ଆଇପିଏଲ୍-୨୦୨୨ : ଗୁଜରାଟକୁ ୧୭୧ ରନର ଟାର୍ଗେଟ ଦେଲା ବାଙ୍ଗାଲୋର
ମୁମ୍ବାଇ : ଆଇପିଏଲ୍-୨୦୨୨ର ୪୩ତମ ଲିଗ୍ ମ୍ୟାଚ୍ରେ ଶନିବାର ମୁହାଁମୁହିଁ ହୋଇଛନ୍ତି ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । କ୍ରମାଗତ ବିଫଳ ପରେ ଫର୍ମକୁ ଫେରିବାର ସଙ୍କେତ ଦେଇଥିବା ବିରାଟ କୋହଲି ଏବଂ ରଜତ ପାଟିଦାରଙ୍କ ଅର୍ଦ୍ଧଶତକ ଦମରେ ଆଇପିଏଲ ୨୦୨୨ର ୪୩ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୬ ଓ୍ଵିକେଟ୍ ହରାଇ ୧୭୦ ରନ କରିଛି। ଗୁଜରାଟ ଟାଇଟନ୍ସ ସମ୍ମୁଖରେ ୧୭୧ ରନର ବିଜୟ ଲକ୍ଷ୍ୟ ରହିଛି। ବାଙ୍ଗାଲୋର ପକ୍ଷରୁ ବିରାଟ କୋହଲି ସର୍ବାଧିକ ୫୮ ରନ ଏବଂ ରଜତ ପାଟିଦାର ୫୨ ରନ କରିଥିଲେ। ଗ୍ଲେନ ମ୍ୟାକ୍ସଓ୍ଵେଲ ୧୮ ବଲରୁ ୩୩ ରନର ଦ୍ରୁତ ଇନିଂସ ଖେଳିଥିଲେ। ତେବେ କୋହଲିଙ୍କ ଇନିଂସ ଧିମା ରହିଥିଲା।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ବାଙ୍ଗାଲୋର । ଦଳୀୟ ସ୍କୋର ୧୧ ରନରେ ଅଧିନାୟକ ଫାପ ଡୁପ୍ଲେସିସ୍(୦) ଆଉଟ୍ ହୋଇଥିଲେ। ଏହା ପରେ ବିରାଟ କେହାଲି ଏବଂ ରଜତ ପାଟିଦାର ସ୍କୋରକୁ ଆଗକୁ ବଢାଇଥିଲେ। ଖରାପ ଫର୍ମକୁ ଦେଇ ସଂଘର୍ଷ କରୁଥିବା ବିରାଟ କୋହଲି ଧୈର୍ଯ୍ୟର ସହ ଦେଖିଚାହିଁ ବ୍ୟାଟିଂ କରିଥିଲେ। ଅନ୍ୟପଟେ ରଜତ ପାଟିଦାର ଦ୍ରୁତ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟସମ୍ୟାନ ଦ୍ଵିତୀୟ ଓ୍ଵିକେଟରେ ୯୯ ରନ ଯୋଡି ସ୍ଥିତି ମଜବୁତ କରିଥିଲେ। ରଜତ ପାଟିଦାର ୩୨ ବଲରୁ ୫ ଚୌକା ଏବଂ ୨ ଛକା ସହ ୫୨ ରନ କରିଥିଲେ। ଅନ୍ୟପଟେ କ୍ରମାଗତ ବିଫଳ ହେଉଥିବା କୋହଲି ଆଜିର ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ଧିମା ବ୍ୟାଟିଂ କରି ୫୩ ବଲରୁ ୮ ଚୌକା ଏବଂ ୧ ଛକା ସହ ୫୮ ରନ କରିଥିଲେ। ଦିନେଶ କାର୍ତ୍ତିକ(୨) ବିଫଳ ହୋଇଥିଲେ। ଗ୍ଲେନ ମ୍ୟାକ୍ସଓ୍ଵେଲ ଦ୍ରୁତ ବ୍ୟାଟିଂ କରି ୧୮ ବଲରୁ ୩ ଚୌକା ଏବଂ ୨ ଛକା ସହ ୩୩ ରନ କରି ପାଭିଲିୟନ ଫେରିଥିଲେ। ଶେଷ ଆଡକୁ ମନିପଲ ଲୋମରର ୧୬ ରନ କରିଥିଲେ। ବେଙ୍ଗାଲୁରୁ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୭୦ ରନ କରିଛି।
