ଆଇପିଏଲ-୨୦୨୨ : ବଟଲରଙ୍କ ଦମଦାର ଅର୍ଦ୍ଧଶତକ, ଆରସିବିକୁ ୧୭୦ ରନ୍ର ଟାର୍ଗେଟ
ମୁମ୍ବାଇ : ଆଇପିଏଲ-୨୦୨୨ରେ ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ ଖେଳା ଯାଉଛି। ଏହି ମ୍ୟାଚରେ ପୁଣି ଚମକିଲେ ଜୋସ୍ ବଟଲର। ଚମତ୍କାର ଫର୍ମରେ ଥିବା ଜୋସ୍ ବଟଲରଙ୍କ ଦମଦାର ଅର୍ଦ୍ଧଶତକ ବଳରେ ରାଜସ୍ଥାନ ରୟାଲ୍ସ ଆଇପିଏଲର ୧୩ମ ମ୍ୟାଚ୍ରେ ୩ ଓ୍ଵିକେଟ୍ ହରାଇ ୧୬୯ ରନ କରିଛି। ବଟଲରଙ୍କ ଅପରାଜିତ ୭୦ ରନ ବଳରେ ନିର୍ଦ୍ଧାରିତ ଓଭରରେ ରାଜସ୍ଥାନ ଏହି ସ୍କୋର କରି ପାରିଛି। ତାଙ୍କ ବ୍ୟତୀତ ସିମରନ ହେଟମାୟର ୪୨ ଏବଂ ଦେବଦତ୍ତ ପାଡିକଲ ୩୭ ରନ କରିଛନ୍ତି। ବେଙ୍ଗାଲୁରୁକୁ ଜିତିବା ପାଇଁ ୧୭୦ ରନର ବିଜୟ ଲକ୍ଷ୍ୟ ମିଳିଛି। ଏହା ପୂର୍ବରୁ ଟସ୍ ଜିତି ବେଙ୍ଗାଲୁରୁ ବୋଲିଂ ନିଷ୍ପତ୍ତି ନେଇଥିଲା।
ମୁମ୍ବାଇର ୱାଙ୍ଖଡେରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଆରସିବି ଅଧିନାୟକ ଫାଫ ଡୁପ୍ଲେସିସ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଆରମ୍ଭରୁ ରାଜସ୍ଥାନର ଦୁଇ ଓପନର ବଟଲର ଓ ଯଶ୍ୱସୀ ଜୈସୱାଲ ବେଶ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲେ। କିନ୍ତୁ ଦ୍ୱିତୀୟ ଓଭର୍ର ୫ମ ବଲରେ ଡାଭିଡ ୱିଲୀ ମାତ୍ର ୪ ରନ୍ କରିଥିବା ଜୈସୱାଲଙ୍କୁ ଆଉଟ କରି ରାଜସ୍ଥାନକୁ ପ୍ରଥମ ଝଟକା ଦେଇଥିଲେ।ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଦେବଦତ୍ତ ପାଡିକ୍କଲ ଦମଦାର ବ୍ୟାଟିଂ କରିଥିଲେ। ବଟଲର ତାଙ୍କୁ ଭରପୂର ସହଯୋଗ କରିଥିଲେ। ପାଡିକ୍କଲ ୨୯ ବଲ୍ରେ ୩୭ ରନ୍ର ଇନିଂସ ଖେଳି ହର୍ଷଲ ପଟେଲଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଅଧିନାୟକ ସଞ୍ଜୁ ସାମସନ ମାତ୍ର ୮ ରନ୍ କରି ହସରଙ୍ଗା ବଲରେ ଆଉଟ ହୋଇଯାଇଥିଲେ। ୧୧.୪ ଓଭ ସୁଦ୍ଧା ରାଜସ୍ଥାନ ୮୬ ରନ୍ରେ ୩ ୱିକେଟ ହରାଇଥିଲା। ବଟଲର ମଧ୍ୟ ଧିମା ଖେଳୁଥିବାରୁ ରାଜସ୍ଥାନ ବଡ଼ ସ୍କୋର କରିପାରିବ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ତେବେ ଏହିଠାରୁ ହିଁ ବଟଲର ଓ ହେଟମେୟର ଯୋଡ଼ି ନିଜର ବ୍ୟାଟିଂ ଗିୟର ବଦଳାଇଥିଲେ। ପ୍ରତିଟି ବାଙ୍ଗାଲୋର ବୋଲରଙ୍କୁ କାଉଣ୍ଟର ଆଟାକ କରି ଦ୍ରୁତ ଗତିରେ ରନ୍ ସଂଗ୍ରହ କରିଥିଲେ। ଏଥିସହ ବଟଲର ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଶେଷ ୫ ଓଭର୍ରେ ରାଜସ୍ଥାନ ୧୩.୨୦ ହାର୍ରେ ୬୬ ରନ୍ ସଂଗ୍ରହ କରିବାରୁ ଦଳ ୩ ୱିକେଟ ହରାଇ ୧୬୯ ରନ୍ କରିପାରିଛି। ବଟଲର ୪୭ ବଲରେ ଅପରାଜିତ ୭୦ ଓ ହେଟେମୟର ୩୧ ବଲ୍ରେ ଅପରାଜିତ ୪୨ ରନ୍ର ଇନିଂସ ଖେଳିଛନ୍ତି। ବଟଲର ତାଙ୍କ ଇନିଂସରେ ୬ଟି ଛକା ମାରିଥିବା ବେଳେ ହେଟମେୟର ୪ଟି ଚୌକା ଓ ୨ଟି ବିଶାଳ ଛକା ମାରିଛନ୍ତି। ଆରସିବି ପକ୍ଷରୁ ଡାଭିଡ ୱିଲୀ, ହସରଙ୍ଗା ଓ ହର୍ଷଲ ପଟେଲ ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।
