନରେ ଥିବା ଗୁଜରାଟ ଓ ରାଜସ୍ଥାନ ପ୍ରଥମ କ୍ବାଲିଫାୟର ଖେଳିବେ। ଏହି ମ୍ୟାଚ୍ର ପରାଜିତ ଦଳ ଲକ୍ଷ୍ନୌ ଏବଂ ବାଙ୍ଗାଲୋର ମଧ୍ୟରେ ଖେଳାଯିବାକୁ ଥିବା ଏଲିମିନେଟର ମ୍ୟାଚ୍ର ବିଜେତାକୁ ଦ୍ବିତୀୟ କ୍ବାଲିଫାୟରରେ ଭେଟି ଫାଇନାଲ୍କୁ ଯିବାର ଆଉ ଏକ ସୁଯୋଗ ପାଇବ। ଆଜି ମୁମ୍ବାଇ ଅଧିନାୟକ ରୋହିତ ଶର୍ମା (୨)ଙ୍କୁ ୨୫ ରନ୍ରେ ହରାଇଥିଲା। ତେବେ ଈଶାନ କିଶନଙ୍କ ୪୮, ଦିୱାଲ୍ଡ ବ୍ରେଭିସ୍ଙ୍କ ୩୭ ଏବଂ ଟିମ୍ ଡେଭିଡ୍ଙ୍କ ଦ୍ରୁତ ୩୪ ରନ୍ ବଳରେ ୧୯.୧ ଓଭରରେ ବିଜୟୀ ହୋଇଥିଲା।
