ଆଇପିଏଲ୍-୨୦୨୨ : ଟସ୍ ଜିତି ଚେନ୍ନାଇର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ବାଙ୍ଗାଲୋର
ମୁମ୍ବାଇ : ଆଇପିଏଲ୍-୨୦୨୨ର ୪୯ତମ ଲିଗ୍ ମୁକାବିଲାରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଉଭୟ ଦଳ ନିକଟରେ ପ୍ଲେ-ଅଫ ସୁଯୋଗ ରହିଥିବାରୁ ମ୍ୟାଚ୍ ତୀବ୍ର ସଂଘର୍ଷପୂର୍ଣ୍ଣ ହେବା ନିଶ୍ଚିତ । ସୁପରକିଙ୍ଗସ ୯ଟି ମ୍ୟାଚ୍ ଖେଳି ୩ ବିଜୟ ସହ ମୋଟ୍ ୬ ପଏଣ୍ଟ ହାସଲ କରିଛି। ମୁକାବିଲାରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଚେନ୍ନାଇ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ମିଚେଲ୍ ସାଣ୍ଟନରଙ୍କ ସ୍ଥାନରେ ମୋଇନ ଅଲ୍ଲୀଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଛି।
ପ୍ଲେ-ଅଫରେ ପ୍ରବେଶ କରିବାକୁ ହେଲେ ଦଳକୁ ଶେଷ ୫ଟି ଯାକ ଲିଗ୍ ମ୍ୟାଚ୍ ଜିତିବାକୁ ହେବ । ଅନ୍ୟ ପଟରେ ରୟାଲ୍ ଚ୍ୟାଲେଞ୍ଜର୍ସ ୧୦ଟି ମ୍ୟାଚ୍ ଖେଳି ୫ ବିଜୟ ସହ ମୋଟ୍ ୧୦ ପଏଣ୍ଟ ହାତେଇ ସାରିଛି । ବାକି ୪ଟି ମ୍ୟାଚ୍ ଜିତିଲେ ଦଳର ପଏଣ୍ଟ ସଂଖ୍ୟା ୧୮ରେ ପହଞ୍ଚି ପାରିବ । ସୁପରକିଙ୍ଗ୍ସକୁ ହରାଇବା ରୟାଲ ଚ୍ୟାଲେଞ୍ଜର୍ସ ପକ୍ଷରେ ସହଜ ହେବ ନାହିଁ । ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ସୁପରକିଙ୍ଗ୍ସ ୨୩ ରନରେ ବିଜୟୀ ହୋଇଥିଲା। ଶେଷ ୫ଟି ମ୍ୟାଚରୁ ସୁପରକିଙ୍ଗ୍ସ ୪ଟି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସକୁ ହରାଇଛି । ଦଳର ଓପନିଂ ବିଭାଗ ଫର୍ମକୁ ଫେରିବା ପରେ ସୁପରକିଙ୍ଗ୍ସ ପୂର୍ବ ଲୟ ଫେରି ପାଇବା ଭଳି ମନେ ହେଉଛି । ଗତ ସନରାଇଜର୍ସ ବିପକ୍ଷ ମ୍ୟାଚରେ ଋତୁରାଜ ଗାଏକୱାଡ୍ ଓ ଡେଭନ କନୱେ ଓପନ କରିଥିଲେ । ଗାଏକୱାଡ୍ ୯୯ ସଂଗ୍ରହ କରିଥିଲେ । କନୱେ ମଧ୍ୟ ଅପରାଜିତ ୮୫ରନ୍ର ଇନିଂସ ଖେଳିଥିଲେ ।
ରୟାଲ୍ ଚ୍ୟାଲେଞ୍ଜର୍ସ ଗତ ୧୪ ଦିନ ହେଲା କୌଣସି ମ୍ୟାଚ୍ ଜିତିନାହିଁ । ବ୍ୟାଟିଂ ବିଭାଗର ନୈରାଶ୍ୟଜନକ ପ୍ରଦର୍ଶନଯୋଗୁ ରୟାଲ୍ ଚ୍ୟାଲେଞ୍ଜର୍ସକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ବୋଲିଂ ବିଭାଗର ପ୍ରଦର୍ଶନ ଉନ୍ନତ ରହିଛି । ମହମ୍ମଦ ସିରାଜ, ଜୋସ ହାଜେଲଉଡ୍ ଓ ୱାନିଣ୍ଡୁ ହସରଙ୍ଗା ସୁନ୍ଦର ବୋଲିଂ କରୁଛନ୍ତି । କେବଳ ବ୍ୟାଟିଂ ବିଭାଗକୁ ଦାୟିତ୍ୱ ମୁଣ୍ଡାଇବାକୁ ହେବ । ଅବଶ୍ୟ ଗତ ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍ରେ ବିରାଟ କୋହଲି ଓ ରଜତ ପତିଦର ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଆସନ୍ତା କାଲି କୋହଲିଙ୍କ ଉପରେ ନଜର ରହିବ । ସେ କେବଳ ସୁପରକିଙ୍ଗ୍ସ ବିପକ୍ଷରେ ସର୍ବାଧିକ ୯୪୯ ରନ୍ ସଂଗ୍ରହ କରିସାରିଛନ୍ତି । ଆସନ୍ତା କାଲି ସେ ୧୦୦୦ ରନ୍ ପୂରଣ କରିବାର ସୁଯୋଗ ରହିଛି । ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷରେ ମହେନ୍ଦ୍ର ସିଂ ଧୋନି ସର୍ବାଧିକ ୪୬ଟି ଛକା ମାରି ସାରିଛନ୍ତି ।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ :
ଫାଫ୍ ଡୁ ପ୍ଲେସିସ୍ (ଅଧିନାୟକ), ବିରାଟ କୋହଲି, ରଜତ ପାଟିଦାର, ଗ୍ଲେନ୍ ମ୍ୟାକ୍ସୱେଲ, ଶାହାବାଜ ଅହମ୍ମଦ, ଦିନେଶ କାର୍ତ୍ତିକ (ଓ୍ଵିକେଟ୍ କିପର), ମହିପାଲ ଲୋମୋର, ୱାନିନ୍ଦୁ ହସରଙ୍ଗା, ହର୍ଷଲ ପଟେଲ, ମହମ୍ମଦ ସିରାଜ, ଜୋଶ ହାଜଲେଉଡ୍।
ଚେନ୍ନାଇ ସୁପର କିଙ୍ଗ୍ସ :
ରୁତୁରାଜ ଗାଏକୱାଡ, ଡେଭନ୍ କନୱେ, ମୋଇନ୍ ଅଲ୍ଲୀ, ରବିନ୍ ଉଥାପ୍ପା, ଅମ୍ବାତି ରାୟୁଡୁ, ଏମ୍.ଏସ୍ ଧୋନି (w / c), ରବିନ୍ଦ୍ର ଜାଡେଜା, ଡ୍ଵେନ ପ୍ରିଟୋରିୟସ୍, ସିମରଜିତ୍ ସିଂ, ମୁକେଶ ଚୌଧୁରୀ, ମହେଶ ଥାକଶାନା।
