ଆଇପିଏଲ-୨୦୨୨ : ଟସ୍ ଜିତି ଚେନ୍ନାଇର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ପଞ୍ଜାବ
ମୁମ୍ବାଇ : ଆଇପିଏଲ-୨୦୨୨ର ୧୧ତମ ଲିଗ୍ ମ୍ୟାଚ୍ରେ ରବିବାର ଚେନ୍ନାଇ ସୁପରକିଙ୍ଗ୍ସ ଓ ପଞ୍ଜାବ କିଙ୍ଗ୍ସ ମୁହାଁମୁହିଁ ହେବେ । ଏହି ମ୍ୟାଚ୍କୁ ନେଇ ଦର୍ଶକ ମହଲରେ ଉତ୍ସାହ ଦ୍ୱିଗୁଣା ହୋଇ ଯାଇଛି । ରବିବାର ସବୁ ଶକ୍ତି ଖଟାଇ ବିଜୟ ଖାତା ଖୋଲିବାକୁ ସୁପରକିଙ୍ଗ୍ସ ଲକ୍ଷ୍ୟ ରଖିଛି । ଫଳରେ ମ୍ୟାଚ୍ଟି ତୀବ୍ର ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି । ମ୍ୟାଚ୍ରେ ଟସ୍ ଜିତି ଚେନ୍ନାଇ ଅଧିନାୟକ ରବୀନ୍ଦ୍ର ଜାଡେଜା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଚେନ୍ନାଇର ଚୂଡାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ ହୋଇଛି। ତୁଷାରଙ୍କ ସ୍ଥାନରେ କ୍ରିସ ଜୋର୍ଡାନଙ୍କୁ ସାମିଲ୍ କରାଯାଇଛି।
ଡିଫେଣ୍ଡିଂ ଚାମ୍ପିଅନ୍ ସୁପରକିଙ୍ଗ୍ସ ପ୍ରଥମ ୨ଟି ମ୍ୟାଚ୍ ପରାଜିତ ହୋଇ ସାରିଛି । ପ୍ରଥମ ମ୍ୟାଚ୍ରେ କୋଲକାତା ନାଇଟ ରାଇଡର୍ସ ଓ ଦ୍ୱିତୀୟ ମ୍ୟାଚ୍ରେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଠାରୁ ପରାଜିତ ହୋଇଥିଲା । ଆହତ ସମସ୍ୟା ଦଳ ପାଇଁ ଚିନ୍ତାର କାରଣ ହୋଇଛି । ଆହତ ପେସ୍ ବୋଲର ଦୀପକ ଚହର ଚଳିତ ମାସ ଶେଷ ସୁଦ୍ଧା ଫେରିବାର ସମ୍ଭାବନା ନାହିଁ । ସେ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀରେ ଚିକିତ୍ସିତ ହେଉଛନ୍ତି । ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ୍ରେ ଆହତ ହୋଇଥିବା ପେସ ବୋଲର ଆଡାମ ମିଲନେ ଫିଟ୍ ହୋଇ ନାହାନ୍ତି। ସେହିପରି ପେସ୍ ବୋଲର କ୍ରିସ୍ ଜୋର୍ଡାନ ଅସୁସ୍ଥ ହୋଇ ଗତ ୬ଦିନ ହେଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ୩ଜଣ ପେସ୍ ବୋଲରଙ୍କ ଅନୁପସ୍ଥିତିରେ ସୁପରକିଙ୍ଗ୍ସକୁ ଶ୍ରେଷ୍ଠ ଏକାଦଶ ଚୟନ କରିବା କଷ୍ଟକର ହୋଇଯାଇଛି ।
ଅନ୍ୟ ପଟରେ ପଞ୍ଜାବ କିଙ୍ଗ୍ସ ଚିତ୍ତାକର୍ଷକ ବିଜୟ ସହ ସିଜନ ଆରମ୍ଭ କରିଥିଲେ ହେଁ ଦ୍ୱିତୀୟ ମ୍ୟାଚ୍ରେ କୋଲକାତା ନାଇଟ ରାଇଡର୍ସ ଠାରୁ ପରାଜିତ ହୋଇଥିଲା । ବିଜୟକୁ ଫେରିବା ପାଇଁ ଦଳ ବ୍ୟାକୁଳ । ତେବେ ଏହା ପୂର୍ବରୁ ଛୋଟ ମୋଟ୍ ତ୍ରୁଟି ସୁଧାରିବା ଜରୁରୀ । ବିଶେଷ କରି ବ୍ୟାଟିଂ ବିଭାଗକୁ ଦାୟିତ୍ୱ ମୁଣ୍ଡାଇବାକୁ ପଡ଼ିବ । ଉଭୟ ଦଳ ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା ନାହିଁ ।
ପଞ୍ଜାବ କିଙ୍ଗ୍ସ
ମୟଙ୍କ ଅଗ୍ରଓ୍ଵାଲ(ଅଧିନାୟକ), ଶିଖର ଧାଓ୍ଵନ, ଭାନୁକା ରାଜପକ୍ଷ(ଓ୍ଵିକେଟ୍ କିପର), ଲିୟାମ ଲିଭିଙ୍ଗଷ୍ଟୋନ, ଶାହରୁଖ ଖାନ, ଜିତେଶ ଶର୍ମା, ଓଡେନ ସ୍ମିଥ, ଅର୍ଶଦୀପ ସିଂହ, କାଗିସୋ ରାବଡା, ରାହୁଲ ଚହର, ବୈଭବ ଆରୋରା।
ଚେନ୍ନାଇ ସୁପର କିଙ୍ଗ୍ସ
ଋତୁରାଜ ଗାଏକଓ୍ଵାଡ, ରବିନ ଉଥପ୍ପା, ମୋଇନ ଅଲ୍ଲୀ, ଅମ୍ବତି ରାୟୁଡୁ, ରବୀନ୍ଦ୍ର ଜାଡେଜା(ଅଧିନାୟକ), ଏମଏସ ଧୋନୀ(ଓ୍ଵିକେଟ୍ କିପର), ଶିବମ ଦୁବେ, ଡ୍ଵେନ ବ୍ରାଭୋ, କ୍ରିସ୍ ଜୋର୍ଡାନ, ଡ୍ଵେନ ପ୍ରିଟୋରିୟସ, ମୁକେଶ ଚୌଧୁରୀ।
