ଆଇପିଏଲ-୨୦୨୨ : ପ୍ଲେ ଅଫ୍ରେ ପହଞ୍ଚିବା ପାଇଁ ଚେନ୍ନାଇ ନିକଟରେ ରହିଛି ସୂଯୋଗ
ନୂଆଦିଲ୍ଲୀ : ଆଇପିଏଲ-୨୦୨୨ର ୫୯ତମ ଲିଗ୍ ମୁକାବିଲାରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ । ପ୍ଲେ ଅଫ୍ ଦୌଡରୁ ବାଦ ପଡ଼ି ସାରିଥିବା ମୁମ୍ବାଇ ଇଣ୍ଡିଆନ୍ସ କେବଳ ସମ୍ମାନର ସହ ବିଦାୟ ନେବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଚେନ୍ନାଇ ନିକଟରେ ଏବେବି ସୁଯୋଗ ରହିଛି । ହେଲେ ପ୍ଲେ-ଅଫ୍ରେ ପହଞ୍ଚିବା ଏତେ ସହଜ ନୁହେଁ । ଚେନ୍ନାଇ ମୋଟ ୧୧ମ୍ୟାଚ୍ରୁ ୪ ବିଜୟ ସହ ୮ ପଏଣ୍ଟ ହାସଲ କରିଛି । ଫଳରେ ଆଜିର ମ୍ୟାଚ ସହ ଅନ୍ୟ ସବୁ ମ୍ୟାଚ ମଧ୍ୟ ଜିତିବାକୁ ପଡିବ ।
ମୋଟ ଉପରେ ନଜର ପକାଇଲେ ଅଦ୍ୟାବଧି ୫୫ ମ୍ୟାଚ୍ ଖେଳା ସରିଲାଣି । ଆଉ ୧୫ଟି ମୁକାବିଲା ବାକି ରହିଛି । ମାତ୍ର ଏ ଯାଏଁ ସ୍ପଷ୍ଟ ହୋଇ ପାରି ନାହିଁ ଯେ, କେଉଁ ଚାରି ଦଳ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିବେ । ମୁମ୍ବାଇ ଇଣ୍ଡିଆନ୍ସକୁ ବାଦ୍ ଦେଲେ ଏବେ ମଧ୍ୟ ପ୍ଲେ ଅଫରେ ପହଂଚିବା ପାଇଁ ବାକି ୯ଟି ଦଳ ମଧ୍ୟରେ ପ୍ରତିଯୋଗିତା ଚାଲିଛି । କେବଳ ଏତିକି ନୁହେଁ ମୁମ୍ବାଇ ଇଣ୍ଡିଆନ୍ସ ଶୀର୍ଷ ୪ରେ ନରହିଲେ ବି ପଂଚମ ନମ୍ବରରେ ରହି ନିଜର ଅଭିଯାନ ଶେଷ କରି ପାରିବ । ମୁମ୍ବାଇ ପ୍ରଥମ ୮ଟି ମ୍ୟାଚ୍ ହାରିବା ପରେ ଏବେ ଦୁଇଟି ମ୍ୟାଚ୍ ଜିତିଛି । ଯଦି ଏମଏସ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଉପରେ ନଜର ପକାଇବା ତେବେ ଦଳର ପ୍ଲେ ଅଫରେ ପହଂଚିବାର ଆଶା ଏବେ ବି ଉଜ୍ଜୀବିତ ରହିଛି । ଦିଲ୍ଲୀ ବିପକ୍ଷରେ ବିଶାଳ ବିଜୟ ପରେ ପ୍ଲେ ଅଫରେ ପହଂଚିବା ପାଇଁ ସିଏସକେ ନିକଟରେ ୩.୪ ପ୍ରତିଶତ ସୁଯୋଗ ରହିଛି । କେବଳ ଏତିକି ନୁହେଁ ଦଳ ଟପ୍ ୪ କିମ୍ବା ଟପ୍ ୩ରେ ମଧ୍ୟ ପହଂଚିପାରେ । ଏଥିପାଇଁ ପ୍ରଥମେ ଚେନ୍ନାଇକୁ ନିଜର ଅବଶିଷ୍ଟ ୩ ମ୍ୟାଚ୍ ଜିତିବାକୁ ପଡିବ । ଚେନ୍ନାଇ ୧୧ଟି ମ୍ୟାଚରୁ ୪ଟି ଜିତି ଆଇପିଏଲ ୨୦୨୨ର ପଏଂଟ ଟେବୁଲର ଅଷ୍ଟମ ସ୍ଥାନରେ ପହଂଚିଛି । ଯଦି ସିଏସକେ ଅବଶିଷ୍ଟ ୩ ମ୍ୟାଚ୍ ଜିତି ଯାଏ ତେବେ ଦଳର ପଏଂଟ ୧୪ ହେବ । ଏହି ପରି ଦଳ ପ୍ଲେ ଅଫରେ ପହଂଚିବାର ସୁଯୋଗ ରହିବ । ଯଦି ଚେନ୍ନାଇର ୧୪ ପଏଂଟ ହେବ ଏବଂ ବାକି ଦଳ ଏହି ପଏଂଟରେ ସିଜିନ ଶେଷ କରିବେ ତେବେ ନେଟ୍ ରନ ରେଟ୍ ଆଧାରରେ ଦଳ ପ୍ଲେ ଅଫରେ ପ୍ରବେଶ କରିବ । ଲକ୍ଷ୍ନୌ ସୁପର ଜିଆଂଟ୍ସ ଏବଂ ଗୁଜରାଟ ଟାଇଟନ୍ସ ଆଇପିଏଲ ୨୦୨୨ ପ୍ଲେ ଅଫରେ ପହଂଚିବା ନିଶ୍ଚିତ ହୋଇ ସାରିଛି । କାରଣ ଦୁଇ ଦଳ ୧୬ ଲେଖାଏଁ ପଏଂଟ ହାସଲ କରି ସାରିଛନ୍ତି । ଅନ୍ୟପଟେ ରାଜସ୍ଥାନ ରୟାଲ୍ସର ୧୪ ପଏଂଟ ହାସଲ କରି ସାରିଛି । ଆଉ ଏତିକି ପଏଂଟ ବେଙ୍ଗାଲୁରୁ ଖାତାରେ ମଧ୍ୟ ରହିଛି । ଏମିତିରେ ବାକି ଦଳ ନିକଟରେ ପ୍ଲେ ଅଫରେ ପହଂଚିବା ସୁଯୋଗ କମ ରହିଛି । ଯଦି ଚେନ୍ନାଇ ଏବଂ କୋଲକାତା ମଧ୍ୟରୁ ଗୋଟିଏ ଦଳ ମ୍ୟାଚ୍ ହାରିଯାଏ ତେବେ ପ୍ଲେ ଅଫ ଦୌଡରୁ ବାଦ୍ ପଡିବ ।
