ଆଇପିଏଲ-୨୦୨୨ : ଲକ୍ଷ୍ନୌକୁ ୧୮୨ ରନର ଟାର୍ଗେଟ ଦେଲା ବାଙ୍ଗାଲୋର
ମୁମ୍ବାଇ : ମୁମ୍ବାଇର ଡ.ଡି.ଓ୍ବାଇ. ପାଟିଲ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୨ର ୩୧ତମ ମ୍ୟାଚରେ ଲକ୍ଷ୍ନୌ ଆଗରେ ୧୮୨ରନର ବିଜୟ ଲକ୍ଷ୍ୟ ରଖିଛି ବାଙ୍ଗାଲୋର । ଫାଫ ଡୁପ୍ଲେସିସଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଆଇପିଏଲର ୩୧ତମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଲକ୍ଷ୍ନୌ ସୁପର ଜାଏଣ୍ଟସ ବିରୋଧରେ ପ୍ରଭାବଶାଳୀ ସ୍କୋର କରିଛି। ଫାଫ ଡୁପ୍ଲେସିସ୍ଙ୍କ ୯୬ ରନ ବଳରେ ବେଙ୍ଗାଲୁରୁ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୮୧ ରନ କରିଛି। ମ୍ୟାଚ୍ ଜିତିବା ପାଇଁ ଲକ୍ଷ୍ନୌ ସମ୍ମୁଖରେ ୧୮୨ ରନର ବିଜୟ ଲକ୍ଷ୍ୟ ରହିଛି। ତେବେ ଶେଷ ଦୁଇ ଓଭରରେ ବେଙ୍ଗାଲୁରୁର ବ୍ୟାଟସମ୍ୟାନଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲା ଲକ୍ଷ୍ନୌ। ଫଳରେ ବେଙ୍ଗାଲୁରୁର ସ୍କୋର ୨୦୦ ପହଞ୍ଚି ପାରି ନାହିଁ। ଦଳ ପକ୍ଷରୁ ଜାସନ ହୋଲଡର ୨୫ ରନ ଦେଇ ୨ ଏବଂ ଦୁଷ୍ମନ୍ତ ଚମିରା ୩୧ ରନ ଦେଇ ୨ଟି ସଫଳତା ପାଇଛନ୍ତି।
ମ୍ୟାଚରେ ଲକ୍ଷ୍ନୌ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ଆରମ୍ଭରୁ ଦୁଇଟି ବଡ ଝଟକା ଲାଗିଥିଲା। ଦଳୀୟ ସ୍କୋର ୭ ରନରେ ଅନୁଜ ରାଓ୍ଵତ(୪) ଏବଂ ବିରାଟ କୋହଲି ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ଗ୍ଲେନ ମ୍ୟାକ୍ସଓ୍ଵେଲ ୧୧ ବଲରୁ ଦ୍ରୁତ ୨୩ ରନ କରି ପାଭିଲିୟନ ଫେରିଥିଲେ। ପୁଣି ସୁୟସ ପ୍ରଭୁଦେଶାଇ(୧୦) ଆଉଟ୍ ହୋଇଥିଲେ। ୬୨ ରନରେ ୪ ଓ୍ଵିକେଟ୍ ହରାଇ ଚାପର ବଶବର୍ତ୍ତୀ ହୋଇଥିବା ବେଙ୍ଗାଲୁରୁ ଇନିଂସକୁ ଆଗକୁ ବଢାଇଥିଲେ ଅଧିନାୟକ ଡୁପ୍ଲେସିସ୍ ଏବଂ ଶାହବାଜ ଅହମ୍ମଦ। ଡୁପ୍ଲେସିସ୍ ଦ୍ରୁତ ବ୍ୟାଟିଂ କରିଥିଲେ। ତାଙ୍କୁ ଶାହବାଜ ଉତ୍ତମ ସହଯୋଗ କରିଥିଲେ। ଦୁଇ ବ୍ୟାଟସମ୍ୟାନ ପଞ୍ଚମ ଓ୍ଵିକେଟରେ ୭୦ ରନ ଯୋଡି ଦଳର ସ୍ଥିତରେ ସୁଧାର ଆଣିଥିଲେ। ଦଳୀୟ ସ୍କୋର ୧୩୨ ରନରେ ଶାହବାଜ ୨୬ ରନ କରି ଆଉଟ୍ ହୋଇଥିଲେ। ଅର୍ଦ୍ଧଶତକ ହାସଲ କରି ଶତକ ଆଡକୁ ଅଗ୍ରସର ହୋଇଥିବା ଡୁପ୍ଲେସିସ୍ ୯୬ ରନରେ ଆଉଟ୍ ହୋଇଥିଲେ। ସେ ୬୪ ବଲ୍ରୁ ୧୧ ଚୌକା ଏବଂ ୨ ଛକା ମାରିଥିଲେ। ଦଳ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୮୧ ରନ କରିଥିଲା। ଦିନେଶ କାର୍ତ୍ତିକ ୧୩ ରନରେ ଅପରାଜିତ ଥିଲେ। ଲକ୍ଷ୍ନୌ ତରଫରୁ ଜାସନ ହୋଲଡର ଓ ଦୁଷ୍ମନ୍ତ ଚମିରା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସୂଚନା ଯେ, ଚଳିତ ଆଇପିଏଲରେ ଉଭୟ ଦଳର ସ୍ଥିତି ପ୍ରାୟତଃ ସମାନ ରହିଛି । ଉଭୟ ଦଳ ୬ଟି ଲେଖାଏଁ ମ୍ୟାଚ ଖେଳି ୪ଟି ଲେଖାଏଁ ମ୍ୟାଚରେ ବିଜୟ ହାସଲ କରିଛନ୍ତି ଓ ୮ ପଏଣ୍ଟ ଲେଖାଏଁ ପାଇଛନ୍ତି । ତେବେ ନେଟ୍ ରନରେଟ୍ ହାରରେ ଲକ୍ଷ୍ନୌ ବାଙ୍ଗାଲୋରଠାରୁ ଗୋଟିଏ ସୋପାନ ଉପରେ ରହିଛି ।
