ଆଇପିଏଲ୍-୨୦୨୨ : ଦିଲ୍ଲୀକୁ ୯୧ ରନରେ ହରାଇଲା ଚେନ୍ନାଇ
ମୁମ୍ବାଇ : ଆଇପିଏଲ୍-୨୦୨୨ର ୫୫ତମ ମ୍ୟାଚରେ ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମୁହାଁମୁହିଁ ହୋଇଛନ୍ତି । ଏହି ମ୍ୟାଚରେ ଡେଭନ କନଓ୍ଵେଙ୍କ ଅର୍ଦ୍ଧଶତକ ଏବଂ ବୋଲରଙ୍କ ମାପଚୁପ ବୋଲିଂ ବଳରେ ଚେନ୍ନାଇ ସୁପର କିଙ୍ଗ୍ସ ବଡ ବିଜୟ ହାସଲ କରିଛି। ଚେନ୍ନାଇ ଦିଲ୍ଲୀ କ୍ୟାପିଟାଲ୍ସକୁ ଶୋଚନୀୟ ଭାବେ ୯୧ ରନରେ ହରାଇଛି। ଏହି ବିଜୟ ପରେ ବି ଚେନ୍ନାଇର ପ୍ଲେ ଅଫରେ ପହଞ୍ଚିବା ଆଶା କମ ଥିଲେ ମଧ୍ୟ ପଏଣ୍ଟ ଟେବୁଲର ଗଣିତକୁ ଆହୁରି ରୋଚକ କରି ଦେଇଛି। ୧୧ଶ ମ୍ୟାଚରୁ ଚତୁର୍ଥ ବିଜୟ ସହ ଚେନ୍ନାଇ ଟୁର୍ଣ୍ଣାମେଣ୍ଟରେ ତିଷ୍ଠି ରହିଛି। ଅନ୍ୟପଟେ ସମାନ ମ୍ୟାଚରୁ ଦିଲ୍ଲୀ କ୍ୟାପିଟାଲ୍ସ ଷଷ୍ଠ ପରାଜୟ ଭୋଗିଛି। ଦଳର ପ୍ଲେ ଅଫ ମୁସ୍କିଲ ହୋଇ ପଡିଛି। ଚେନ୍ନାଇ ଏବଂ ଦିଲ୍ଲୀର ୩ଟି ଲେଖାଏଁ ମ୍ୟାଚ୍ ବାକି ରହିଛି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇକୁ ଦୁଇ ଓପନର ଡେଭନ କନଓ୍ଵେ ଏବଂ ଋତୁରାଜ ଗାଏକଓ୍ଵାଡ ଦମଦାର ଆରମ୍ଭ ଦେଇଥିଲେ। କନଓ୍ଵେ ଆରମ୍ଭରୁ ଦିଲ୍ଲୀ ବୋଲରଙ୍କୁ ପ୍ରହାର କରିଥିଲେ। ଦୁଇ ବ୍ୟାଟସମ୍ୟାନ ୧୧ ଓଭରରେ ୧୧୦ ରନ ଯୋଡି ଚେନ୍ନାଇ ପାଇଁ ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ଗାଏକଓ୍ଵାଡ ୪୧ ରନ କରିଥିଲେ। ଅର୍ଦ୍ଧଶତକ ହାସଲ କରି ଶତକ ଆଡକୁ ଗତି କରୁଥିବା କନଓ୍ଵେଙ୍କୁ ଆଉଟ୍ କରି ଖଲିଲ ଅହମ୍ମଦ ଦିଲ୍ଲୀକୁ ଦ୍ଵିତୀୟ ସଫଳତା ଦେଇଥିଲେ। ପରେ କନଓ୍ଵେ ଏବଂ ଶିବମ ଦୁବେ ଦ୍ଵିତୀୟ ଓ୍ଵିକେଟରେ ୫୯ ରନ ଯୋଡିଥିଲେ। ଦଳୀୟ ସ୍କୋର ୧୬୯ ରନରେ କନଓ୍ଵେ ୪୯ ବଲରୁ ୭ ଚୌକା ଏବଂ ୫ ଛକା ସହ ୮୭ ରନ ପାଭିଲିୟନ ଫେରିଥିଲେ। ପୁଣି ଶିବମ ଦୁବେ ୧୯ ବଲରୁ ଦ୍ରୁତ ୩୨ ରନ କରିଥିଲେ। ଶେଷ ଆଡକୁ ସଅଳ ତିନୋଟି ଓ୍ଵିକେଟ୍ ହରାଇଥିଲେ ହେଁ ଏମଏସ ଧୋନୀ ୮ ବଲରୁ ୨୧ ରନ କରିବାରୁ ଚେନ୍ନାଇ ୬ ଓ୍ଵିକେଟ୍ ହରାଇ ୨୦୮ ରନରେ ପହଞ୍ଚି ପାରିଥିଲା।
ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୭.୪ ଓଭରରେ ୧୧୭ ରନରେ ଅଲଆଉଟ୍ ହୋଇଛି। ଦଳର କୌଣସି ବ୍ୟାଟସମ୍ୟାନ ଚେନ୍ନାଇ ବୋଲରଙ୍କ ମୁକାବିଲା କରି ପାରି ନାହାନ୍ତି। ମିଚେଲ୍ ମାର୍ଶ ସର୍ବାଧିକ ୨୫ ରନ କରିଥିଲେ। ଚେନ୍ନାଇ ପକ୍ଷରୁ ମୋଇନ ଅଲ୍ଲୀ ୧୩ ରନ ଦେଇ ୩ଟି ସଫଳତା ପାଇଛନ୍ତି। ମୁକେଶ ଚୌଧୁରୀ, ଡ୍ଵେନ ବ୍ରାଭୋ ଏବଂ ସିମରଜିତ ସିଂହ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇ ଦଳକୁ ସହଜ ବିଜୟ ଦେଇଛନ୍ତି।
