ଆଇପିଏଲ୍-୨୦୨୨ : ଲକ୍ଷ୍ନୌକୁ ୧୮ ରନରେ ହରାଇଲା ବାଙ୍ଗାଲୋର
ମୁମ୍ବାଇ : ମୁମ୍ବାଇର ଡ.ଡି.ଓ୍ବାଇ. ପାଟିଲ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୨ର ୩୧ତମ ମ୍ୟାଚରେ ରୋମାଞ୍ଚକର ଖେଳ ଦେଖିବାକୁ ମିଳିଛି । ଅଧିନାୟକ ଫାପ ଡୁପ୍ଲେସିସ୍ଙ୍କ ଦମଦାର ଅର୍ଦ୍ଧଶତକୀୟ ଇନିଂସ ଏବଂ ଜୋସ ହେଜେଲଉଡଙ୍କ ଶାଣିତ ବୋଲିଂ ବଳରେ ଆଇପିଏଲର ୩୧ତମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୧୮ ରନରେ ହରାଇଛି । ଏହି ବିଜୟ ସହିତ ବାଙ୍ଗାଲୋର ପଏଣ୍ଟ ତାଲିକାର ଦ୍ଵିତୀୟ ସ୍ଥାନକୁ ଉଠିଛି। ଅପରପକ୍ଷେ ଲକ୍ଷ୍ନୌ ଚତୁର୍ଥ ସ୍ଥାନକୁ ଖସି ଆସିଛି ।
ମ୍ୟାଚରେ ଲକ୍ଷ୍ନୌ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ବାଙ୍ଗାଲୋର ଆରମ୍ଭରୁ ଦୁଇଟି ବଡ ଝଟକା ଲାଗିଥିଲା। ଦଳୀୟ ସ୍କୋର ୭ ରନରେ ଅନୁଜ ରାଓ୍ଵତ(୪) ଏବଂ ବିରାଟ କୋହଲି ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ଗ୍ଲେନ ମ୍ୟାକ୍ସଓ୍ଵେଲ ୧୧ ବଲରୁ ଦ୍ରୁତ ୨୩ ରନ କରି ପାଭିଲିୟନ ଫେରିଥିଲେ। ପୁଣି ସୁୟସ ପ୍ରଭୁଦେଶାଇ(୧୦) ଆଉଟ୍ ହୋଇଥିଲେ। ୬୨ ରନରେ ୪ ଓ୍ଵିକେଟ୍ ହରାଇ ଚାପର ବଶବର୍ତ୍ତୀ ହୋଇଥିବା ବେଙ୍ଗାଲୁରୁ ଇନିଂସକୁ ଆଗକୁ ବଢାଇଥିଲେ ଅଧିନାୟକ ଡୁପ୍ଲେସିସ୍ ଏବଂ ଶାହବାଜ ଅହମ୍ମଦ। ଡୁପ୍ଲେସିସ୍ ଦ୍ରୁତ ବ୍ୟାଟିଂ କରିଥିଲେ। ତାଙ୍କୁ ଶାହବାଜ ଉତ୍ତମ ସହଯୋଗ କରିଥିଲେ। ଦୁଇ ବ୍ୟାଟସମ୍ୟାନ ପଞ୍ଚମ ଓ୍ଵିକେଟରେ ୭୦ ରନ ଯୋଡି ଦଳର ସ୍ଥିତରେ ସୁଧାର ଆଣିଥିଲେ। ଦଳୀୟ ସ୍କୋର ୧୩୨ ରନରେ ଶାହବାଜ ୨୬ ରନ କରି ଆଉଟ୍ ହୋଇଥିଲେ। ଅର୍ଦ୍ଧଶତକ ହାସଲ କରି ଶତକ ଆଡକୁ ଅଗ୍ରସର ହୋଇଥିବା ଡୁପ୍ଲେସିସ୍ ୯୬ ରନରେ ଆଉଟ୍ ହୋଇଥିଲେ। ସେ ୬୪ ବଲ୍ରୁ ୧୧ ଚୌକା ଏବଂ ୨ ଛକା ମାରିଥିଲେ। ଦଳ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୮୧ ରନ କରିଥିଲା। ଦିନେଶ କାର୍ତ୍ତିକ ୧୩ ରନରେ ଅପରାଜିତ ଥିଲେ। ଲକ୍ଷ୍ନୌ ତରଫରୁ ଜାସନ ହୋଲଡର ଓ ଦୁଷ୍ମନ୍ତ ଚମିରା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
ଜବାବରେ ଲକ୍ଷ୍ନୌ ୮ ଓ୍ଵିକେଟ୍ ହରାଇ ୧୬୩ ରନ କରିବାକୁ ସକ୍ଷମ ହୋଇଛି। କୃଣାଲ ପାଣ୍ଡ୍ୟା ୪୨ ରନ ଏବଂ କେଏଲ ରାହୁଲ ୩୦ ରନ କରିଥିଲେ। ବେଙ୍ଗାଲୁରୁ ପକ୍ଷରୁ ଜୋସ ହେଜେଲଉଡ ୨୫ ରନ ଦେଇ ୪ ଓ୍ଵିକେଟ୍ ନେଇ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଲକ୍ଷ୍ନୌର କୌଣସି ବ୍ୟାଟସମ୍ୟାନ ବଡ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ବିଶେଷ କରି ଶେଷ ଆଡକୁ ଦଳ ଦ୍ରୁତ ଗତିରେ ରନ ସଂଗ୍ରହ କରିନପାରିବା କାରଣରୁ ମ୍ୟାଚ୍ ହାରିବାକୁ ପଡିଛି।
