ଆଇପିଏଲ୍-୨୦୨୨ : ୪ ଉଇକେଟ୍ରେ ଜିତିଲା ବାଙ୍ଗାଲୋର, ରାଜସ୍ଥାନର ପ୍ରଥମ ପରାଜୟ
ମୁମ୍ବାଇ : ଆଇପିଏଲ-୨୦୨୨ର ୧୩ତମ ମ୍ୟାଚ୍ରେ ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ ଖେଳା ଯାଇଥିଲା । ଏଥିରେ ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକ ଏବଂ ଶାହବାଜ ଅହମ୍ମଦଙ୍କ ବିସ୍ଫୋରକ ବ୍ୟାଟିଂ ଦମଦାର ବ୍ୟାଟିଂ ବଳରେ ୪ ଉଇକେଟ୍ରେ ଜିତିଲା ବାଙ୍ଗାଲୋର । ଏହି ବିଜୟ ସହ ବାଙ୍ଗାଲୋର ୩ଟି ମ୍ୟାଚରୁ ୨ଟି ବିଜୟ ହାସଲ କରିଛି । ସେହିପରି ରାଜସ୍ଥାନ ୩ଟି ମ୍ୟାଚରୁ ପ୍ରଥମ ପରାଜୟ ସହ ସମାନ ସଂଖ୍ୟକ ୨ଟି ବିଜୟ ହାସଲ କରିଛି ।
ମୁମ୍ବାଇର ୱାଙ୍ଖଡେରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଆରସିବି ଅଧିନାୟକ ଫାଫ ଡୁପ୍ଲେସିସ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଆରମ୍ଭରୁ ରାଜସ୍ଥାନର ଦୁଇ ଓପନର ବଟଲର ଓ ଯଶ୍ୱସୀ ଜୈସୱାଲ ବେଶ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲେ। କିନ୍ତୁ ଦ୍ୱିତୀୟ ଓଭର୍ର ୫ମ ବଲରେ ଡାଭିଡ ୱିଲୀ ମାତ୍ର ୪ ରନ୍ କରିଥିବା ଜୈସୱାଲଙ୍କୁ ଆଉଟ କରି ରାଜସ୍ଥାନକୁ ପ୍ରଥମ ଝଟକା ଦେଇଥିଲେ।ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଦେବଦତ୍ତ ପାଡିକ୍କଲ ଦମଦାର ବ୍ୟାଟିଂ କରିଥିଲେ। ବଟଲର ତାଙ୍କୁ ଭରପୂର ସହଯୋଗ କରିଥିଲେ। ପାଡିକ୍କଲ ୨୯ ବଲ୍ରେ ୩୭ ରନ୍ର ଇନିଂସ ଖେଳି ହର୍ଷଲ ପଟେଲଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଅଧିନାୟକ ସଞ୍ଜୁ ସାମସନ ମାତ୍ର ୮ ରନ୍ କରି ହସରଙ୍ଗା ବଲରେ ଆଉଟ ହୋଇଯାଇଥିଲେ। ୧୧.୪ ଓଭ ସୁଦ୍ଧା ରାଜସ୍ଥାନ ୮୬ ରନ୍ରେ ୩ ୱିକେଟ ହରାଇଥିଲା। ବଟଲର ମଧ୍ୟ ଧିମା ଖେଳୁଥିବାରୁ ରାଜସ୍ଥାନ ବଡ଼ ସ୍କୋର କରିପାରିବ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ତେବେ ଏହିଠାରୁ ହିଁ ବଟଲର ଓ ହେଟମେୟର ଯୋଡ଼ି ନିଜର ବ୍ୟାଟିଂ ଗିୟର ବଦଳାଇଥିଲେ। ପ୍ରତିଟି ବାଙ୍ଗାଲୋର ବୋଲରଙ୍କୁ କାଉଣ୍ଟର ଆଟାକ କରି ଦ୍ରୁତ ଗତିରେ ରନ୍ ସଂଗ୍ରହ କରିଥିଲେ। ଏଥିସହ ବଟଲର ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଶେଷ ୫ ଓଭର୍ରେ ରାଜସ୍ଥାନ ୧୩.୨୦ ହାର୍ରେ ୬୬ ରନ୍ ସଂଗ୍ରହ କରିବାରୁ ଦଳ ୩ ୱିକେଟ ହରାଇ ୧୬୯ ରନ୍ କରିପାରିଛି। ବଟଲର ୪୭ ବଲରେ ଅପରାଜିତ ୭୦ ଓ ହେଟେମୟର ୩୧ ବଲ୍ରେ ଅପରାଜିତ ୪୨ ରନ୍ର ଇନିଂସ ଖେଳିଛନ୍ତି। ବଟଲର ତାଙ୍କ ଇନିଂସରେ ୬ଟି ଛକା ମାରିଥିବା ବେଳେ ହେଟମେୟର ୪ଟି ଚୌକା ଓ ୨ଟି ବିଶାଳ ଛକା ମାରିଛନ୍ତି। ଆରସିବି ପକ୍ଷରୁ ଡାଭିଡ ୱିଲୀ, ହସରଙ୍ଗା ଓ ହର୍ଷଲ ପଟେଲ ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।
୧୭୦ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ବେଙ୍ଗାଲୁରୁକୁ ଅଧିନାୟକ ଫାଫ ଡୁପ୍ଲେସିସ୍ ଓ ଅଞ୍ଜୁ ରାଓ୍ଵତ ଭଲ ଆରମ୍ଭ ଦେଇଥିଲେ। ୭ ଓଭରରେ ଓପନିଂ ଯୋଡିରେ ୫୫ ରନ ଯୋଡିଥିଲେ। ଡୁପ୍ଲେସିସ୍ ୨୯ ରନ କରି ଆଉଟ୍ ହୋଇଛନ୍ତି। ଏହା ପରେ ବେଙ୍ଗାଲୁରୁ ଲଗାତାର ୪ ଓ୍ଵିକେଟ୍ ହରାଇଥିଲା। ପୁଣି ଅଞ୍ଜୁ ରାଓ୍ଵତ ୨୬ ରନ କରି ପାଭିଲିୟନ ଫେରିଥିଲେ। ବିରାଟ କୋହଲି(୫) ରନ ଆଉଟ୍ ହୋଇଥିଲେ। ସେଫାରନ ରଦରଫର୍ଡ(୫) ମଧ୍ୟ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ୮୭ ରନରେ ୫ ଓ୍ଵିକେଟ୍ ହରାଇ ବିପଦରେ ପଡିଥିବା ବେଙ୍ଗାଲୁରୁକୁ ସାହା ହୋଇଥିଲେ ଶାହବାଜ ଅହମ୍ମଦ ଏବଂ ଦିନେଶ କାର୍ତ୍ତିକ। ଉଭୟ ବ୍ୟାଟସମ୍ୟାନ ଦ୍ରୁତ ଗତିରେ ବ୍ୟାଟିଂ କରି ଦଳକୁ ଚାପରୁ ମୁକ୍ତ କରିବା ସହ ବିଜୟ ଆଡକୁ ନେଇଥିଲେ। ଷଷ୍ଠ ଓ୍ଵିକେଟ୍ରେ ୬୭ ରନ ଯୋଡିଥିଲେ। ଶାହବାଜ ବିସ୍ଫୋରକ ବ୍ୟାଟିଂ କରି ୨୬ ବଲ୍ରୁ ୪ ଚୌକା ଏବଂ ୩ ଛକା ସହ ୪୫ ରନ କରିଥିଲେ। ଦିନେଶ କାର୍ତ୍ତିକ ନିଜର ଧୂଆଁଧାର ବ୍ୟାଟିଂ ଜାରି ରଖି ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ୪ ଓ୍ଵିକେଟରେ ଜିତାଇଛନ୍ତି। କାର୍ତ୍ତିକ ୨୩ ବଲରୁ ୭ ଚୌକା ଏବଂ ୧ ଛକା ବଳରେ ୪୪ ରନ କରିଥିଲେ। ଆରସିବି ୧୯.୧ ଓଭରରେ ୬ ଓ୍ଵିକେଟ୍ ହରାଇ ଲକ୍ଷ୍ୟ ହାସଲ କରି ନେଇଛି।
