ଆଇପିଏଲ-୨୦୨୨ : କୋଲକାତାକୁ ୪୪ ରନରେ ହରାଇଲା ଦିଲ୍ଲୀ
ମୁମ୍ବାଇ : ଆଇପିଏଲ-୨୦୨୨ରେ ରବିବାର ସୁପର ସଣ୍ଡେରେ ଦୁଇଟି ମ୍ୟାଚ୍ ଖେଳାଯାଉଛି । ୧୯ତମ ମ୍ୟାଚ୍ରେ ମୁହାଁମୁହିଁ ହୋଇଥିଲେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ଏଥିରେ ବ୍ୟାଟିଂ ଏବଂ ବୋଲିଂରେ ଦିଲ୍ଲୀର ଜବରଦସ୍ତ ପ୍ରଦର୍ଶନ ବଳରେ ୪୪ ରନରେ କୋଲକାତାକୁ ହରାଇଲା।
ପୃଥ୍ଵୀ ଶ ଏବଂ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ଅର୍ଦ୍ଧଶତକ ଏବଂ କୁଲଦୀପ ଯାଦବଙ୍କ ୪ ଓ୍ଵିକେଟ୍ ସଫଳତା ବଳରେ ଦିଲ୍ଲୀ କ୍ୟାପିଟାଲ୍ସ କୋଲକାତା ନାଇଟ୍ ରାଇଡର୍ସକୁ ୪୪ ରନରେ ହରାଇଛି। ଏଥିସହ ଦିଲ୍ଲୀ ଚଳିତ ସିଜିନରେ ଦ୍ଵିତୀୟ ବିଜୟ ହାସଲ କରିଥିବା ବେଳେ କୋଲକାତା ନାଇଟ୍ ରାଇଡର୍ସ ପଞ୍ଚମ ମ୍ୟାଚ୍ରୁ ଚତୁର୍ଥ ପରାଜୟ ଭୋଗିଛି। ଦୁଇ ଓପନର ପୃଥ୍ଵୀ ଶ ଏବଂ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୫ ଓ୍ଵିକେଟ୍ ହରାଇ ୨୧୫ ରନ କରିଥିଲା। ଜବାବରେ କୋଲକାତା ଅଧିନାୟକ ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ସତ୍ତ୍ଵେ ୧୯.୪ ଓଭରରେ ଅଲଆଉଟ୍ ହୋଇଛି। ନୀତିଶ ରାଣା ୩୦ ରନ କରିଥିଲେ। ଦିଲ୍ଲୀ ପକ୍ଷରୁ କୁଲଦୀପ ଯାଦବ ୩୫ ରନ ଦେଇ ୪ ଏବଂ ଖଲିଲ ଅହମ୍ମଦ ୨୫ ରନ ଦେଇ ୩ଟି ଓ୍ଵିକେଟ୍ ନେଇ ଦଳ ବିଜୟରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିଲେ । କୋଲକାତା ପକ୍ଷରୁ ଆନ୍ଦ୍ରେ ରସେଲ ୨୪, ଭେଙ୍କଟେଶ ଆୟର, ସାମ ବିଲିଙ୍ଗ୍ସ ୧୫ ରନ କରିଥିଲେ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀକୁ ପୃଥ୍ଵୀ ଏବଂ ଡେଭିଡ୍ ଓ୍ଵାର୍ଣ୍ଣର ଦମଦାର ଆରମ୍ଭ ଦେଇଥିଲେ। ବିସ୍ଫୋରକ ବ୍ୟାଟିଂ କରି ଉଭୟ ୮.୪ ଓଭରରେ ୯୩ ରନ ଯୋଡିଥିଲେ। ଶ ବିସ୍ଫୋରକ ବ୍ୟାଟିଂ କର ୨୯ ବଲରୁ ୭ ଚୌକା ଏବଂ ୨ ଛକା ସହ ୫୧ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଓ୍ଵାର୍ଣ୍ଣର ଏବଂ ଋଷଭ ପନ୍ତ ଦ୍ଵିତୀୟ ଓ୍ଵିକେଟରେ ୫୫ ରନ ଯୋଡିଥିଲେ। ଦଳୀୟ ସ୍କୋର ୧୪୮ ରନରେ ପନ୍ତ ୨୭ ରନ କରି ଆଉଟ୍ ହୋଇଥିଲେ। ତେବେ ଦିଲ୍ଲୀ ଶୀଘ୍ର ୩ଟି ଓ୍ଵିକେଟ୍ ହରାଇବାରୁ ଦଳର ରନ ଗତି କିଛିଟା ଧିମେଇ ଯାଇଥିଲା। ଓ୍ଵାର୍ଣ୍ଣ ୪୫ ବଲରୁ ୬ ଚୌକା ଏବଂ ୨ ଛକା ସହ ୬୧ ରନ କରିଥିଲେ। ଶେଷ ଆଡକୁ ଅକ୍ଷର ପଟେଲ୍ ଏବଂ ଶାର୍ଦ୍ଦୁଳ ଠାକୁର ଧୂଆଁଧାର ବ୍ୟାଟିଂ କରିଥିଲେ। ଶେଷରେ ଦିଲ୍ଲୀ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୨୧୫ ରନ କରିଛି। ଅକ୍ଷର ୨୨ ଏବଂ ଶାର୍ଦ୍ଦୁଳ ୧୧ ବଲରୁ ୧ ଚୌକା ଏବଂ ୩ ଛକା ସହ ୨୯ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି। କୋଲକାତା ପକ୍ଷରୁ ସୁନିଲ ନାରିନେ ୨୧ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। କୋଲକାତା ପକ୍ଷରୁ ପାଟ୍ କମିମ୍ସ ସବୁଠୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଛନ୍ତି। ସେ ୪ ଓଭରରେ ୫୧ ରନ ବ୍ୟୟ କରି କୌଣସି ଓ୍ଵିକେଟ୍ ନେଇ ପାରି ନାହାନ୍ତି।
