ଆଇପିଏଲ-୨୦୨୧ : ଆଜି ଆର୍ସିବି-ଏମ୍ଆଇ ମୁକାବିଲା
ଦୁବାଇ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୧ରେ ଦ୍ଵିତୀୟ ଚରଣରେ ରବିବାର ଡବଲ ମ୍ୟାଚ ଦେଖିବାକୁ ମିଳିବ। ଆବୁଧାବିରେ ଖେଳାଯିବାକୁ ଥିବା ଅପରାହ୍ନ ମ୍ୟାଚ୍ରେ ଚର୍ଚ୍ଚିତ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍କେ)କୁ ଆତ୍ମବିଶ୍ବାସଭରା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଭେଟିବ। ସେହିଭଳି ରାତି ମ୍ୟାଚ୍ରେ ପ୍ରଥମ ଟ୍ରଫି ସନ୍ଧାନରେ ଥିବା ବିରାଟ କୋହଲିଙ୍କ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ଏବଂ ରୋହିତ ଶର୍ମାଙ୍କ ତାରକା ଖଚିତ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍ଆଇ) ମୁହାଁମୁହିଁ ହେବେ। ଉଭୟ ମ୍ୟାଚ୍ ବେଶ୍ ଉତ୍କଣ୍ଠାଭରା ଏବଂ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ଏହା ପୂର୍ବରୁ ଦ୍ବିତୀୟ ପର୍ଯ୍ୟାୟର ପ୍ରଥମ ଯୁଗଳ ମୁକାବିଲାରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସକୁ ରାଜସ୍ଥାନ ରୟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦକୁ ପଞ୍ଜାବ କିଙ୍ଗ୍ସ ଭେଟିଥିଲା।
ରବିବାରର ଦ୍ଵିତୀୟ ଆଇପିଏଲ୍ ମୁକାବିଲାରେ ଦୁଇ ଶକ୍ତିଶାଳୀ ଦଳ ଏମ୍ଆଇ ଏବଂ ଆର୍ସିବି ମୁହାଁମୁହିଁ ହେବେ। ଉଭୟ ଦଳ ଦ୍ଵିତୀୟ ଚରଣରେ ନିଜ ନିଜର ପ୍ରଥମ ବିଜୟ ଲକ୍ଷ୍ୟରେ ରହିବେ। କାରଣ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ସହ ବିରାଟ କୋହଲିଙ୍କ ଆର୍ସିବି ନିଜ ନିଜର ପ୍ରଥମ ଦୁଇ ମ୍ୟାଚ୍ରେ ପରାଜିତ ହୋଇଛନ୍ତି। ଆର୍ସିବିକୁ କେକେଆର୍ ଓ ସିଏସ୍କେ ପରାସ୍ତ କରିଛନ୍ତି। ଅନ୍ୟପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ପୁରୁଣା ପ୍ରତିଦ୍ବନ୍ଦ୍ବୀ ସିଏସ୍କେ ଓ କେକେଆର୍ଠାରୁ ହାରିଛି। ପ୍ରଥମ ଚରଣରେ ଅପେକ୍ଷାକୃତ ଭଲ କରିଥିବା ଉଭୟ ଦଳ ଦ୍ବିତୀୟ ଚରଣ ପ୍ରାରମ୍ଭରେ ସଂଘର୍ଷ କରିବା ପ୍ରଶଂସକଙ୍କୁ ବି ନିରାଶ କରିଛି। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍କୁ କିନ୍ତୁ ସମସ୍ତେ ଅପେକ୍ଷା କରି ରହିଛନ୍ତି। ଉଭୟ ଦଳ ନିଜ ନିଜର ବ୍ୟାଟିଂ ବାହିନୀକୁ ସଜାଡ଼ିବା ଲକ୍ଷ୍ୟରେ ରହିଛନ୍ତି। ପୂର୍ବପ୍ରଦର୍ଶନକୁ ଦେଖିଲେ ଆର୍ସିବିଠାରୁ ମୁମ୍ବାଇ ଇଣ୍ଡିଆନ୍ସ ଢେର ଆଗରେ ରହିଛି। ଉଭୟ ଦଳ ପରସ୍ପର ବିପକ୍ଷରେ ୨୮ ମ୍ୟାଚ୍ ଖେଳିଛନ୍ତି। ସେଥିମଧ୍ୟରୁ ମୁମ୍ବାଇ ୧୭ ଏବଂ ଆର୍ସିବି ମାତ୍ର ୧୧ ମ୍ୟାଚ୍ରେ ବିଜୟୀ ହୋଇଛି। ଗତ ୭ ମୁକାବିଲା ଭିତରୁ ମୁମ୍ବାଇ ୪ଟିରେ ବିଜୟୀ ହୋଇଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଏବି ଡି’ଭିଲିୟର୍ସ ଆର୍ସିବି ପାଇଁ ସର୍ବାଧିକ ରନ୍ (୭୭୪ ରନ୍, ୨୪ ମ୍ୟାଚ୍, ୨୪୭.୭୦ ଷ୍ଟ୍ରାଇକ୍ ରେଟ୍) କରିଛନ୍ତି। ବୋଲିଂରେ ଯୁଜବେନ୍ଦ୍ର ଚହଲ (୧୯ ୱିକେଟ୍, ୪/୩୮ ଶ୍ରେଷ୍ଠ ବୋଲିଂ ଚିତ୍ର) ସର୍ବାଧିକ ୱିକେଟ୍ କରାୟତ୍ତ କରିଛନ୍ତି। ଆର୍ସିବି ବିପକ୍ଷରେ ମୁମ୍ବାଇ ପାଇଁ ଅଧିନାୟକ ରୋହିତ ଶର୍ମା ୧୩୬.୩୮ ଷ୍ଟ୍ରାଇକ୍ ରେଟ୍ରେ ସର୍ବାଧିକ ୭୧୬ ରନ୍ କରିଛନ୍ତି। ଯଶପ୍ରୀତ ବୁମ୍ରା ସର୍ବାଧିକ ୨୧ ୱିକେଟ୍ ଅକ୍ତିଆର କରିଛନ୍ତି। ଆର୍ସିବି ବିପକ୍ଷରେ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୩/୧୪)।
ସମ୍ଭାବ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଏକାଦଶ: କ୍ବିଣ୍ଟନ୍ ଡି’ କକ୍, ରୋହିତ ଶର୍ମା (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ଈଶାନ କିଶନ, ସୌରଭ ତିୱାରୀ, କିରଣ ପୋଲାର୍ଡ, କ୍ରୁନାଲ ପାଣ୍ଡ୍ୟା, ଆଦାମ ମିଲ୍ନେ, ରାହୁଲ ଚହର, ଯଶପ୍ରୀତ ବୁମ୍ରା, ଟ୍ରେଣ୍ଟ ବୋଲ୍ଟ।
ସମ୍ଭାବ୍ୟ ଆର୍ସିବି ଏକାଦଶ: ବିରାଟ କୋହଲି (ଅଧିନାୟକ), ଦେବଦତ୍ତ ପଡ଼ିକଲ, ଶ୍ରୀକର ଭରତ, ଗ୍ଲେନ୍ ମ୍ୟାକ୍ସୱେଲ୍, ଏବି ଡି’ଭିଲିୟର୍ସ, ଟିମ୍ ଡେଭିଡ୍, ୱାନିନ୍ଦୁ ହସରଙ୍ଗା, ହର୍ଷଲ ପଟେଲ, ମହମ୍ମଦ ସିରାଜ, ନଭଦୀପ ସୈନି, ୟୁଜବେନ୍ଦ୍ର ଚହଲ।
