ଆଇପିଏଲ-୨୦୨୧ : ପ୍ଲେଅଫରେ ଆରସିବି, ପଞ୍ଜାବ ଆଶା ଧୂଳିସାତ୍
ସାରଜା: ସାରଜାରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ ପଞ୍ଜାବ କିଙ୍ଗ୍ସ (ପିକେ) ମଧ୍ୟରେ ଖେଳାଯାଇଥିବା ଆଇପିଏଲ୍ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛି ବାଙ୍ଗାଲୋର ଦଳ । ୬ରନରେ ପଞ୍ଜାବକୁ ହରାଇଛି ଆରସିବି। ଗ୍ଲେନ ମାକ୍ସୱେଲଙ୍କ ବ୍ୟାଟିଂ ଓ ୟୁଜବେନ୍ଦ୍ର ଚହଲଙ୍କ ଚମତ୍କାର ବୋଲିଂ ଯୋଗୁଁ ବିଜୟ ହାସଲ କରିଛି ବାଙ୍ଗାଲୋର ଟିମ । ଏହି ବିଜୟ ସହ ପ୍ଲେ ଅଫରେ ନିଜ ସ୍ଥାନ ପକ୍କା କରିଛି ବିରାଟ କୋହଲିଙ୍କ ନେତୃତ୍ବାଧୀନ ବାଙ୍ଗାଲୋର ଦଳ। ପଞ୍ଜାବ ଦଳ ନିର୍ଦ୍ଧରିତ ୨୦ ଓଭରରେ ୬ ଉଇକେଟ୍ ହରାଇ ୧୫୮ ରନ୍ କରି ବିଜୟ ଲକ୍ଷ୍ୟଠାରୁ ୭ରନ୍ ଦୂରରେ ରହିଯାଇଛି।
ରବିବାର ଖେଳାଯାଇଥିବା ଆଇପିଏଲର ୪୮ତମ ମୁକାବିଲାରେ ଆରସିବି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ୍ ହରାଇ ୧୬୪ ରନ୍ କରିଥିଲା। ଜବାବରେ ପଞ୍ଜାବ ୬ ୱିକେଟ୍ ହରାଇ ୧୫୮ ରନ୍ କରିବାକୁ ସକ୍ଷମ ହୋଇଛି। । ଆରସିବି ପକ୍ଷରୁ ମ୍ୟାକ୍ସୱେଲ୍ ସର୍ବାଧିକ ୫୭ (୩୩ ବଲ୍, ୩ ଚୌକା, ୪ ଛକା) ରନ୍ କରିଛନ୍ତି। ୧୬୫ ରନର ଲକ୍ଷ୍ୟର ପିଛା କରୁଥିବା ପଞ୍ଜାବର ଦୁଇ ଓପ୍ନର ଲୋକେଶ ରାହୁଲ୍ ଓ ମୟଙ୍କ ଅଗ୍ରୱାଲ୍ ପ୍ରଥମ ୱିକେଟ୍ ପାଇଁ ୯୧ ରନ୍ ଯୋଡ଼ିଥିଲେ। ତେବେ ଏହି ଯୋଡ଼ି ଭାଙ୍ଗିବା ପରେ ପଞ୍ଜାବର ବିଜୟ ଆଶା ମଉଳି ଯାଇଥିଲା। ମିଡଲ ଅର୍ଡରରେ କୌଣସି ବ୍ୟାଟ୍ସମ୍ୟାନ୍ ସେଭଳି ଆଖିଦୃଶିଆ ବ୍ୟାଟିଂ କରିନଥିଲେ। ଯେଉଁ କାରଣରୁ ଦଳ ମାତ୍ର ୬ ରନ୍ ପାଇଁ ବିଜୟରୁ ବଞ୍ଚିତ ହୋଇଥିଲା। ପଞ୍ଜାବ ପକ୍ଷରୁ ମୟଙ୍କ ସବାର୍ଧିକ ୫୭ (୪୨ ବଲ୍, ୬ ଚୌକା, ୨ଛକା), ରାହୁଲ୍ ୩୯, ଆଇଡେନ୍ ମାର୍କରମ୍ ୨୦, ଶାହରୁଖ୍ ଖାନ୍ ୧୬ ଓ ହେନରିକ୍ସ ଅପରାଜିତ ୧୨ ରନ୍ କରିଥିଲେ। ଆରସିବି ପକ୍ଷରୁ ୟୁଜବେନ୍ଦ୍ର ଚହଲ୍ ୩ଟି, ଜର୍ଜ ଗାର୍ଟନ ଓ ହର୍ଷଲ୍ ପଟେଲ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ଟିମର ଦୁଇ ଓପ୍ନର କୋହଲି ଓ ଦେବଦତ୍ତ ପାଡିକଲ୍ ପ୍ରଥମ ୱିକେଟ ପାଇଁ ୬୮ ରନର ଭାଗିଦାରୀ କରିଥିଲେ। କୋହଲି ୨୫ ରନ୍ କରିଥିବା ବେଳେ ମୋଜେସ୍ ହେନରିକ୍ସଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ତାଙ୍କ ସ୍ଥାନରେ ଆସିଥିବା ଡାନିଏଲ୍ ଖ୍ରୀଷ୍ଟିଆନଙ୍କୁ ହେନରିକ୍ସ ପରବର୍ତ୍ତୀ ବଲରେ ପ୍ୟାଭିଲିୟନ୍ ପଠାଇଥିଲେ। ଭଲ ଟଚରେ ଥିବା ପାଡିକଲଙ୍କୁ ମଧ୍ୟ ହେନରିକ୍ସ ନିଜର ଶିକାର ବନାଇଥିଲେ। ପାଡିକଲ୍ ୩୮ ବଲରେ ୪ ଚୌକା ଓ ୨ ଛକା ସହ ୪୦ ରନ୍ କରି ଆଉଟ୍ ହୋଇଥିଲେ। ୭୮ ରନ୍ ଭିତରେ ୩ ୱିକେଟ୍ ହରାଇ ଆରସିବି ବିପଦରେ ପଡ଼ିଥିବା ବେଳେ ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ମ୍ୟାକ୍ସୱେଲ୍ ଓ ଏବି ଡି’ଭିଲିୟର୍ସ ଦମ୍ ଦେଖାଇଥିଲେ। ବିଶେଷକରି ମ୍ୟାକ୍ସୱେଲ୍ ପ୍ରତିକୁଳ ପିଚରେ ପଞ୍ଜାବ ବୋଲରଙ୍କୁ ଆଟାକ୍ କରିଥିଲେ। ସେ ମାତ୍ର ୨୯ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ମ୍ୟାକ୍ସୱେଲ୍ ଓ ଡି’ଭିଲିୟର୍ସ ଚତୁର୍ଥ ୱିକେଟ୍ ପାଇଁ ୭୩ ରନର ମହତ୍ତ୍ୱପୂର୍ଣ୍ଣ ପାର୍ଟନରଶିପ୍ କରି ଆରସିବିକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଡି’ଭିଲିୟର୍ସ ୨୩ (୧୮ ବଲ, ୧ ଚୌକା, ୨ ଛକା) ରନ୍ କରି ରନଆଉଟ୍ ହୋଇଥିଲେ। ମ୍ୟାକ୍ସୱେଲଙ୍କୁ ମହମ୍ମଦ ଶାମି ଆଉଟ୍ କରିଥିଲେ। ଶାହବାଜ ଅହମ୍ମଦ ୮ ରନ୍ କରି ପ୍ୟାଭିଲିୟନ୍ ଫେରିଥିବା ବେଳେ ହର୍ଷଲ୍ ପଟେଲ ୧ ରନ୍ କରି ଅପରାଜିତ ଥିଲେ। ପଞ୍ଜାବ ପକ୍ଷରୁ ମହମ୍ମଦ ଶାମି ଓ ହେନରିକ୍ସ ୩ଟି ଲେଖାଏ ୱିକେଟ୍ ନେଇଥିଲେ।
